ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା ବୁଧବାର ରାଜ୍ୟରେ ପରିବର୍ତ୍ତନ ହେଉଥିବା ‘ଜନସଂଖ୍ୟା’ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଆସାମରେ ମୁସଲମାନ ଜନସଂଖ୍ୟା ୪୦ ପ୍ରତିଶତରେ ପହଞ୍ଚିଛି ବୋଲି ହିମନ୍ତ ବିଶ୍ୱସର୍ମା ଦାବି କରିଛନ୍ତି । ତାଙ୍କ ଏହି ବିବୃତ୍ତି ଝାଡ଼ଖଣ୍ଡର ରାଞ୍ଚିରେ ଆୟୋଜିତ ଏକ ସଭାରେ ଆସିଛି । ହିମନ୍ତ ବିଶ୍ୱସର୍ମା ମଧ୍ୟ ଝାଡଖଣ୍ଡରେ ବିଜେପିର ସହ-ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ହିମନ୍ତ ବିଶ୍ୱସର୍ମା କହିଛନ୍ତି, “ଆସାମର ଜନସଂଖ୍ୟାରେ ପରିବର୍ତ୍ତନ ମୋ ପାଇଁ ଏକ ବଡ଼ ପ୍ରସଙ୍ଗ । ଆଜି ଆସାମରେ ମୁସଲମାନ ଜନସଂଖ୍ୟା ୪୦% ରେ ପହଞ୍ଚିଛି । ୧୯୫୧ ମସିହାରେ ଏହି ଜନସଂଖ୍ୟା ୧୨% ଥିଲା । ଏହି ସମୟ ମଧ୍ୟରେ ଆମେ ମଧ୍ୟ ଅନେକ ଜିଲ୍ଲା ହରାଇଥିଲୁ । ଏହା ମୋ ପାଇଁ ରାଜନୀତିର ବିଷୟ ନୁହେଁ, ଏହା ଜୀବନ ଏବଂ ମୃତ୍ୟୁର ପ୍ରଶ୍ନ ।
କୌଣସି ଧର୍ମର ନାମ ନ ଦେଇ ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ କହେ ନାହିଁ ଯେ କୌଣସି ଅପରାଧ କୌଣସି ନିର୍ଦ୍ଦିଷ୍ଟ ଧର୍ମ ଦ୍ୱାରା କରାଯାଇଥାଏ, କିନ୍ତୁ ଲୋକସଭା ନିର୍ବାଚନ ସମୟରେ ଘଟିଥିବା ଘଟଣା ଏକ ଚିନ୍ତାର ବିଷୟ । ଝାଡ଼ଖଣ୍ଡ ଗସ୍ତ ପ୍ରସଙ୍ଗରେ ଯେତେବେଳେ ହିମନ୍ତ ବିଶ୍ୱଶର୍ମାଙ୍କୁ ପଚରାଯାଇଥିଲା, ସେତେବେଳେ ସେ ଥଟ୍ଟା କରି କହିଥିଲେ ଯେ ସେ ଝାଡ଼ଖଣ୍ଡକୁ ରିଚାର୍ଜ କରିବାକୁ ଆସିଛନ୍ତି । ଏହାପୂର୍ବରୁ ଜୁନ୍ ୨୩ ରେ ହିମନ୍ତ ବିଶ୍ୱଶର୍ମା ଦାବି କରିଥିଲେ ଯେ ବାଂଲାଦେଶୀ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି । ଏହି ଲୋକମାନେ କେନ୍ଦ୍ର ତଥା ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ବିକାଶ କାର୍ଯ୍ୟକୁ ଅଣଦେଖା କରି ମତ ଦେଇଛନ୍ତି । ଏଥିସହ ସେ ଦାବି କରିଥିଲେ ଯେ ବାଂଲାଦେଶୀ ମୂଳ ସଂଖ୍ୟାଲଘୁ ସମ୍ପ୍ରଦାୟ ହିଁ ଏକମାତ୍ର ସମ୍ପ୍ରଦାୟ ଯାହାକି ରାଜ୍ୟରେ ସାମ୍ପ୍ରଦାୟିକତା ସହ ଜଡ଼ିତ । ଆସାମରେ ବିଜେପି ଲୋକସଭା ନିର୍ବାଚନରେ ୨୪ଟି ସିଟ୍ ମଧ୍ୟରୁ ୧୫ଟି ଜିତିଥିବାବେଳେ ୩ଟି ଆସନ କଂଗ୍ରେସକୁ ଯାଇଛି ।