21.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଚନ୍ଦ୍ରବାବୁ ନାଇଡୁ ସାନଭାଇଙ୍କ ଦେହାନ୍ତ

ଚନ୍ଦ୍ରବାବୁ ନାଇଡୁ ସାନଭାଇଙ୍କ ଦେହାନ୍ତ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସାନଭାଇ ନାରା ରାମମୂର୍ତ୍ତି ନାଇଡୁଙ୍କର ଶନିବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ହୃଦୟ ଏବଂ ଶ୍ୱାସକ୍ରିୟାଜନିତ ସମସ୍ୟା କାରଣରୁ ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଆସୁଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା କାରଣରୁ ତାଙ୍କୁ ତିନି ଦିନ ପୂର୍ବରୁ ହାଇଦ୍ରାବାଦ୍ ସ୍ଥିତ ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଦଳ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖି ଚିକିତ୍ସା କରୁଥିଲେ। ତେବେ ଆଜି ଅପରାହ୍ନ ୧୨.୪୫ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୯୪ ରୁ ୧୯୯୯ ପର୍ଯ୍ୟନ୍ତ ଚନ୍ଦ୍ରଗିରି ନିର୍ବାଚନମଣ୍ଡଳୀରୁ ରାମମୂର୍ତ୍ତି ନାଇଡୁ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ବିଧାୟକ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳକୁ ତୃଣମୂଳ ସ୍ତରର ମଜବୁତ୍ କରିବାରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏଆଇଜି ହସ୍ପିଟାଲର ସୂତ୍ର ଅନୁଯାୟୀ, ଆଜି ଦିନ ୧୨:୪୫ରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି। ବିଭିନ୍ନ ଦଳର ନେତା ରାମମୂର୍ତ୍ତିଙ୍କ ଦେହାନ୍ତକୁ ନେଇ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭାଇଙ୍କ ଦେହାନ୍ତ ଖବର ପାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପୂର୍ବତନ ରାଜ୍ୟସଭା ସଦସ୍ୟ କନକମେଦଲା ରବିନ୍ଦ୍ରକୁମାର ଏବଂ ଆନ୍ଧ୍ରପ୍ରଦେଶର ଟିଡିପି ସରକାରରେ ମନ୍ତ୍ରୀ ଥିବା ନାରାୟଣ ରାମମୂର୍ତ୍ତି ଗଭୀର ସମବେଦନା ଜଣାଇଛନ୍ତି। ଆସନ୍ତା କାଲି ନାରାଭାରିପାଲେ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ ପୁଅ ତଥା ଅଭିନେତା/ପ୍ରଯୋଜକ ନାରା ରୋହିତ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking