31.1 C
Bhubaneswar
Friday, March 14, 2025
Homeଅପରାଧଚାଞ୍ଚଲ୍ୟ: କାନ୍ଦିବାରୁ ୨ ଶିଶୁକନ୍ୟାଙ୍କୁ ମାରିଦେଲା ମା'

ଚାଞ୍ଚଲ୍ୟ: କାନ୍ଦିବାରୁ ୨ ଶିଶୁକନ୍ୟାଙ୍କୁ ମାରିଦେଲା ମା’

ଡେରାଡୁନ୍‌: ଜନ୍ମ ହେଲା ପରେ ପ୍ରଥମେ ଯେବେ ପିଲାଟିଏ କାନ୍ଦିଥାଏ ତାକୁ କୋଳରେ ଧରି ହସିଥାଏ ଜଣେ ମା’ । ମାତୃତ୍ୱକୁ ଜୀବନର ସବୁଠୁ ବଡ ଖୁସି ବୋଲି ଭାବେ । ହେଲେ ଆମେ ଜଣେ ଏମିତି ମା’ କଥା କହିବୁ ଯିଏ ପିଶାଚୀ ପାଲଟି ଯାଇଛି । ନିଜ ହାତରେ ଦୁଇ ଦୁଇଟି ଜୀବନକୁ ଶେଷ କରି ଦେଇଛି । ୧୦ ମାସ ୧୦ ଦିନ ଗର୍ଭରେ ରଖି ଯେଉଁ ଜୀବନକୁ ଦୁନିଆ ଦେଖାଇଥିଲା ତାଙ୍କୁ ନିଜ ହାତରେ ତଣ୍ଟି ଚିପି ହତ୍ୟା କରିଛି । ଉତ୍ତରାଖଣ୍ଡ ହରିଦ୍ୱାରରୁ ଆସିଛି ଏପରି ଚାଞ୍ଚଲ୍ୟ କର ଘଟଣା । ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି । ୬ ମାସର ଦୁଇ ଯମଜ ଶିଶୁକନ୍ୟା ସବୁବେଳେ କାନ୍ଦୁଥିଲେ । ଯାହା ଜନ୍ମକଲା ମା’କୁ ବିବ୍ରତ କରୁଥିଲା । ସେ ରାତି ସାରା ଶୋଇ ପାରୁନଥିଲେ ।

ଏ ନେଇ ଅନେକ ଥର ସ୍ୱାମୀକୁ ଅଭିଯୋଗ କରିଥିଲେ । ହେଲେ ତାଙ୍କ ସ୍ୱାମୀ ଶୁଣିନଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ପିଲାଙ୍କ କାନ୍ଦ ଏତେ ଅସହ୍ୟ ହେଲା ଯେ ପିଶାଚୀ ପାଲଟିଗଲା ଜନ୍ମଦାତ୍ରୀ । ଘଟଇଲା ନୃଶଂସ କାଣ୍ଡ । ଦୁଇ ଜାଆଁଳା ଶିଶୁକନ୍ୟାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ପ୍ରଥମେ ତକିଆ ମାଡି ଦୁଇ ଶିଶୁକନ୍ୟାଙ୍କୁ ହତ୍ୟା ଉଦ୍ୟମ କରିଥିଲା । ସେମାନେ ଜୋରରେ କାନ୍ଦିବାରୁ ଓଢଣୀରେ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ପରେ ଦୁଇ ଶିଶୁକନ୍ୟାଙ୍କୁ ଡାକ୍ତରଖାନା ଆଣି ତାଙ୍କ ଦେହ ଭଲ ନଥିବା କହିଥିଲେ । ସେଠାରେ ଡାକ୍ତରୁ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲା ଧିରୱାଲରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଆଲୋଡନ ଖେଳାଇ ଦେଇଛି ।

ମହିଳାଙ୍କ ସ୍ୱାମୀ ମହେଶ ହତ୍ୟା ଆଶଙ୍କା କରି ଥାନାରେ ଏତଲା ଦେଇଥିଲେ । ପ୍ରଥମେ ଶିବାଙ୍ଗୀ ପୋଲିସକୁ ଭୂଆଁ ବୁଲାଇଥିଲେ। ପିଲାଙ୍କୁ ଶୁଆଇବା ପରେ ବାହାରକୁ ଯାଇଥିଲି ଆସିକି ଦେଖେ ତ ଦୁଇ ଶିଶୁ ଅଚେତ ଅବସ୍ଥାରେ ପଡିଥିବା କହିଥିଲେ । ମାତ୍ର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଦୋଷ ସ୍ୱୀକାର କରିଥିଲେ । ଅଭିଯୁକ୍ତ ମା’ ଶିବାଙ୍ଗୀ ସଲକାନ (୨୦)ଙ୍କୁ ପୋଲିସ ଗିରଫ କରିଛି । ବିଏନଏସ ଧାରା ୧୦୩ (୧)ରେ ଜୱାଲପୁର ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଛି । ଶିବାଙ୍ଗୀଙ୍କ ସ୍ୱାମୀ ମହେଶ ସିଡକୁଲର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ଶିବାଙ୍ଗୀ ମଧ୍ୟ ଚାକିରି କରିଛନ୍ତି । ଉଭୟ ପରସ୍ପରକୁ ଭେଟିବା ପରେ ଦେଢ ବର୍ଷ ପରେ ବିବାହ କରିଥିଲେ । ଧିରୁୱାଲିରେ ଘରଭଡା ନେଇ ରହୁଥିଲେ । ୬ ମାସ ତଳେ ଦୁଇ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ । ଦୁହେଁ ସବୁବେଳେ କାନ୍ଦୁଥିବାରୁ ରାକ୍ଷସୀ ପାଲିଟି ଯାଇଥିଲେ ଶିବାଙ୍ଗୀ । ଯାହାକୁ ଜନ୍ମ ଦେଇ ମାତୃତ୍ୱ ଲାଭ କରିଥିଲେ ତାଙ୍କ ଜୀବନ ନେଇଗଲେ । ଏହି ଘଟଣା ପରେ ଜଣେ ମା’ କିପରି ନୃଶଂସ ପାଲିଟିଯାଏ ସମସ୍ତଙ୍କୁ ଚକିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking