14.1 C
Bhubaneswar
Sunday, January 18, 2026
Homeଖେଳପାକିସ୍ତାନରେ ଆୟୋଜିତ ହେବ ଚାମ୍ପିଅନ୍ସ ଟ୍ରଫି: ଟିମ୍ ପଠାଇବାକୁ ଅମଙ୍ଗ ବିସିସିଆଇ

ପାକିସ୍ତାନରେ ଆୟୋଜିତ ହେବ ଚାମ୍ପିଅନ୍ସ ଟ୍ରଫି: ଟିମ୍ ପଠାଇବାକୁ ଅମଙ୍ଗ ବିସିସିଆଇ

ନୂଆଦିଲ୍ଲୀ: ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ୍ ଯୋଗଦେବ ନାହିଁ ବୋଲି ବିସିସିଆଇ (ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ) ଘୋଷଣା କରିବା ପରେ ପାକିସ୍ତାନ୍ କ୍ରିିକେଟ୍ ବୋର୍ଡ (ପିସିବି) ମାତ୍ରାଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛି । ବିସିସିଆଇକୁୂ କଡ଼ା ଚେତାବନୀ ଦେବା ଆଳରେ ପାକିସ୍ତାନ କହିଛି ଯେ, ଯଦି ଭାରତୀୟ ଟିମ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ନଆସେ, ତେବେ ଆଗାମୀ ୨୦୨୬ରେ ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବାକୁ ଥିବା ଟି-୨୦ ବିଶ୍ୱକପରେ ପାକିସ୍ତାନ ସାମିଲ ହେବ ନାହିଁ । ସେହିପରି ଯଦି ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ସଦସ୍ୟଙ୍କ ସୁରକ୍ଷା ସମ୍ବନ୍ଧୀତ ଆଶଙ୍କା ଥିବା ଦର୍ଶାଇ ବିସିସିଆଇ ଏସମ୍ପର୍କରେ ଆଇସିସି (ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନ୍‌ସିଲ) ଆଗରେ ପାକିସ୍ତାନ ଆସିବାକୁ ଅମଙ୍ଗ ଥିବା ଦର୍ଶାଏ ତେବେ ପାକିସ୍ତାନ ମଧ୍ୟ ଏସମ୍ପର୍କରେ ବିସିସିଆଇ ଠାରୁ ଲିଖିତ ରୂପେ ବିସ୍ତୃତ ସୂଚନା (କେଉଁ ସୁରକ୍ଷା କାରଣରୁ କ୍ରିକେଟ୍ ଟିମ୍‌କୁ ପାକିସ୍ତାନକୁ ପଠାଇବାକୁ ଚାହୁଁ ନାହାନ୍ତି) ମାଗିବାକୁ ବାଧ୍ୟ ହେବ । ଏତଦ୍‌ବ୍ୟତୀତ ଯଦି ଭାରତ ସରକାରଙ୍କ ପକ୍ଷରୁ ଭାରତୀୟ କ୍ରିକେଟ୍ ବୋର୍ଡକୁ ଅନୁମତି ଦିଆଯାଉନାହିଁ ଏସମ୍ପର୍କରେ ମଧ୍ୟ ବିସିସିଆଇ ଆଇସିସି ସମ୍ମୁଖରେ ଲିଖିତ ଭାବେ ସ୍ପଷ୍ଟ କରିବାକୁ ବାଧ୍ୟ ବୋଲି ପିସିବି କହିଛି । ପିସିବିର ଜଣେ ଅଧିକାରୀ କହିଛନ୍ତି, “ଯଦି ଭାରତ ସରକାର ଗସ୍ତ ପାଇଁ ଅନୁମତି ଦେଉନାହାନ୍ତି, ତା’ହେଲେ ଏକଥା ବିସିସିଆଇ ଲିଖିତ ଭାବେ ଆଇସିସିକୁ ଦେଉ । ଯାହାଦ୍ୱାରା ଆମେ ପରବର୍ତ୍ତୀ ପଦକ୍ଷେପ ନେଇ ପାରିବୁ ।”
ପ୍ରକାଶ, ଆସନ୍ତା ବର୍ଷ ଫେବ୍ରୁଆରୀ ଏବଂ ମାର୍ଚ୍ଚରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଲାଗି ଭାରତୀୟ ଟିମ୍ ପାକିସ୍ତାନ ଯାତ୍ରା କରିବ ନାହିଁ ବୋଲି ବିସିସିଆଇ ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏହାର ଜବାବରେ ଉପରୋକ୍ତ ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ, ପାକିସ୍ତାନରେ ଖେଳିବାକୁ ଯିବା ପାଇଁ ହେଲେ ସରକାରଙ୍କ ଅନୁମତି ଆବଶ୍ୟକ । କିନ୍ତୁ ଭାରତ ସରକାର ଅନୁମତି ଦେବା ସପକ୍ଷରେ ନଥିବା କୁହାଯାଉଛି ।
ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ପାକିସ୍ତାନରେ ଆୟୋଜନ ହେବା ଉପରେ ପିସିବି ଜୋର ଦେଉଛି । ଆସନ୍ତା ୧୯ରୁ ୨୨ ଜୁଲାଇରେ ଶ୍ରୀଲଙ୍କାର କଲୋମ୍ବୋ ଠାରେ ହେବାକୁ ଥିବା ଆଇସିସିର ବାର୍ଷିକ ସମ୍ମିଳନୀରେ ଯେକୌଣସି ପ୍ରକାର ହାଇବ୍ରିଡ୍ ମଡେଲ୍ (ଅନ୍ୟତ୍ର ମ୍ୟାଚ୍ ସ୍ଥାନାନ୍ତର ବା ଆୟୋଜନ ଯୋଜନା) ପ୍ରସ୍ତାବକୁ ମଧ୍ୟ ପିସିବି ବିରୋଧ କରିବ ବୋଲି ସ୍ପଷ୍ଟ କରିସାରିଛି ।
ଅନ୍ୟପକ୍ଷେ ଭାରତ କିନ୍ତୁ ପାକିସ୍ତାନରେ ହେବାକୁ ଥିବା ଭାରତର ପ୍ରତ୍ୟେକ ମ୍ୟାଚ୍‌କୁ ୟୁଏଇ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିସିସିଆଇ, ଆଇସିସି ସମ୍ମୁଖରେ ପ୍ରସ୍ତାବ ଦେବ ବୋଲି ଅନୁମାନ କରାଯାଉଛି । ଏପରି ହେଲେ ଆଇସିସିକୁ ଏସବୁୂ ମ୍ୟାଚ୍ ପାଇଁ ଅତିରକ୍ତ ପାଣ୍ଠି ମଧ୍ୟ ଯୋଗାଇବାକୁ ପଡ଼ିବ । ସୁତରାଂ କଲୋମ୍ବୋରେ ହେବାକୁ ଥିବା ଆଇସିସିର ବାର୍ଷିକ ସମ୍ମିଳନୀ ଉପରେ ଏବେ ଉଭୟ ଭାରତ ଏବଂ ପାକିସ୍ତାନର ନଜର ରହିବ । ପ୍ରକାଶ, ୨୦୨୩ ଦିନିକିଆ ଏସିଆ କପ୍ ମଧ୍ୟ ପାକିସ୍ତାନ ଆୟୋଜନ କରିଥିଲା । ହେଲେ ଭାରତ ହାଇବ୍ରିଡ୍ ମଡେଲ ଅନୁସାରେ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ହିଁ ଖେଳିଥିଲା । ଏବେ ବିସିସିଆଇ ଚାମ୍ପିୟନ୍ସ ଟ୍ରଫି ପାଇଁ ମଧ୍ୟ ସମାନ ନୀତି ଆପଣାଇବା ଲକ୍ଷ୍ୟରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking