18.1 C
Bhubaneswar
Tuesday, December 9, 2025
Homeଓଡିଶା୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନ

୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ଉନ୍ନତିକରଣ ଏବଂ ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିଛି । ନୂଆଦିଲ୍ଲୀ ଗସ୍ତରେ ଥିବା ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କେନ୍ଦ୍ର ମନ୍ତ୍ରୀ, ସଡ଼କ ପରିବହନ ଓ ରାଜମାର୍ଗ ଶ୍ରୀ ନିତିନ ଗଡ଼କରିଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ରାଜ୍ୟରେ ଥିବା ବିଭିନ୍ନ ରାସ୍ତା ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି I ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ, ୫ଟି ରାଜ୍ୟ ରାଜପଥ ଓ ସିଆର୍‌ଆଇଏଫ୍‌ ପ୍ରକଳ୍ପ ପାଇଁ ମୋଟ ୪୪,୭୭୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ୍‌ କରିବା, ୧୪୦ କିଲୋମିଟର ଦୀର୍ଘ ଟାଙ୍ଗୀ-ପୁଇଁତୋଳା-ଇଚ୍ଛାପୁରମ୍‌ ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରିବା ପାଇଁ ଅନୁମୋଦନ ମିଳିଛି । ସେହିପରି ୪୦୦ କିଲୋମିଟର ଦୀର୍ଘ ରାଉରକେଲା-ବଡବିଲ୍‌-ପାରାଦୀପ ଭାୟା ଡୁବୁରି ରାସ୍ତାକୁ ୮ ଲେନ କରିବା ପାଇଁ ଏବଂ ଏନ୍‌ଏଚ୍‌-୧୪୯ ଅଧିନରେ ଥିବା ୬୮ କିଲୋମିଟର ଦୀର୍ଘ ପାଲଲହଡ଼ା-ପିଟିରି ରାସ୍ତାକୁ ୪ ଲେନ୍‌ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ଅନ୍ୟପକ୍ଷରେ ୨୦୨୫ ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ୍‌ ରୋଡ୍‌ କଂଗ୍ରେସ ଅବସରରେ ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରାଳୟର ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ୧୫୦୦ କୋଟି ଟଙ୍କା ସିଆର୍‌ଆଇଏଫ୍‌ ଯୋଜନା ଅଧିନରେ ଅନୁମୋଦନ ମିଳିଛି ।

ସେହିପରି ୫ଟି ରାଜ୍ୟ ରାଜପଥ ପ୍ରକଳ୍ପର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ୧୩,୧୪୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ବରପାଲି-ବଲାଙ୍ଗିର ରାସ୍ତା ଓ କେସିଙ୍ଗା – ଭବାନୀପାଟଣା – ଜୁନାଗଡ଼ ରାସ୍ତାକୁ ୪ ଲେନ୍‌ କରିବା, ୪ ଲେନ୍‌ବିଶିଷ୍ଟ ବଲାଙ୍ଗିର-ନୟାଗଡ଼ ରାସ୍ତା, ହିଞ୍ଜିଳିକାଟୁ ବାଇପାସ ରାସ୍ତା ସହ ବ୍ରହ୍ମପୁରରୁ କାଳୁଷଣ୍ଢପୁର ରାସ୍ତାକୁ ୪ ଲେନ୍‌ କରିବା ଏବଂ ମୋହନାରୁ ପାରଳାଖେମୁଣ୍ଡି ରାସ୍ତାର ଉନ୍ନତିକରଣ ସହ ଏନ୍‌ଏଚ୍‌-୨୬ର ପ୍ରଶସ୍ତିକରଣକୁ ଅନୁମୋଦନ ମିଳିଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରରୁ ପାରାଦୀପ ସିଧାସଳଖ ନୂଆ ଗ୍ରୀନ ଫିଲଡ଼ ରାସ୍ତା ନିର୍ମାଣ ନେଇ ସଫଳ ଆଲୋଚନା ହୋଇଛି I ଆଗାମୀ ଦିନରେ ପାରାଦ୍ୱୀପ ସହର ପରିସର ଯଥେଷ୍ଟ ବୃଦ୍ଧି ପାଇବାକୁ ଥିବାବେଳେ ପ୍ରମୁଖ ବନ୍ଦର ସହରକୁ ରାଜଧାନୀ ଭୁବନେଶ୍ୱର ସହ ଯୋଡିବା ପାଇଁ ଏହି ଗ୍ରୀନଫିଲଡ ରାସ୍ତା ବେଶ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ଆଜିର ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଏଲ. କେ ପାଢ଼ୀ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏ.ଡି.ଜି. ଶ୍ରୀ ଅତୁଲ କୁମାର ଏବଂ ଜାତୀୟ ରାଜପଥ ପ୍ରାଧିକରଣ ସଦସ୍ୟ ଶ୍ରୀ ବିପନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking