27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶକେନ୍ଦ୍ରର ବଡ଼ ନିଷ୍ପତ୍ତି: ବିହାରକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

କେନ୍ଦ୍ରର ବଡ଼ ନିଷ୍ପତ୍ତି: ବିହାରକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ:  ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରୁଥିବା ଏନ୍‌ଡିଏର ଅନ୍ୟତମ ଅଂଶୀଦାର ଦଳ ତଥା ବିଜେପିର ସହଯୋଗୀ ଦଳ ଜେଡିୟୁକୁ ଆଜି ଶକ୍ତ ଝଟ୍‌କା ଲାଗିଛି । ଜେଡିୟୁ ପକ୍ଷରୁ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବାକୁ ନେଇ କରାଯାଇଥିବା ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଆଜି ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଲିଖିତ ଉତ୍ତର ରଖାଯାଇଥିଲା । ଏଥିରେ ବିହାରକୁ ବର୍ତ୍ତମାନ ସମୟରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି । ପ୍ରକାଶ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଏବେ ବିହାରରେ କ୍ଷମତାରେ ଥିବା ବେଳେ ପୁଣିଥରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଉଠାଇଛି । ଯେହେତୁ ଜେଡିୟୁ ସହାୟତାରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିଛି, ସେହି ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ଏଥର ଜେଡିୟୁର ଏହି ଦାବିକୁ ଗ୍ରହଣ କରିବ ଏବଂ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବ ବୋଲି କିଛି ମାତ୍ରାରେ ଅନୁମାନ କରାଯାଉଥିଲା । କିନ୍ତୁ ସେପରି କିଛି ବି ହୋଇନି । ଓଲଟା ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର କୌଣସି ଯୋଜନା ନାହିଁ ।
ସୂଚନାଯୋଗ୍ୟ, ବିହାରର ଝାଞ୍ଜହରପୁରର ଜେଡିୟୁ ସାଂସଦ ରାମପ୍ରିତ୍ ମଣ୍ଡଳ ଆଜି ଲୋକସଭାରେ ଅର୍ଥ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ ଯେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ କୌଣସି ଯୋଜନା ଅଛି କି? ପଛୁଆ ବର୍ଗର ରାଜ୍ୟଗୁଡ଼ିକରେ ଅର୍ଥନନୈତିକ ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ମନ୍ତ୍ରଣାଳୟର କିଛି ଯୋଜନା ରହିଛି କି? ଏହାର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ ଯେ, “ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର କୌଣସି ଅଭିପ୍ରାୟ ନାହିଁ । ନ୍ୟାଶନାଲ ଡେଭଲପମେଣ୍ଟ କାଉନ୍‌ସିଲ (ଏନ୍‌ଡିସି) ପକ୍ଷରୁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବା ନେଇ କିଛି ସର୍ତ୍ତ ରହିଛି । ଏସବୁ ସର୍ତ୍ତଗୁଡ଼ିକ ମଧ୍ୟରେ ରାଜ୍ୟରେ ପାହାଡ଼ିଆ ଓ କଷ୍ଟକର ରାସ୍ତା, କମ୍ ଜନସଂଖ୍ୟା/ ବଡ଼ ସଂଖ୍ୟାରେ ଆଦିବାସୀ ଲୋକ ଥିବେ, ସୀମାନ୍ତକୁ ଲାଗି ପଡ଼ୋଶୀ ଦେଶର ଭୌଗୋଳିକ ସ୍ଥିତାବସ୍ଥା, ଅର୍ଥନୈତିକ ଓ ଭିତ୍ତିଭୂମି ବିକାଶ ଦୃଷ୍ଟିକୋଣରୁ ଅନଗ୍ରସର, ଏବଂ ରାଜ୍ୟ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ଅକ୍ଷମ ରହୁଥିବା ମାନଦଣ୍ଡ ଆଧାରରେ ରାଜ୍ୟଗୁଡିକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥାଏ । କିନ୍ତୁ ଏସବୁ ସର୍ତ୍ତାବଳୀ ଅନ୍ତର୍ଗତ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବାର କୌଣସି କାରଣ ନାହିଁ ।
ଗୋଟିଏ ପଟେ କେନ୍ଦ୍ର ଏସମ୍ପର୍କରେ ସ୍ପଷ୍ଟ କରିସାରିବା ପରେ ଏବେ ନୀତୀଶଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ୍ । କାରଣ ରାଜନୀତିରେ ଜଣେ ପଲ୍‌ଟୁରାମ୍ ସଂଜ୍ଞାର ଅଧିକାରୀ ନୀତୀଶ କୌଣସି ମୁହୂର୍ତ୍ତରେ ମଧ୍ୟ ନିଜ ନିଷ୍ପତ୍ତିକୁ ପରିବର୍ତ୍ତନ କରିଦେଇପାରନ୍ତି ।  କାରଣ ଏହି ପ୍ରସଙ୍ଗକୁ ନେଇ ଅନେକ ଥର ଜେଡିୟୁ ଓ ବିଜେପି ମଧ୍ୟରେ ମତପାର୍ଥକ୍ୟ ଦେଖିବାକୁ ମିଳିଛି । ଏପରି କି ବଜେଟ ଅଧିବେଶ ପୂର୍ବରୁ ବିସିଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଜେଡିୟୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କଥା ଉଠାଇଥିଲା । କିନ୍ତୁ ତଥାପି କେନ୍ଦ୍ର ଏସମ୍ପର୍କରେ କର୍ଣ୍ଣପାତ କରିନାହିଁ । ସୁତରାଂ ଏହାକୁ ଏବେ ଏକ ପ୍ରସଙ୍ଗ କରି ନୀତୀଶ କୁମାର ଏନ୍‌ଡିଏରୁ ଓହରି ଯିବେ କି ବୋଲି ପ୍ରଶ୍ନ ଆରମ୍ଭ ହୋଇଛି । ଅନ୍ୟପକ୍ଷେ ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା କହିଛନ୍ତି, ଯଦି କେନ୍ଦ୍ର ସରକାର ଭାବୁଛନ୍ତି, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାରେ ସମସ୍ୟା ରହିଛି, ତେବେ ଆମେ ବିହାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରୁଛୁ । ତେବେ ଆରଜେଡି କିନ୍ତୁ ଏସବୁକୁ ନେଇ କଟାକ୍ଷ କରିଛି । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ନେଇ ନୀତୀଶ ନିଜର ରାଜନୀତିକ ଡ୍ରାମା ଜାରି ରଖନ୍ତୁ ବୋଲି ଆରଜେଡି ମୁଖ୍ୟ ଲାଲୁ ଯାଦବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking