କଟକ: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ଗତ କିଛିଦିନ ତଳେ ତେଲିଘଣା ଗେନ୍ତିଆପଡ଼ାର ଅଙ୍ଗନବାଡ଼ି କେନ୍ଦ୍ରକୁ ଜୟଶ୍ରୀ ଯାଇଥିଲେ । ସେଠାରେ କେନ୍ଦ୍ରର କାଗଜପତ୍ର ଯାଞ୍ଚ କରିଥିବା ବେଳେ ଏକ ସାମାନ୍ୟ ତ୍ରୁଟି ଧରିଥିଲେ । ଏଥିପାଇଁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜୟଶ୍ରୀ ଅଙ୍ଗନବାଡ଼ି କର୍ମୀଙ୍କୁ ଧମକ ଦେଇଥିଲେ । ଏହି ତ୍ରୁଟିକୁ ସୁଧାରିବା ଲାଗି ସେ ଅଙ୍ଗନବାଡ଼ି କର୍ମୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଅଙ୍ଗନବାଡ଼ି କର୍ମୀ କାକୁତିମିନତି ହୋଇଥିଲେ ବି ସେ ଶୁଣି ନଥିଲେ । ଟଙ୍କା ନଦେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି କହିବା ପରେ ଅଙ୍ଗନବାଡ଼ି କର୍ମୀ କିସ୍ତିରେ ଟଙ୍କା ଦେଇପାରିବେ ବୋଲି କହିଥିଲେ । ଅପରପକ୍ଷେ ରାଉରକେଲା ଭିଜିଲାନ୍ସରେ ରବିବାର ଅଙ୍ଗନବାଡ଼ି କର୍ମୀ ଜଣକ ଏକ ମାମଲା ଦାୟର କରିଥିଲେ । ପୂର୍ବ ଯୋଜନା ମୁତାବକ ସୋମବାର ଅଙ୍ଗନବାଡ଼ି କର୍ମୀ ୨ ହଜାର ଟଙ୍କା ଦେଲାବେଳେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କଠାରୁ ୨ ହଜାର ଟଙ୍କା ଜବତ କରିବା ସହ ସିଡିପିଓଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।