ନୂଆଦିଲ୍ଲୀ: ନିଟ୍-ୟୁଜି ପେପର୍ ଲିକ୍ ମାମଲାରେ ଆଜି ସିବିଆଇ ପୁଣି ୩ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଅନ୍ୟତମ ମାଷ୍ଟରମାଇଣ୍ଡ୍ ସାମିଲ ଥିବା ବେଳେ ଅନ୍ୟ ୨ଜଣ ମେଡିକାଲ ଛାତ୍ର ବୋଲି ଜଣାପଡିଛି । ସୂଚନାନୁସାରେ ଏନ୍ଆଇଟି ଜାମସେଦପୁରରୁ ବିଟେକ୍ ଡିଗ୍ରୀ ହାସଲକାରୀ ଜଣେ ଗ୍ରାଜୁୂଏଟ୍ ଯୁବକ ଅନ୍ୟତମ ମାଷ୍ଟରମାଇଣ୍ଡ୍ ଭାବେ ସିବିଆଇ ହାତରେ ଧରାପଡିଛନ୍ତି । ସେହିପରି ଲିକ ପ୍ରଶ୍ନପତ୍ରର ସମାଧାନ କରୁଥିବା ୨ ଜଣ ଏମବିବିଏସ୍ ଛାତ୍ର ମଧ୍ୟ ଧରାପଡ଼ିଛନ୍ତି ।
ସିବିଆଇ ପକ୍ଷରୁ କୁହାଯାଇଛି ଯେ ସୋଲଭର୍ସ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ଭାବେ ଚିହ୍ନଟ ହୋଇଥିବା ୨ ଏମବିବିଏସ୍ ଛାତ୍ର କୁମାର ମଙ୍ଗଲମ ବିଷ୍ଣୋଇ (ଏମ୍ବିବିଏସ୍ର ଦ୍ୱିତୀୟ ବର୍ଷ) ଓ ଦୀପେନ୍ଦ୍ର ଶର୍ମା (ପ୍ରଥମ ବର୍ଷ)ଙ୍କୁ ଗିରଫ କରାଯାଇଛି । ଏମାନେ ରାଜସ୍ଥାନର ଭରତରପୁରରେ ଥିବା ଗୋଟିଏ ମେଡିକାଲ କଲେଜର ଛାତ୍ର । ଉଭୟ ପଙ୍କଜ କୁମାର ନାମକ ଜଣେ ଇଞ୍ଜିନିୟର ଏନ୍ଟିଏର ହଜାରିବାଗ ସ୍ଥିତ ଟ୍ରଙ୍କ୍ରୁ ଚୋରି କରିଥିବା ପ୍ରଶ୍ନପତ୍ରର ଉତ୍ତର ଲେଖିଥିଲେ । ସେହିପରି ଗିରଫ ହୋଇଥିବା ତୃତୀୟ ଯୁବକ ଜଣକ ହେଲେ ଶଶିକାନ୍ତ ପାଶୱାନ ଓରଫ ଶଶି ଓରଫ ପାସୁ । ସେ ଜାମସେଦପୁର ଏନ୍ଆଇଟିର ପୂର୍ବତନ ଛାତ୍ର । କୁମାର ଓ ରକି ଭଳି ଶଶି ପ୍ରଶ୍ନପତ୍ର ଲିକ୍ର ଅନ୍ୟତମ ମାଷ୍ଟରମାଇଣ୍ଡ । ସିବିଆଇ କହିଛି ଯେ ଶଶି ହେଉଛି ପେପର ଲିକର ଅନ୍ୟତମ ମାଷ୍ଟରମାଇଣ୍ଡ ।
ବିହାର ପୁଲିସ୍ ଠାରୁ ପେପର ଲିକ ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ସିବିଆଇ ପୂର୍ବରୁ ହିଁ ପ୍ରଶ୍ନପତ୍ର ଚୋରି କରିଥିବା ପଙ୍କଜ କୁମାର ଓ ଚୋରିରେ ସହାୟତା କରିଥିବା ରାଜୁ ସିଂହଙ୍କୁ ଗିରଫ କରିଥିଲା । ସେହିପରି ଅନ୍ୟତମ ମାଷ୍ଟରମାଇଣ୍ଡ ରକି ମଧ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଛି । ଗୁରୁବାର ସିବିଆଇ ହଜାରିବାଗରେ ପଙ୍କଜ କୁମାରଙ୍କୁ ସହଯୋଗ କରିଥିବା ସୁରେନ୍ଦ୍ର ଶର୍ମା ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ, ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ସହ ଜଡ଼ିତ ୬ଟି ମାମଲାରେ ସିବିଆଇ ଇତି ମଧ୍ୟରେ ୨୧ ଜଣଙ୍କୁ ଗିରଫ କରିସାରିଲାଣି । ପୂର୍ବରୁ ଏହି ଲିଙ୍କରେ ୫ ଜଣ ଏମବିବିଏସ୍ ଛାତ୍ରଙ୍କୁ ଗିରଫ କରାଯାଇଥିଲା । ଏହି ମଡ୍ୟୁଲର ସଦସ୍ୟମାନେ ପ୍ରଶ୍ନପତ୍ର ପାଇବା ପରେ ଏହାର ସାମାଧାନ କରୁଥିଲେ । ଏହାପରେ ଉତ୍ତରଗୁଡ଼ିକୁ ନିଟ୍ ଆଶାୟୀଙ୍କୁ ଦେଉଥିଲେ ।










