13.1 C
Bhubaneswar
Monday, December 15, 2025
Homeଦେଶ ବିଦେଶବେଆଇନ୍ ବେଟିଂ ଆପ୍‌କୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ; ୨୫ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

ବେଆଇନ୍ ବେଟିଂ ଆପ୍‌କୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ; ୨୫ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ: ରାଣା ଦଗୁବଟୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ଭଳି ଷ୍ଟାର୍ ଅଭିନେତାଙ୍କ ସମେତ ଦେଶର ପ୍ରାୟ ୨୫ ଲୋକପ୍ରିୟ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେଲଙ୍ଗାନା ପୁଲିସ ଏସବୁ ବ୍ୟକ୍ତିବିଶେଷଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିବା ପରେ ଏମାନଙ୍କ ଗିରଫଦାରୀ ସମ୍ଭାବନା ସୃଷ୍ଟି ହୋଇଛି। ଏମାନଙ୍କ ବିରୋଧରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେବା ପରେ ତେଲେଙ୍ଗାନା ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି। ପ୍ରକାଶ, ମିୟାପୁର ଥାନାରେ ଦାୟର ହୋଇଥିବା ଏଫଆଇଆର୍‌ରେ ସାମିଲ ଥିବା ଏହି ୨୫ ସେଲିବ୍ରିଟିଙ୍କ ମଧ୍ୟରୁ ୬ ଜଣ ଟଲିଉଡ ଅଭିନେତା ସାମିଲ ଥିବା ବେଳେ ନିଧି ଅଗ୍ରୱାଲ, ପ୍ରଣିତାଙ୍କ ସମେତ ବାକି ୧୯ଜଣ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର।

ରିପୋର୍ଟ ଅନୁସାରେ ୩୨ ବର୍ଷୀୟ ବ୍ୟବସାୟୀ ଫନୀନ୍ଦ୍ର ଶର୍ମା ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ସେ ଏହି ୨୫ ସେଲିବ୍ରିଟିଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ଏମାନେ ବେଟିଂ ଆପ୍‌କୁ ପ୍ରମୋସନ କରିବା ଯୋଗୁ ସମାଜର ଯୁବଗୋଷ୍ଠୀ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ଏବଂ ନିଜ କଷ୍ଟ ଉପାର୍ଜିତ ଧନସମ୍ପତ୍ତିକୁ ଜୁଆ ଖେଳି ହରାଉଛନ୍ତି। ସେ ଗତ ୧୬ ତାରିଖରେ ତାଙ୍କ ସମ୍ପ୍ରଦାୟର କିଛି ଯୁବକମାନଙ୍କ ସହିତ ଆଲୋଚନା କରୁଥିବା ବେଳେ ଜାଣିବାକୁ ପାଇଥିଲେ ଯେ, ଅନେକ ଯୁବକଯୁବତୀ ଜୁଆ ଆପ୍‌ରେ ସେମାନଙ୍କର ଟଙ୍କା ନିବେଶ କରିବାକୁ ପ୍ରଭାବିତ ହୋଇଛନ୍ତି। ବିଶେଷକରି ଉପରୋକ୍ତ ସେଲିବ୍ରିଟିମାନେ ଯେଉଁସବୁ ବେଟିଂ ଆପ୍‌ର ପ୍ରମୋସନ୍ କରିଛନ୍ତି ସେସବୁ ଆପ୍‌ରେ ହିଁ ମୋଟା ଅଙ୍କର ଅର୍ଥ ଲଗାଇବାକୁ ଯୁବଗୋଷ୍ଠୀ ଇଚ୍ଛା ପ୍ରକାଶ କରିଛନ୍ତି। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ଏପରି ଆପ୍ ଏବଂ ପ୍ଲାଟଫର୍ମଗୁଡ଼ିକ ବ୍ୟାପକ ଆର୍ôଥକ କ୍ଷତି ଘଟାଉଛନ୍ତି, ବିଶେଷକରି ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ମଧ୍ୟରେ ଯେଉଁମାନେ ସହଜ ଟଙ୍କା ପାଇବାର ମିଥ୍ୟା ପ୍ରତିଶ୍ରୁତିରେ ପ୍ରଲୋଭିତ ହେଉଛନ୍ତି।

ଅନ୍ୟପକ୍ଷେ ଏହି ସେଲିବ୍ରିଟିମାନେ ବିଭିନ୍ନ ବେଟିଂ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ପାଇଁ ବହୁ ପରିମାଣର ଟଙ୍କା ଗ୍ରହଣ କରୁଛନ୍ତି। ତେବେ ଫନୀନ୍ଦ୍ର ଶର୍ମାଙ୍କ ଅଭିଯୋଗ ଆଧାରରେ ହାଇଦ୍ରାବାଦର ମିୟାପୁର ଥାନାରେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬ (ଡି)ସମେତ ଟିଏସ୍ ଗେମିଂ ଆଇନ ଏବଂ ଆଇଟି ଆଇନର ବହୁବିଧ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏଫଆଇଆରରେ ଅବୈଧ ବେଟିଂ କାର୍ଯ୍ୟକଳାପର ପ୍ରୋତ୍ସାହନକୁ ସମ୍ବୋଧିତ କରୁଥିବା ଧାରା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରକାଶ, ପ୍ରାୟ ସପ୍ତାହକ ପୂର୍ବରୁ ପଞ୍ଜାଗୁଟ୍ଟା ପୁଲିସ ମଧ୍ୟ ବେଟିଂ ଆପ୍‌କୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଇମ୍ରାନ ଖାନ, ହର୍ଷ ସାଇ, ଟେଷ୍ଟୀ ତେଜା, କିରଣ ଗୌଡ଼, ବିଷ୍ଣୁ ପ୍ରିୟା, ଶ୍ୟାମଳା, ରିତୁ ଚୌଧୁରୀ, ବଣ୍ଡାରୁ ଶେଷୟାନୀ ସୁପ୍ରିତା, ଅଜୟ, ସନୀ ଓ ସୁଧୀରଙ୍କ ସମେତ ୧୧ ଚଳଚ୍ଚିତ୍ର ସେଲିବ୍ରିଟି ଓ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking