24.1 C
Bhubaneswar
Friday, December 26, 2025
Homeଓଡିଶାରୋଗୀ ମୃତ୍ୟୁକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା; କଟକର ସମସ୍ତ ବେଆଇନ ହସ୍‌ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

ରୋଗୀ ମୃତ୍ୟୁକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା; କଟକର ସମସ୍ତ ବେଆଇନ ହସ୍‌ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ: କଟକରେ ବିନା ରେଜିଷ୍ଟ୍ରେସନରେ ଚାଲିଥିବା ଏକ ନିର୍ଦ୍ଦିଷ୍ଟ ହସ୍‌ପିଟାଲ ସମେତ ଅନ୍ୟ ହସ୍‌ପିଟାଲଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆରସି) ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦିଷ୍ଟ ହସ୍‌ପିଟାଲକୁ ବନ୍ଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଥିଲେ ବି ସ୍ୱାସ୍ଥ୍ୟ ବିଭାଗ କେବଳ ଚିଠି ଲେଖି ବସିପଡ଼ିଥିବାରୁ କମିଶନ କ୍ଷୋଭ ପ୍ରକାଶ କରିଛନ୍ତି । ଚିକିତ୍ସା ଅବହେଳାରୁ ଜଣେ ରୋଗୀ ମୃତ୍ୟୁକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ଏହି ମାମଲା ରୁଜୁ ହୋଇଛି । ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବାବଲପୁରର କିଶୋର ଚନ୍ଦ୍ର ଦାଶ(୪୭) ଏକ ସାମାନ୍ୟ ଦୁର୍ଘଟଣାର ଶିକାର ହୋଇ ଉକ୍ତ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କର ଠିକ୍ ଭାବେ ଚିକିତ୍ସା କରାଯାଇନଥିବାରୁ ସେ ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ୨୦୨୧ ଜୁଲାଇ ୯ତାରିଖରୁ ୨୦୨୧ ଜୁଲାଇ ୧୪ତାରିଖ ପର୍ଯ୍ୟନ୍ତ ତାଙ୍କର ସେହି ହସ୍‌ପିଟାଲରେ ଚିକିତ୍ସା ଚାଲିଥିଲା । ପ୍ରଥମ ଟେଷ୍ଟରେ ରୋଗୀଙ୍କର କୋଭିଡ୍ ନଥିବା ଜଣାପଡ଼ିଥିଲା । ମାତ୍ର ଦୁଇଦିନ ପରେ ତାଙ୍କୁ କୋଭିଡ୍ ହୋଇଛି ବୋଲି କହି ଡାକ୍ତରମାନେ କେହି ଛୁଇଁ ନଥିଲେ । ପୁନଶ୍ଚ ଏହି ହସ୍‌ପିଟାଲ ବିନା ରେଜିଷ୍ଟ୍ରେସନରେ ଚାଲୁଥିବା ଜଣାପଡ଼ିଥିଲା । ଏହାର ରେଜିଷ୍ଟ୍ରେସନର ଅବଧି ୨୦୧୫ରୁ ଶେଷ ହୋଇଯାଇଥିଲା । ଏହି ମାମଲାକୁ ନେଇ ଆଇନଜୀବୀ ନିଶିକାନ୍ତ ମିଶ୍ର ଓ ଶ୍ରୀ ଅଖଣ୍ଡ ମିଳିତ ଭାବେ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ମାମଲା ଦାୟର କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରି ଏହାର ଅନୁସନ୍ଧାନ କରିଥିଲା । ତେବେ ଏହି କମିଟି କିଶୋର ଦାଶଙ୍କ ଚିକିତ୍ସାରେ ଅବହେଳା ହୋଇନଥିବା ରିପୋର୍ଟ ଦେଇଥିଲେ । ମାତ୍ର ସମ୍ପୃକ୍ତ ହସ୍‌ପିଟାଲ ରେଜିଷ୍ଟ୍ରେସନ ଅବଧି ୨୦୧୫ରୁ ଶେଷ ହୋଇଯାଇଥିବା ଓ ଏହାର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନଥିବା ରିପୋର୍ଟରେ ଦର୍ଶାଯାଇଥିଲା । ପୁନଶ୍ଚ ହାଇକୋର୍ଟର ମାମଲା ବିଚାରାଧିନ ଥିବାରୁ ଉକ୍ତ ହସ୍‌ପିଟାଲ ସମେତ ଅନ୍ୟ ୧୧ ହସ୍‌ପିଟାଲ ବିରୋଧରେ କୌଣସି କାର୍ଯାନୁଷ୍ଠାନ ନେଇ ହେଉନାହିଁ ବୋଲି ଦର୍ଶାଇଥିଲେ । କିନ୍ତୁ ଆବେଦନକାରୀ କମିଶନଙ୍କୁ ଅବଗତ କରାଇଥିଲେଯେ, ହାଇକୋର୍ଟରେ ଏ ସଂକ୍ରାନ୍ତୀୟ ମାମଲା ବନ୍ଦ ହୋଇସାରିଛି । ଏହା ପରେ କମିଶନ ଏହି ହସ୍‌ପିଟାଲ ସମେତ ଅନ୍ୟ ହସ୍‌ପିଟାଲକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମ୍ପୃକ୍ତ ହସ୍‌ପିଟାଲରେ କୌଣସି ରୋଗୀଙ୍କୁ ଆଡମିଶନ ନ କରିବା ସହିତ ଯଦି କୌଣସି ରୋଗୀ ଥାନ୍ତି ସେମାନଙ୍କୁ ଅନ୍ୟ କୌଣସି ହସ୍‌ପିଟାଲକୁ ସ୍ତାନାନ୍ତର କରି ହସ୍‌ପିଟାଲକୁ ତୁରନ୍ତ ବନ୍ଦ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକ୍ରିୟାରେ ଯେପରି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତିି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking