ନାସିକ: ରାସ୍ତାରେ ଅଟକି ରହିଥିବା ଏକ ବସ୍କୁ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ କାର ଜୋରଦାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ନାସିକ ଜାତୀୟ ରାଜପଥର ନାରାୟଣଗାଓଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଜୁନାର ଗ୍ରାମର ସ୍ଥାୟୀ ବାସିନ୍ଦା ବୋଲି ସୂଚନା ମିଳିଛି।
ଏସପି ପଙ୍କଜ ଦେଶମୁଖ କହିଛନ୍ତି, ମହାରାଷ୍ଟ୍ର ପରିବହନ ବିଭାଗର ଏକ ବସ ମହାବଳେଶ୍ୱରରୁ ନାସିକ ଯାଉଥିଲା। ନାରାୟଣଗାଓଁ ନିକଟରେ ବସଟି ଖରାପ ହୋଇଯିବାରୁ ରାସ୍ତାପାର୍ଶ୍ୱରେ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ବାହାରକୁ ଆସି ବୁଲାବୁଲି କରୁଥିଲେ। ତେବେ ଏକ କାର ଦ୍ରୁତଗତିରେ ଆସୁଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟେମ୍ପୋ କାରଟିକୁ ଧକ୍କା ଦେଇଥିଲା। ଫଳରେ କାରଟି ବସ୍ ସହ ଆସି ଧକ୍କା ହୋଇଥିଲା। ଫଳରେ କାରରେ ଥିବା ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କାର ମାଲିକ ମଧ୍ୟ ସାମିଲ ଅଛନ୍ତି। ସେ କିଛି ଶ୍ରମିକଙ୍କୁ ନିଜ ଗାଡ଼ିରେ ପାଖ ଗାଁରେ ଛାଡ଼ିବାକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।