ଭୁବନେଶ୍ବର : କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଏକ ଲୋକପ୍ରିୟ ଯୋଜନା ‘କାଳିଆ’ରେ ହୋଇଥିବା ବ୍ୟାପକ କେଳେଙ୍କାରୀକୁ ଧରିଛନ୍ତି ସିଏଜି। ଏହି ଯୋଜନାରେ ନିୟମକୁ ମୋଡ଼ିମକଚି ଦିଆଯାଇଥିଲା। ଲକ୍ଷ ଲକ୍ଷ ଅଯୋଗ୍ୟଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରାଯାଇଥିଲା। ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି। ଅଯୋଗ୍ୟ ଓ ନକଲି ହିତାଧିକାରୀଙ୍କୁ ଚିହ୍ନଟ କରିବାରେ କୃଷି ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ମନଇଛା ବିଭିନ୍ନ ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା କରାଯାଇଥିଲା। ଯେଉଁ ଅଯୋଗ୍ୟ ହିତାଧିକାରୀମାନେ ଟଙ୍କା ପାଇଛନ୍ତି ସେମାନଙ୍କଠାରୁ ତାହା ତୁରନ୍ତ ଅସୁଲ କରିବା ଲାଗି ପଦକ୍ଷେପ ନେବାକୁ ସିଏଜି ସୁପାରିସ କରିଛନ୍ତି। ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୯ରୁ ୨୦୨୨ ମଧ୍ୟରେ ରାଜ୍ୟର ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ ୬୪୪୪.୩୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ୧୫.୯୧ ଲକ୍ଷ ହିତାଧିକାରୀ ଗୋଟିଏ କିସ୍ତି ବାବଦରେ ୭୩୧.୩୫ କୋଟି ଟଙ୍କା ପାଇଥିବା ବେଳେ ୮.୦୯ ଲକ୍ଷ ହିତାଧିକାରୀ ଦୁଇଟି କିସ୍ତି ବାବଦକୁ ୬୫୯.୪୯ କୋଟି ଟଙ୍କା ପାଇଛନ୍ତି। ତିନିଟି କିସ୍ତି ପାଇଥିବା ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୫୦୫୩.୪୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାରେ ୧୨.୭୨ ଲକ୍ଷ ଅଯୋଗ୍ୟଙ୍କୁ ଟଙ୍କା ଦିଆଯାଇଥିବା ସିଏଜି ଜଣାଇଛନ୍ତି। ସେମାନଙ୍କୁ କିସ୍ତି ଆକାରରେ ୭୮୨.୨୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। କେବଳ ଏସ୍ଇସିସି, ବାହନ, ଆଇଏଫ୍ଏମ୍ଏସ୍ ଓ ଏଚ୍ଆର୍ଏମ୍ଏସ୍ ସହ ‘କାଳିଆ’ ତଥ୍ୟକୁ ବିଶ୍ଳେଷଣ କରାଯିବା ପରେ ୨.୯୬ ଲକ୍ଷ ଅଯୋଗ୍ୟ ଥିବା ଜଣାପଡ଼ିଥିଲା। ପ୍ରଥମ କିସ୍ତିରେ ୫୧.୦୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୪.୦୮ ଲକ୍ଷ ଅଯୋଗ୍ୟ ଥିଲେ। ସେମାନଙ୍କୁ ୬୧୧.୯୧ କୋଟି ଟଙ୍କା ଦିଆଯାଇଥିଲା। କେବଳ ସେତିକି ନୁହେଁ, ୧୧,୯୭୨ ଜଣ ସରକାରୀ କର୍ମଚାରୀ, ବୃତ୍ତିଗତ କର ଓ ଆୟକର ଦେଉଥିବା ୧୭୯୪ ଜଣ ବ୍ୟକ୍ତି, କିଷାନ କ୍ରେଡିଟ୍ କାର୍ଡ ରଖିଥିବା ୪୮୮୦ ଜଣ ଅଯୋଗ୍ୟଙ୍କୁ ‘କାଳିଆ’ ଟଙ୍କା ଦିଆଯାଇଛି। ମାସକୁ ୧୦ ହଜାର ଟଙ୍କାରୁ ଅଧିକ ରୋଜଗାର କରୁଥିବା ୧୧,୯୦୨ ଜଣ, ପାଞ୍ଚ ଏକରରୁ ଅଧିକ ଜଳସେଚିତ ଜମି କିମ୍ବା ସାତ ଏକରରୁ ଅଧିକ ଦୋଫସଲି ଜମି ଥିବା ୫୪୩୫ ଜଣ ଅଯୋଗ୍ୟଙ୍କୁ ମଧ୍ୟ ‘କାଳିଆ’ ଟଙ୍କା ପ୍ରଦାନ କରାଯାଇଛି। ପେନ୍ସନ୍ ପାଉଥିବା ୧୦୭୪ ଜଣ, ଚାରିଚକିଆ ଏବଂ ଭାରୀ ଯାନ ଓ ଟ୍ରାକ୍ଟର ରଖିଥିବା ୫୧୪୫ ଜଣଙ୍କୁ ମଧ୍ୟ ‘କାଳିଆ’ ଟଙ୍କା ପ୍ରଦାନ କରାଯାଇଛି। ଏହି ସମସ୍ତ ବର୍ଗର ହିତାଧିକାରୀ ଯୋଜନା ନୟମ ଅନୁସାରେ ଟଙ୍କା ପାଇବାକୁ ଯୋଗ୍ୟ ନଥିଲେ ବୋଲି ସିଏଜି କହିଛନ୍ତି। ସିଏଜି ଜଣାଇଛନ୍ତି ଯେ ଏହି ଯୋଜନାରେ ଏଭଳି ୫୬,୬୧୩ ହିତାଧିକାରୀଙ୍କ ‘କାଳିଆ’ ଯୋଜନାରେ ଥିବା ନାମ ଓ ଏସ୍ଇସିସିରେ ଥିବା ନାମ ମେଳ ଖାଉନଥିଲା। ୨.୭୮ ଲକ୍ଷ ପରିବାରରେ ଏକାଧିକ ସଦସ୍ୟ ‘କାଳିଆ’ ଟଙ୍କା ପାଇଛନ୍ତି। କିସ୍ତି ରାଶି ପଠାଇବା ବେଳେ ନକଲି ବ୍ୟାଙ୍କ ଖାତା ବ୍ୟବହାର କରାଯାଇଥିଲା। ୧୩,୫୭୮ ହିତାଧିକାରୀଙ୍କ କ୍ଷେତ୍ରରେ ୬୪୭୭ଟି ବ୍ୟାଙ୍କ ଖାତାକୁ ଏକରୁ ଅଧିକ ଥର ବ୍ୟବହାର କରାଯାଇଥିଲା। ୭୧୦୧ଟି ଏଭଳି ବ୍ୟାଙ୍କ ଖାତା ଥିଲା ଯାହା ପ୍ରକୃତରେ ହିତାଧିକାରୀଙ୍କର ନଥିଲା। ‘କାଳିଆ’ ଯୋଜନାରେ ଏଭଳି ୧.୨୮ ଲକ୍ଷ ହିତାଧିକାରୀଙ୍କ ନାମ ଖାତାରେ ଥିବା ନାମଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ତେଣୁ ଅଯୋଗ୍ୟ ବ୍ୟକ୍ତିଙ୍କୁ ସେହି ଟଙ୍କା ଦିଆଯାଇଥିବା ଅନୁମାନ କରାଯାଉଛି। ଆବଶ୍ୟକ ତାଲିମ ଓ ଦକ୍ଷତା ବିକାଶ ନକରି ୧୪.୦୪ ଲକ୍ଷ ଭୂମିହୀନ କୃଷି ଶ୍ରମିକଙ୍କୁ ସମସ୍ତ ତିନିଟି କିସ୍ତି ପ୍ରଦାନ କରାଯାଇଥିଲା। ତେଣୁ ଯେଉଁ ଉଦ୍ଦେଶ୍ୟ ରଖି ଏହି ଯୋଜନା ପ୍ରଣୟନ କରାଯାଇଥିଲା ତାହା ସଫଳ ହୋଇନଥିଲା। ଟେଣ୍ଡର ଆହ୍ବାନ ନକରି ସିଏସ୍ଏମ୍ ଟେକ୍ନୋଲୋଜିକୁ ବିଭାଗ ଅଯଥା ଅନୁଗ୍ରହ ପ୍ରଦର୍ଶନ କରିଥିବା ସିଏଜି ଦର୍ଶାଇଛନ୍ତି। ସିଏଜି ଜଣାଇଛନ୍ତି ଯେ ଚାଷୀଙ୍କୁ ସମୃଦ୍ଧ କରିବା ଓ ସେମାନଙ୍କ ମଧ୍ୟରେ ଦାରିଦ୍ର୍ୟ ହ୍ରାସ କରିବା ଲାଗି ‘କାଳିଆ’ର ଛଅଟି କାର୍ଯ୍ୟକ୍ରମ ଆରମ୍ଭ କରିବାର ଯୋଜନା ଥିଲା। କିନ୍ତୁ ମାତ୍ର ଦୁଇଟି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଥିଲା। ଉପଯୁକ୍ତ ଯୋଜନା ନକରି ‘କାଳିଆ’ ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବାରୁ ସେଥିରେ ବ୍ୟାପକ ତ୍ରୁଟିବିଚ୍ୟୁତି ରହିଥିଲା। ହିତାଧିକାରୀ ଚିହ୍ନଟ ଓ ଚୟନ ପ୍ରକ୍ରିୟା ସମୟରେ ହିତାଧିକାରୀଙ୍କ ସଂଖ୍ୟା ବଢ଼ିବା ଯୋଜନା ପ୍ରକ୍ରିୟାରେ ସବୁଠୁ ବଡ଼ ଭୁଲ ଥିଲା। ଯୋଜନାର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ଦକ୍ଷତା ତାଲିମ ବିନା ହିତାଧିକାରୀଙ୍କୁ ଦ୍ବିତୀୟ କିସ୍ତି ଦିଆଯାଇଥିଲା। ସୂଚନା ପ୍ରଯୁକ୍ତି ପ୍ରୟୋଗ ବ୍ୟବସ୍ଥାରେ ମଧ୍ୟ ଅନେକ ତ୍ରୁଟି ଥିଲା। ବହୁ ଯୋଗ୍ୟ ହିତାଧିକାରୀ ‘କାଳିଆ’ କିସ୍ତି ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ସିଏଜି କହିଛନ୍ତି। କୃଷକ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ଜୀବନ ବୀମା ସହାୟତା ଏବଂ ‘କାଳିଆ’ ସ୍କଲାରସିପ୍ ଯୋଜନା ଆରମ୍ଭ ହେବାର ଦୁଇ ବର୍ଷରୁ ଅଧିକ ସମୟ ପରେ ମଧ୍ୟ କାର୍ଯ୍ୟକାରୀ କରାଯାଇନଥିଲା। ଏହି ଦୁଇ କାର୍ଯ୍ୟକ୍ରମରେ ଜଣେ ହେଲେ ହିତାଧିକାରୀ ଟଙ୍କାଟିଏ ମଧ୍ୟ ପାଇନାହାନ୍ତି।