ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ୯ ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ସେହିପରି ରାଜ୍ୟରେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଗଠନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ସେହିପରି କ୍ୟାବିନେଟ ଗୃହ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଅର୍ଥ ବିଭାଗ, ଏସସି ଏବଂ ଏସଟି ବିଭାଗ, ଷ୍ଟିଲ ବିଭାଗ, ଆଇଟି ବିଭାଗ, ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରୁ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର ଆଗାମୀ ୫ମ ଅଧିବେଶନ ଅନୁଷ୍ଠିତ ହେବା ସମ୍ପର୍କିତ ରହିଛି ।
ଗଠନ ହେବ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ-
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଓଡ଼ିଶା ପୋଲିସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି, ବିଭିନ୍ନ ବୋର୍ଡ ମାଧ୍ୟମରେ ପରିଚାଳିତ ହେଉଛି । ଏଥି ଯୋଗୁ ନିଯୁକ୍ତି ପରୀକ୍ଷାରେ ଅସ୍ଵାଭାବିକ ବିଳମ୍ବ ଏବଂ ଅନିୟମିତତା ଦେଖାଦେଇଛି । ତେଣୁ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଲାଗି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନାମରେ ଏକ ସ୍ଵତନ୍ତ୍ର ନିଯୁକ୍ତି ସଂସ୍ଥା ଗଠନ ହେବ । ଏହା ଗୃହ, ଅବକାରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ପୋଲିସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ । ପ୍ରଯୁକ୍ତିବିଦ୍ୟା ଦ୍ବାରା ପରିଚାଳିତ ପ୍ରକ୍ରିୟା ମାଧ୍ୟମରେ ଓଡ଼ିଶାର ସମସ୍ତ ୟୁନିଫର୍ମ ସେବାରେ ସମୟୋଚିତ, ସ୍ବଚ୍ଛ, ଦକ୍ଷ ଏବଂ ଯୋଗ୍ୟତା ଭିଭିକ ନିଯୁକ୍ତି ନିଶ୍ଚିତ କରିବା ଏହି ଆୟୋଗ ଗଠନ କରିବାର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ, ୨୦୨୫କୁ ପ୍ରଣୟନ କରିବାକୁ ମଞ୍ଜୁର କରାଗଲା ।
ଲଘୁ ଖଣି ଏବେ ନିଲାମ ନୁହେଁ ଲଟେରି-
ରାଜ୍ୟ ସରକାର, ସୈରାତ ଉତ୍ସ ଯୋଗାଣ, ଚାହିଦା ଶୃଙ୍ଖଳ ଏବଂ ଲଘୁ ଖଣିଜ ପଦାର୍ଥର ବର୍ତ୍ତମାନର ପରିସ୍ଥିତିକୁ ସମୀକ୍ଷା କରି ରାଜ୍ୟରେ ଖଣି ଲିଜ ଆବଣ୍ଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଏହି ନୂତନ ବ୍ୟବସ୍ଥା ଲଘୁ ଖଣିଜ ଉତ୍ସଗୁଡ଼ିକର ଆବଣ୍ଟନ ଏବଂ କାର୍ଯ୍ୟକ୍ଷମତାକୁ ତ୍ୱରାନ୍ଵିତ କରିବ । ଏହା ସହ ଯୋଗାଣ ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବ । ସୁଲଭ ମୂଲ୍ୟରେ ଲଘୁ ଖଣିଜ ଯୋଗାଣ ସୁନିଶ୍ଚିତ କରିବ । ଏତଦ ବ୍ୟତୀତ ଘରୋଇ ଜମି ଏବଂ IDCO ଲିଜ ପ୍ରାପ୍ତ ଜମିରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ସମୟରେ ଉତ୍ତୋଳିତ ଲଘୁ ଖଣିଜର ବିନିଯୋଗ ପାଇଁ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ସଂଶୋଧନରେ ବେଆଇନ ଲଘୁ ଖଣିଜ ଖଣିଜ ପଦାର୍ଥ ଚୋରା ଚାଲାଣକୁ ପ୍ରତିରୋଧ କରିବ । ଏହା ସହ ଏହାର ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣର ବ୍ୟବସ୍ଥା ରହିଛି । ଏହା ଆଧାରରେ କ୍ୟାବିନେଟର ଅନୁମୋଦନ ପରେ ଓଡିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ରେ ସଂଶୋଧନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରବୃତ୍ତି ବୃଦ୍ଧି-
ଅନୁସୂଚିତ ଜନଜାତି ଓ ଜାତି ଦର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଦାନ କରାଯାଉଥିବା ପ୍ରାକ ମାଟ୍ରିକ ଛାତ୍ରବୃତ୍ତି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଛାତ୍ରମାନଙ୍କ ପାଇଁ ଏହି ରାଶି ବାର୍ଷିକ ୧୦୫୦୦ ରୁ ୧୬୦୦୦ ଏବଂ ଛାତ୍ରୀମାନଙ୍କ ପାଇଁ ୧୧୦୦୦ ରୁ ୧୭୦୦୦ ବୃଦ୍ଧି କରିଛନ୍ତି । ଏହି ଛାତ୍ରବୃତ୍ତି ଶିଶୁବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ । Anwesha ଛାତ୍ରାବାସରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ ମାଟ୍ରିକ ଛାତ୍ରବୃତ୍ତି ବାର୍ଷିକ ୧୧୦୦୦ରୁ ୧୭୦୦୦କୁ ବୃଦ୍ଧି କରିଛନ୍ତି । ସେହିପରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପାଇଁ ମେସ ପରିଚାଳନା ଖର୍ଚ୍ଚ ମଧ୍ୟ ବୃଦ୍ଧି କରିଛନ୍ତି । ଏହି ଯୋଜନା ମାଧ୍ୟମରେ ପ୍ରତି ଛାତ୍ରଛାତ୍ରୀ ପିଛା ବାର୍ଷିକ ୧୧୦୦୦ରୁ ୧୬୦୦୦ ଛାତ୍ରଙ୍କ ପାଇଁ ଓ ୧୭୦୦୦ ଛାତ୍ରୀଙ୍କ ପାଇଁ ବୃଦ୍ଧି କରାଯାଇଛି । ଏହି ଛାତ୍ରବୃତ୍ତି ସଂଶୋଧନ ଦ୍ବାରା ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ଉନ୍ନତମାନର ଓ ପରିମାଣର ପୁଷ୍ଟିକର ଖାଦ୍ୟ ପାଇପାରିବେ । ଏହି ବଦ୍ଧିତ ଛାତ୍ରବୃତ୍ତି ୨୦୨୫-୨୬ ଶିକ୍ଷାବର୍ଷର ଡିସେମ୍ବର ମାସ ପହିଲାରୁ ଲାଗୁ ହେବ ।
ଅଧିକ ଦକ୍ଷ ଓ ପ୍ରଭାବଶାଳୀ ହେବ ଖଣିଜ ପ୍ରଶାସନ-
ଚୋରା ଚାଲାଣ ଓ ବେଆଇନ ଖଣି ଖନନ ଏବଂ ଖଣିଜ ପଦାର୍ଥର ଦଖଲ, ସଂରକ୍ଷଣ, ବାଣିଜ୍ୟ ଏବଂ ପରିବହନକୁ ନିୟନ୍ତ୍ରଣ ଏବଂ ଏହା ସହ ଜଡ଼ିତ ଉଦ୍ଦେଶ୍ୟ ପାଇଁ ଓଡ଼ିଶା ସରକାର ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ, ୨୦୦୭କୁ ଉଚ୍ଛେଦ କରିଛନ୍ତି । ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ ନିୟମାବଳୀ, ୨୦୨୫ ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ ନିୟମାବଳୀ, ୨୦୨୫ ରେ ‘ବିକଶିତ ଓଡ଼ିଶା’ର ବୃହତ୍ତର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବ୍ୟବସାୟ କରିବାର ସହଜତାକୁ ଆହୁରି ସୁଗମ କରିବ । ଖଣି ଲିଜଧାରୀଙ୍କୁ ଏକ ବାଧାମୁକ୍ତ ପରିବେଶ ଯୋଗାଇବାକୁ ଯୋଜନା କରାଯାଇଛି । ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ନିୟମାବଳୀ, ୨୦୨୫, ଓଡ଼ିଶା ଖଣିଜ ପଦାର୍ଥ (ଚୋରି, ଚୋରା ଚାଲାଣ ଓ ବେଆଇନ ଖଣି ଖନନ ନିବାରଣ ଏବଂ ଅଧିକାର(ଦଖଲ), ସଂରକ୍ଷଣ, ବାଣିଜ୍ୟ ଓ ପରିବହନ ନିୟନ୍ତ୍ରଣ) ନିୟମାବଳୀ, ୨୦୦୭ ତୁଳନାରେ ଅଧିକ ଦକ୍ଷ ଓ ପ୍ରଭାବଶାଳୀ ଖଣିଜ ପ୍ରଶାସନକୁ ସୁନିଶ୍ଚିତ କରିବ ।
ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ ଆଇନ ୨୦୨୪ର ସଂଶୋଧନ-
ରାଜ୍ୟରେ ସ୍ଥାୟୀ ବିକାଶ, ବ୍ୟବସାୟ ସୁଗମତା ଓ ପରିବେଶଗତ ଶାସନକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ ସଂଶୋଧନ ଆଇନ, ୨୦୨୪ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଦୃଢ଼ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ସଂଶୋଧନ ଆଇନ, ପରିବେଶଗତ ଶାସନକୁ ଉନ୍ନତ ଏବଂ ନିୟାମକ ପ୍ରକ୍ରିୟାକୁ ସୁଗମ ପାଇଁ ପ୍ରମୁଖ ପରିବର୍ତ୍ତନ ଆଣିବ । ଏହି ଆଇନର ବିକେନ୍ଦ୍ରୀକରଣ ମାଧ୍ୟମରେ ବ୍ୟବସାୟ କରିବାର ସୁଗମତା ଏବଂ ଉତ୍ତମ ଅନୁପାଳନକୁ ପ୍ରୋତ୍ସାହିତ କରିବ । ଏହା ପ୍ରଭାବଶାଳୀ ପ୍ରଦୂଷଣ ତଦାରଖ ଏବଂ ଜଳ ସମ୍ପଦର ସୁରକ୍ଷା ଉପରେ ଧ୍ୟାନ ଦେଇ ପରିବେଶଗତ ଶାସନକୁ ମଧ୍ଯ ସୁଦୃଢ଼ କରିବ ।
OSSS କ୍ୟାଡ଼ର ବର୍ଗର ପୁନର୍ଗଠନ-
ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ‘ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ସର୍ଭେୟର ବା Odisha Subordinate Statistical Surveyors Cadre)’ ବର୍ଗର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ରାଜ୍ୟର ସାଂଖ୍ୟକ ପ୍ରଣାଳୀକୁ ସୁଦୃଢ଼ ଓ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ତଥ୍ୟ ସୃଷ୍ଟି ସୁନିଶ୍ଚିତ କରିବା ଉଦ୍ଦେଶ୍ୟ । ଏହି ପୁନର୍ଗଠନର ଲକ୍ଷ୍ୟ ହେଉଛି ସେବାବର୍ଗକୁ ଆଧୁନିକ ରୂପ ଦେଇ ମଞ୍ଜୁରିପ୍ରାପ୍ତ ପଦବୀ ସଂଖ୍ୟା, ବେତନ ସ୍ତର ଓ ପଦୋନ୍ନତି ସୁଯୋଗଗୁଡ଼ିକୁ ପୁନଃବର୍ଦ୍ଧିତ କରି ଡିଜିଟାଲ ଉପକରଣ ମାଧ୍ୟମରେ ତଥ୍ୟ ସଂଗ୍ରହର ବର୍ଦ୍ଧିତ ଚାହିଦା ପୂରଣ କରିପାରୁଥିବା କ୍ଷମତାଶୀଳ କର୍ମୀଙ୍କୁ ଆକର୍ଷିତ କରିବା । ଗଣନା ଓ ସର୍ଭେ କାର୍ଯ୍ୟକୁ ନିର୍ଭୁଲ ଭାବରେ ସମୟ ଭିତ୍ତିରେ ସମ୍ପାଦନ କରିବା । ବିଭିନ୍ନ ଗଣନା ଓ ସର୍ଭେ କାର୍ଯ୍ୟର ସୁପରିଚାଳନା ପାଇଁ ପ୍ରତ୍ୟେକ ବ୍ଲକ ସ୍ତରରେ ଗୋଷ୍ଠୀ ପରିସଂଖ୍ୟାନ କାର୍ଯ୍ୟ।ଳୟ ପୂର୍ଣ୍ଣରୂପରେ କାର୍ଯ୍ୟକ୍ଷମ ପାଇଁ ବରିଷ୍ଠ ପରିସଂଖ୍ୟାନ କ୍ଷେତ୍ର ପରିଦର୍ଶକ(SSFI)କୁ ଗୋଷ୍ଠୀ ପରିସଂଖ୍ୟାନ ଅଧିକାରୀ ରୂପରେ ପୁନଃନାମିତ କରାଯାଇଛି ।










