27.9 C
Bhubaneswar
Saturday, April 11, 2026
Homeଦେଶ ବିଦେଶ‘ସିଏଏ’ ନାଗରିକତା ଅଧିକାର କ୍ଷୁର୍ଣ୍ଣ କରେନି: ୧୮୮ ହିନ୍ଦୁ ପ୍ରବାସୀଙ୍କୁ ନାଗରିକତା ପ୍ରମାଣପତ୍ର ବାଣ୍ଟିଲେ ଅମିତ...

‘ସିଏଏ’ ନାଗରିକତା ଅଧିକାର କ୍ଷୁର୍ଣ୍ଣ କରେନି: ୧୮୮ ହିନ୍ଦୁ ପ୍ରବାସୀଙ୍କୁ ନାଗରିକତା ପ୍ରମାଣପତ୍ର ବାଣ୍ଟିଲେ ଅମିତ ଶାହ

ଅହମ୍ମଦାବାଦ୍‌: ନାଗରିକତା ସଂଶୋଧନ ଆଇନ (ସିଏଏ), ନାଗରିକତା ଅଧିକାର କ୍ଷୁର୍ଣ୍ଣ କରେ ନାହିଁ ବରଂ ଏହା ଯୋଗ୍ୟ ହିତାଧିକାରୀଙ୍କୁ ନାଗରିକତା ପ୍ରଦାନ କରିଥାଏ । ରବିବାର ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୮୮ ଜଣ ପ୍ରବାସୀଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିବା ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଏପରି କହିଛନ୍ତି ।

ଶାହ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ନାଗରିକତା ପ୍ରଦାନ ସହିତ ଭାରତୀୟ ଶରଣାର୍ଥୀଙ୍କୁ ସମ୍ମାନ ଓ ନ୍ୟାୟ ପ୍ରଦାନ କରୁଛି । ଏହି ପରିପ୍ରେକ୍ଷୀରେ ଭୋଟ୍ ବ୍ୟାଙ୍କ ଓ ତୁଷ୍ଟୀକରଣ ରାଜନୀତି ପାଇଁ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ପ୍ରବାସୀଙ୍କୁ ଅବହେଳା କରିଥିବାରୁ ଶାହ ପୂର୍ବ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଥିଲେ । ସାରା ଦେଶରେ ସିଏଏ ଲାଗୁ କରିବା ପାଇଁ ମୋଦୀ ସରକାରଙ୍କ ପ୍ରତିଶ୍ରୁତିକୁ ସେ ଦୋହରାଇଥିଲେ । ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପୂର୍ବ ସରକାରଙ୍କ ତୁଷ୍ଟିକରଣ ନୀତି କାରଣରୁ ୧୯୪୭ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ଆଶ୍ରୟ ନେଇଥିବା ଲୋକଙ୍କୁ ଅଧିକାର ଏବଂ ନ୍ୟାୟ ମିଳିନଥିଲା । ଏହି ଲୋକମାନଙ୍କୁ କେବଳ ପଡ଼ୋଶୀ ଦେଶମାନଙ୍କରେ ନୁହେଁ, ବରଂ ଏଠାରେ ମଧ୍ୟ ନିର୍ଯାତନା ଭୋଗିବାକୁ ପଡ଼ୁଥିଲା । ଏହି ଲକ୍ଷ ଲକ୍ଷ ଲୋକ ତିନି ପିଢ଼ି ଧରି ନ୍ୟାୟ ପାଇଁ ଉତ୍କଣ୍ଠାର ସହ ଅପେକ୍ଷାରେ ଥିଲେ, କିନ୍ତୁ ବିରୋଧୀଙ୍କ ତୁଷ୍ଟିକରଣ ନୀତି କାରଣରୁ ସେମାନଙ୍କୁ ନ୍ୟାୟ ମିଳିନଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଲକ୍ଷ ଲକ୍ଷ ଓ କୋଟି କୋଟି ଲୋକଙ୍କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟ କରିଛନ୍ତି । ତତ୍କାଳୀନ ସରକାର ଏହି ଲୋକମାନଙ୍କୁ ନାଗରିକତ୍ୱ ପ୍ରଦାନ କରିନଥିଲେ କାରଣ ଏହା ସେମାନଙ୍କ ଭୋଟ ବ୍ୟାଙ୍କକୁ ଅସନ୍ତୁଷ୍ଟ କରିଥାଆନ୍ତା । ସେ କହିଥିଲେ ଯେ ତୁଷ୍ଟିକରଣ ନୀତି କାରଣରୁ ଏହି ଲକ୍ଷ ଲକ୍ଷ ଲୋକ ନାଗରିକତ୍ୱରୁ ବଞ୍ଚିତ ହୋଇଥିଲେ ଏବଂ ଏହାଠାରୁ ବଡ଼ ପାପ ଆଉ କିଛି ହୋଇନପାରେ ।

ଏହି ଅବସରରେ ଶାହ, ଅହମ୍ମଦାବାଦ ମ୍ୟୁନିସିପାଲ୍ କର୍ପୋରେସନର ୧୦୦୩ କୋଟି ଟଙ୍କା ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିଛନ୍ତି । ଯେଉଁଥିରେ ଅହମ୍ମଦାବାଦର ବୋଡକ ଦେବଠାରେ ଅକ୍ସିଜେନ ପାର୍କ, ଅହମ୍ମଦାବାଦର ମକ୍ରାବା ଅଞ୍ଚଳରେ ଜିମ୍ନାସିୟମ ଏବଂ ସୁଇମିଂ ପୁଲ୍ ଭଳି ପ୍ରକଳ୍ପ ଅନ୍ତର୍ଭୁକ୍ତ । ସେହିପରି ପ୍ରହ୍ଲାଦ ନଗରରେ ଆୟୋଜିତ ଏକ ସାଧାରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଏଏମ୍‌ସିର ଘରକୁ ଘର ବର୍ଜ୍ୟବସ୍ତୁ ସଂଗ୍ରହ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସିଏଏକୁ ନେଇ ବିରୋଧୀ ଦଳ ପକ୍ଷରୁ ଅପପ୍ରଚାର କରାଯାଉଥିବା ଏବଂ ଦେଶବାସୀଙ୍କୁ ଭ୍ରମିତ କରାଯିବା ପାଇଁ ଚାଲିଥିବା ଅପଚେଷ୍ଟା ସମ୍ପର୍କରେ ମଧ୍ୟ ଶାହ ଉଲ୍ଲେଖ କରିଥିଲେ । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking