ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବସ୍ତିରେ ଭୟଙ୍କର ସଡକ ଦୁର୍ଘଟଣା । ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । କୋତୱାଲି ପୋଲିସ ଷ୍ଟେସନ ଅଧୀନରେ ଥିବା ବସ୍ତି – ବରଗଡୱା ରୋଡର ହରଡିଆ ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ, ଆଜି ସକାଳେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ ଉଭୟ ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ବସ୍ତି ସନ୍ଥ କବୀର ନଗରରୁ ଆଜମେର ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସୂଚନା ପାଇବା ପରେ, ଜିଲ୍ଲା ମାଜିଷ୍ଟ୍ରେଟ୍, ପୋଲିସ ଅଧୀକ୍ଷକ ଏବଂ ପୋଲିସ ଉପ-ନିରୀକ୍ଷକ (ଡିଆଇଜି) ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ମୃତଦେହକୁ ହେପାଜତକୁ ନେଇ ଆହତଙ୍କୁ ହସ୍ପିଟାଲ ପଠାଉଛି ପୋଲିସ । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଉଚ୍ଚ ମେଡିକାଲକୁ ପଠାଯାଇଛି । ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।










