ଆନ୍ଧ୍ର ପ୍ରଦେଶ: ଆନ୍ଧ୍ର ପ୍ରଦେଶର ନାନ୍ଦୟାଲ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ଟ୍ରକ୍ ସହ ଧକ୍କା ହୋଇ ହୁତୁ ହୁତୁ ହୋଇ ଜଳି ଯାଇଛି ବସ୍। ଏହି ଅଗ୍ନିକାଣ୍ଡରେ ୩ ଜଣ ଜୀବନ୍ତଦଗ୍ଧ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ନାନ୍ଦୟାଲ ଜିଲ୍ଲା ସ୍ଥିତ ସିରିଭେଲାମେଟା ନିକଟରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ପୋଡି ଯାଇଥିବାରୁ ମୃତକମାନଙ୍କୁ ଚିହ୍ନଟ କରାଯାଇପାରିନାହିଁ। ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ଥ ବସ୍ଟି ଏଆରବିସିଭିଆର ପ୍ରାଇଭେଟ୍ ଟ୍ରାଭେଲ୍ସର ଗାଡ଼ି ବୋଲି ଚିହ୍ନଟ କରାଯାଇଛି। ବସ୍ଟି ୩୬ ଜଣ ଯାତ୍ରୀଙ୍କୁ ନେଇ ନେଲୋରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା। ରାତି ପ୍ରାୟ ୨ଟା ସମୟରେ ଶିରିଭେଲାମେଟ୍ଟା ଗାଁ ନିକଟରେ ବସ୍ଟି ଟାୟାର ଫାଟିଯିବାରୁ ନିୟନ୍ତ୍ରଣ ହରାଇ ଏକ ସାମ୍ନା ପଟୁ ଆସୁଥିବା କଣ୍ଟେନର ଟ୍ରକ୍ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ ବସ୍ଟିରେ ତୁରନ୍ତ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ବସ୍ ଡ୍ରାଇଭର, ଟ୍ରକ ଡ୍ରାଇଭର ଏବଂ କ୍ଲିନରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










