28.1 C
Bhubaneswar
Thursday, March 12, 2026
Homeଓଡିଶାଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍

ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍

ଭୁବନେଶ୍ୱର:  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଦିବାସୀ, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଶିକ୍ଷା, ଜୀବିକା ଓ ସାମାଜିକ ଉନ୍ନତିକୁ ଲକ୍ଷ୍ୟରେ ରଖି ବଜେଟ୍ ପ୍ରସ୍ତୁତ ହୋଇଥିବା ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏହି ବର୍ଷ ବିଭାଗ ପାଇଁ ସର୍ବମୋଟ ୬୬୪୯ କୋଟି ୩୩ ଲକ୍ଷ ୧୨ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିରେ ୫୪୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ଓ ୧୨୪୯ କୋଟିରୁ ଅଧିକ ପ୍ରଶାସନିକ ବ୍ୟୟ ଅନ୍ତର୍ଭୁକ୍ତ ରହିଛି । ଗତ ବର୍ଷର ବଜେଟ ତୁଳନାରେ ଏହା ପ୍ରାୟ ୩ ପ୍ରତିଶତ ବୃଦ୍ଧି ପାଇଛି । ବଜେଟର କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରୁ ୩୬୧୦ କୋଟି ଟଙ୍କା ରାଜ୍ୟ ସ୍ତରୀୟ ଯୋଜନା, ୧୯୦ କୋଟି ଟଙ୍କା କେନ୍ଦ୍ରସ୍ତରୀୟ ଯୋଜନା ଓ ୧୬୦୦ କୋଟି ଟଙ୍କା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ବରାଦ କରାଯାଇଛି । ଏହି ଯୋଜନାଗୁଡ଼ିକ ମୁଖ୍ୟତଃ ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତିଙ୍କ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତିକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇଛି ।

ଶିକ୍ଷା କ୍ଷେତ୍ରରେ ସରକାର ଛାତ୍ରଛାତ୍ରୀଙ୍କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି । ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ୨୦୯୪ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଓ କେନ୍ଦ୍ରୀୟ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଏହାର ଲାଭ ପାଇବେ । ଏହାସହିତ ପ୍ରାକ୍‌-ମାଟ୍ରିକ୍‌ ଛାତ୍ରବୃତ୍ତିର ରାଶି ବୃଦ୍ଧି କରାଯାଇ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସହାୟତା ଯୋଗାଯାଉଛି । ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ବର୍ତ୍ତମାନ ୧୭୬୫ଟି ବିଦ୍ୟାଳୟ କାର୍ଯ୍ୟ କରୁଛି, ଯାହାମଧ୍ୟରୁ ୧୬୧୫ଟି ଆବାସିକ ଓ ୧୫୦ଟି ଅଣଆବାସିକ ବିଦ୍ୟାଳୟ ଅଟେ । ଏହି ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୪ ଲକ୍ଷ ୩୮ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହାସହିତ ରାଜ୍ୟରେ ମୋଟ ୫୯୬୭ଟି ଛାତ୍ରାବାସ ଚାଲୁ ଅଛି ଯେଉଁଠାରେ ପ୍ରାୟ ୫ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ରହି ପଢ଼ୁଛନ୍ତି । ଛାତ୍ରଛାତ୍ରୀଙ୍କ ଖାଦ୍ୟ, ପାଠ୍ୟ ଉପକରଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ବଜେଟରେ ଅତିରିକ୍ତ ଅର୍ଥ ବରାଦ କରାଯାଇଛି । ଡ୍ରପ୍‌ଆଉଟ୍‌ ହାର କମେଇବା ପାଇଁ ସରକାର “ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା” ରେ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ଏହି ଯୋଜନା ପାଇଁ ବଜେଟରେ ୧୫୪ କୋଟି ଟଙ୍କା ବରାଦ କରାଯାଇଛି । ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ “ଅନ୍ୱେଷା ଯୋଜନା” ଅଧୀନରେ ୧୭ଟି ଜିଲ୍ଲାର ୧୬୩ଟି ବେସରକାରୀ ବିଦ୍ୟାଳୟରେ ପ୍ରାୟ ୨୦,୪୭୩ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏହି ଯୋଜନା ପାଇଁ ୧୫୮ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । ଏହାସହିତ “ଆକାଂକ୍ଷା ଯୋଜନା” ଅଧୀନରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଆବାସିକ ସୁବିଧା ଦିଆଯାଉଛି । ଆଦିବାସୀ ଅଞ୍ଚଳର ସମଗ୍ର ଉନ୍ନତି ପାଇଁ “ଧରତି ଆବା ଜନଜାତି ଗ୍ରାମ ଉନ୍ନତି ଅଭିଯାନ” ମାଧ୍ୟମରେ ରାଜ୍ୟର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକ ଓ ୭୬୬୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ମାଧ୍ୟମରେ ୧୦ ଲକ୍ଷରୁ ଅଧିକ ଜନଜାତି ପରିବାର ଉପକୃତ ହେବେ ।

ଏହି ଯୋଜନା ପାଇଁ ୩୨୫ କୋଟିରୁ ଅଧିକ ଟଙ୍କା ବରାଦ କରାଯାଇଛି । ସେହିପରି “ପିଏମ ଜନମନ” କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକାରେ ସୁଧାର ଆଣିବାକୁ ଲକ୍ଷ୍ୟ ରହିଛି । ରାଜ୍ୟର ୧୪ଟି ଜିଲ୍ଲାର ୧୭୫୧ଟି ଗ୍ରାମରେ ଏହା କାର୍ଯ୍ୟକାରୀ ହେଉଛି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ମାଧ୍ୟମରେ ଆଦିବାସୀ ପରିବାରମାନଙ୍କୁ କୃଷି, ପ୍ରାଣୀସମ୍ପଦ, ମାଛଚାଷ ଓ ଲଘୁ ଉଦ୍ୟୋଗ ମାଧ୍ୟମରେ ଜୀବିକା ବିକାଶ ପାଇଁ ସହାୟତା ଦିଆଯାଉଛି । ସାମାଜିକ ନ୍ୟାୟକୁ ସୁଦୃଢ଼ କରିବା ପାଇଁ ଅନୁସୂଚିତ ଜାତି ସହ ବିବାହକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସରକାର ପ୍ରତି ଦମ୍ପତିକୁ ୨ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏଥିପାଇଁ “ସୁମଙ୍ଗଳ” ନାମକ ଅନଲାଇନ ପୋର୍ଟାଲ ଆରମ୍ଭ କରାଯାଇଛି । ଶିକ୍ଷାର ଗୁଣାତ୍ମକ ଉନ୍ନତି, ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁବିଧା ଓ ଆଦିବାସୀ ଅଞ୍ଚଳର ସମଗ୍ର ବିକାଶକୁ ଲକ୍ଷ୍ୟ କରି ଏହି ବଜେଟ୍‌ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ରାଜ୍ୟର ଆଦିବାସୀ ଓ ପଛୁଆ ବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ହେବା ସହିତ ସମାବେଶୀ ଉନ୍ନତିର ଲକ୍ଷ୍ୟ ସାଧନରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking