27.1 C
Bhubaneswar
Friday, March 27, 2026
Homeଦେଶ ବିଦେଶବ୍ରିଟେନ୍ ନିର୍ବାଚନ: ୧୪ ବର୍ଷ ପରେ କ୍ଷମତାଚ୍ୟୁତ ହେଲା କଞ୍ଜରଭେଟିଭ୍ ପାର୍ଟି; ଲେବର ପାର୍ଟିର ଐତିହାସିକ...

ବ୍ରିଟେନ୍ ନିର୍ବାଚନ: ୧୪ ବର୍ଷ ପରେ କ୍ଷମତାଚ୍ୟୁତ ହେଲା କଞ୍ଜରଭେଟିଭ୍ ପାର୍ଟି; ଲେବର ପାର୍ଟିର ଐତିହାସିକ ବିଜୟ

– କିର ଷ୍ଟାର୍ମର ନୂଆ ବ୍ରିଟେନ୍ ପ୍ରଧାନମନ୍ତ୍ରୀ
– କିର୍‌ଙ୍କୁ ଶୁଭେଚ୍ଛା ଓ ସୁନକ୍‌ଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲଣ୍ଡନ୍‌: ବ୍ରିଟେନ୍ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । କଞ୍ଜରଭେଟିଭ୍ ପାର୍ଟିକୁ କ୍ଷମତାଚ୍ୟୁତ କରି ଲେବର ପାର୍ଟି ଏଥର ସରକାର ଗଠନ ପାଇଁ ଜନାଦେଶ ପାଇଛି । ବ୍ରିଟେନ୍ ସାଧାରଣ ନିର୍ବାଚନରେ ଏଥର ଲେବର ପାର୍ଟି ବିପୁଳ ସଂଖ୍ୟକ ଆସନ ଅକ୍ତିଆର କରିବାରେ ସଫଳ ହୋଇଛି । ରିପୋର୍ଟ ଅନୁସାରେ ବ୍ରିଟେନରେ ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମନ୍ସ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୩୨୬ । ଏଥିରୁ ଲେବର୍ ପାର୍ଟି ୪୧୦ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି । ସେପଟେ ସୁନକଙ୍କ ପାର୍ଟିକୁ ମାତ୍ର ୧୧୬ଟି ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ଦଳ ୧୧୧ଟି ଆସନ ପାଇଛନ୍ତି । ସିଧାଅର୍ଥରେ କହିଲେ ଲେବର ପାର୍ଟି ଏଥର ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସଫଳ ହୋଇଛି । ଫଳରେ ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନ୍‌ରୁ କ୍ଷମତାଚ୍ୟୁତ ହୋଇଛି କଞ୍ଜରଭେଟିଭ ପାର୍ଟି । ତେବେ ଋଷି ସୁନକ୍ କିନ୍ତୁ ବ୍ୟକ୍ତିଗତ ଭାବେ ଉତ୍ତର-ପୂର୍ବ ଇଂଲଣ୍ଡର ରିଚମୋଣ୍ଡ ଏବଂ ନର୍ଥାଲେରୋଟନ ଆସନ ବଜାୟ ରଖିବା ସହ ୪୭.୫% ଭୋଟ୍ ପାଇଛନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ୍ ଯୋଗେ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କୁ ବିଜୟ ଓ ସରକାର ଗଠନ ପାଇଁ ଶୁଭେଚ୍ଛା ଜଣାଇଥିବା ବେଳେ ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କୁ ମଧ୍ୟ ତାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ପାଇଁ ପ୍ରଶଂସା କରିଛନ୍ତି ।

ଦିନକ ପୂର୍ବେ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବା ବେଳେ ଭାରତୀୟ ସମୟ ଶୁକ୍ରବାର ଅପରାହ୍ନ ସୁଦ୍ଧା ଏଠାରେ ସ୍ପଷ୍ଟ ଫଳାଫଳ ଆସିଯାଇଥିଲା । ଫଳାଫଳ ସ୍ପଷ୍ଟ ହେବା ପରେ ବିଦାୟୀ ପ୍ରଧାନମନ୍ତ୍ରୀ ତଥା କଞ୍ଜରଭେଟିଭ୍ ପାର୍ଟି ନେତା ଋଷି ସୁନକ୍ ଆଜି ବ୍ରିଟେନ୍ ରାଜା କିଙ୍ଗ୍‌ସ ଚାର୍ଲସ ୩ୟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ଏବଂ ରାଜା ଚାର୍ଲସ୍ ମଧ୍ୟ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନେଇଛନ୍ତି । ଅନ୍ୟପକ୍ଷେ କିର୍ ଷ୍ଟାର୍ମରଙ୍କୁ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ବକିଂହାମ୍ ପ୍ୟାଲେସକୁ ଯାଇ କିର ଷ୍ଟାର୍ମର, ରାଜା ଚାର୍ଲସଙ୍କୁ ଭେଟିଥିଲେ ଏବଂ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ପରେ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ଲେବର ପାର୍ଟିର ନେତା କିର୍ ଷ୍ଟାର୍ମରଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କ ନିଯୁକ୍ତି ପତ୍ର ଉପରେ କିଙ୍ଗ୍‌ସ ଚାର୍ଲସ ତୃତୀୟ ସ୍ୱାକ୍ଷର କରିବା ସହ ଆଜି ଠାରୁ ସେ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଆରମ୍ଭ କରିଛନ୍ତି ।

ଇସ୍ତଫା ଦେବା ପୂର୍ବରୁ ଋଷି ସୁନକ୍ ୧୦ ଡାଉନ୍‌ିଂ ଷ୍ଟ୍ରିଟ୍ ଠାରେ ନିଜ ବିଦାୟୀ ଭାଷଣ ଦେଇଥିଲେ । ବ୍ରିଟେନବାସୀଙ୍କୁ ନୂଆ ସରକାରଙ୍କ ପାଇଁ ଶୁଭେଚ୍ଛା ଜଣାଇବା ସହ ସେ ଓ ତାଙ୍କ ଦଳ ଜନାଦେଶକୁ ସ୍ୱୀକାର କରୁଥିବା ସୁନକ୍ କହିଛନ୍ତି । ତେବେ ଦଳର ଏପ୍ରକାର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ଋଷି ସୁନକ୍ । ସେହିପରି ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ୬୧ ବର୍ଷୀୟ କିର୍ ଷ୍ଟାର୍ମର ମଧ୍ୟ ୧୦ ଡାଉନିଂ ଷ୍ଟ୍ରିଟ୍ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ପରିବର୍ତ୍ତନ ଏହି ଠାରୁ ଆରମ୍ଭ ହୋଇଛି । ତାଙ୍କ ପାଇଁ ପ୍ରଥମେ ଦେଶ ଓ ତା’ ପରେ ପାର୍ଟି । ସେ ଏହି ନୀତିରେ ବିଶ୍ୱାସ କରନ୍ତି ଏବଂ ଏହି ନୀତି ଅନ୍ତର୍ଗତ ହିଁ କାମ କରିବେ ।

ପ୍ରକାଶ, ୪୪ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ମଧ୍ୟ ସମଗ୍ର ଏସିଆ ମହାଦେଶରୁ ପ୍ରଥମ, ଯିଏକି ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୨୦୨୨ରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଋଷି ସୁନକ୍ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking