ରାଜନଗର: ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସୂର୍ଯ୍ୟଙ୍କ ରୌଦ୍ରତାପ ବୃଦ୍ଧି ପାଇବା ଆରମ୍ଭ ହେଲାଣି । କୋଇଲା ଧୂଆଁ ସ୍ଥାନୀୟ ଅଞ୍ଚଳର ପରିବେଶକୁ ପ୍ରଦୂଷିତ କରୁଥିବାରୁ ଲୋକମାନେ ବହୁ ମାରାତ୍ମକ ରୋଗର ଶିକାର ହେବାର ଆଶଙ୍କା ସୃଷ୍ଟି ହୋଇଛି। ରାଜନଗର ବ୍ଲକ ରାଜପୁର ପଞ୍ଚାୟତ ବାଲିଚନ୍ଦ୍ରପୁର, ଚନ୍ଦନପୁର, ରାଜପୁର ଓ ବନ୍ଧପଡା ପଞ୍ଚାୟତ ସନ୍ଥପଡା, ଗୋବିନ୍ଦପୁର, ଟାଙ୍ଗଣତୈଳା ଓ ଦାଣ୍ଡି ଗାଁ ନିକଟରେ ଶହଶହ ସଂଖ୍ୟାରେ ଗଢି ଉଠିଛି ବେଆଇନ ଇଟାଭାଟି। ଇଟା ବେପାରୀମାନେ ପ୍ରତିବର୍ଷ ଏହି ସମୟରେ ଇଟା ନିର୍ମାଣ କରି ବେଆଇନ ଭାବେ ଇଟାଭାଟି ପୋଡୁଥିବାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। କୋଇଲା ଧୂଆଁରେ ସ୍ଥାନୀୟ ଅଞ୍ଚଳ ପ୍ରଦୂଷିତ ହେବା ସହ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଥିବା ଅଭିଯୋଗ ହେଉଛି। ଏପରିକି ଉପକୂଳ ଅଞ୍ଚଳରେ ରାତିରେ ଅନ୍ୟତ୍ର ଥଣ୍ଡା ପବନ ପ୍ରବାହିତ ହେଉଥିବା ସମୟରେ ବ୍ରାହ୍ମଣୀନଦୀ ପଠାରେ ଗଢି ଉଠିଥିବା ଏହି ଇଟାଭାଟି ଯୋଗୁଁ ଅତ୍ୟଧିକ ବାୟୁ ପ୍ରଦୂଷିତ ହେଉଥିବା ଅଭିଯୋଗ ହେଉଛି । ଏହି ଇଟାଭାଟିଗୁଡିକ ଦିନରାତି ଜଳୁଥିବାରୁ ରାଜନଗର ବ୍ଲକର ଉପରୋକ୍ତ ଗ୍ରାମଗୁଡିକ ସହିତ ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର, ଡାମରପୁର ପ୍ରଭୃତି ଗାଁ ସହ ଆଳି ବ୍ଲକର କେତେକ ଗ୍ରାମର ଲୋକମାନେ ବହୁ ପରିମାଣରେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ରାଜସ୍ୱ ବିଭାଗର ଅଧିକାରୀ, ରାଜସ୍ୱ ସୁପରଭାଇଜର, ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ନାଁକୁ ମାତ୍ର ତଦନ୍ତ କରି ଫେରିଆସୁଥିବା ଅଭିଯୋଗ ହେଉଛି । ସରକାର ବେଆଇନ ଇଟାଭାଟି ଉପରେ କଟକଣା ଜାରୀ କରିଥିବା ବେଳେ ପ୍ରଶାସନ ଏହାକୁ ବନ୍ଦ ନକରିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ବେଆଇନ ଇଟାଭାଟି ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି।
ବେଧଡକ ପୋଡ଼ା ଚାଲିଛି ଇଟାଭାଟି










