26.1 C
Bhubaneswar
Friday, March 27, 2026
Homeଓଡିଶାଲେଖକ, ପାଠକ ଓ ପ୍ରକାଶକଙ୍କ ତ୍ରିବେଣୀ ସଙ୍ଗମ ହେଉଛି ପୁସ୍ତକ ମହୋତ୍ସବ: ସୁରମା ପାଢ଼ୀ

ଲେଖକ, ପାଠକ ଓ ପ୍ରକାଶକଙ୍କ ତ୍ରିବେଣୀ ସଙ୍ଗମ ହେଉଛି ପୁସ୍ତକ ମହୋତ୍ସବ: ସୁରମା ପାଢ଼ୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦ୍‌ଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ୬.୫ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଏଥିସହ ୧୨ ଦିନ ମଧ୍ୟରେ ବିଭିନ୍ନ ପ୍ରକାଶନ ସଂସ୍ଥା ପକ୍ଷରୁ ୧୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ଉନ୍ମୋଚିତ ହୋଇଛି।ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୁସ୍ତକ ମହୋତ୍ସବ ବୁଲି ଦେଖିବା ସହ ବାଚସ୍ପତି ଶ୍ରୀମତୀ ପାଢ଼ୀ ନିଜର ଅଭିଭାଷଣରେ କହିଥିଲେ ଯେ, “ପୁସ୍ତକ ମହୋତ୍ସବକୁ ଲେଖକ, ପାଠକ ଓ ପ୍ରକାଶକଙ୍କର ତ୍ରିବେଣୀ ସଙ୍ଗମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁସ୍ତକ ଅଜୟ ଓ ଅମର। ଆମ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାର ଏହି ଅଭିନବ ପ୍ରୟାସ ପାଇଁ ମୁଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ସାଧୁବାଦ ଜଣାଉଛି।”

ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରୀମତୀ ଯଶୋଧରା ମିଶ୍ର କହିଥିଲେ ଯେ, “ପୁସ୍ତକ ହେଉଛି ମାନବ ସଭ୍ୟତାର ଅମୂଲ୍ୟ ସମ୍ପଦ। ପୁସ୍ତକ ସମାଜର ଦର୍ପଣ। ପୁସ୍ତକ ବିନା ବିକଶିତ ସମାଜର କଳ୍ପନା ମଧ୍ୟ କରିହେବ ନାହିଁ। ଆଜିର ଜଗତୀକରଣ ଓ ଇଣ୍ଟରନେଟ୍ ଯୁଗରେ ପୁସ୍ତକ ନିଜ ପାଇଁ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଛି ଏବଂ ଯୁବପିଢ଼ି ମଧ୍ୟ ପୁସ୍ତକ କିଣିବା ଓ ପଢ଼ିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି।ଆଜି ଉଦ୍‌ଯାପନୀ ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ “ସାମନ୍ତ ଚନ୍ଦ୍ର ଶେଖର ପତ୍ରାବଳୀ”, “ବଳରାମ ଦାସ” “ଶିଶୁ ଅନନ୍ତ ଦାସ”, “ଯଶୋବନ୍ତ ଦାସ”, ଅନୁବାଦ ସାହିତ୍ୟ ପରିଷଦ ତରଫରୁ ସାନ୍ତାଳୀ ଭାଷାରେ ଅନୁଦିତ ପୁସ୍ତକ “ପିଲାଙ୍କ ଚିଠି ଓ ଆଇନ ଷ୍ଟାଇନଙ୍କ ଉତ୍ତର”, “ଲେଡ଼ି ଡ୍ରାଇଭର”, ଶ୍ରୀ ଗୋବିନ୍ଦଙ୍କ ଦ୍ୱାରା ଲିଖିତ ପୁସ୍ତକ “ସ୍ୱାସ୍ଥ୍ୟ ମନ୍ତ୍ର”, ବିଜୟ କୁମାର ଛାଟୋଇଙ୍କ ଲିଖିତ “କବିତାମାଳା”, ପ୍ରଭାତୀ ମିଶ୍ରଙ୍କ ରଚିତ “ଦ ଡ଼ାଇମଣ୍ଡ ଟ୍ରାଇଆଙ୍ଗେଲ”, କନକ ବାଳା ଦାସଙ୍କ ଲିଖିତ “ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ନାରୀ ଚରିତ୍ର” ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହ ଉଦ୍‌ଯାପନୀ ସମାରୋହରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଉପସ୍ଥିତ ଥିଲେ।ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଡିସେମ୍ବର ୬ ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ପୁସ୍ତକ ମହୋତ୍ସବର ମୁଖ୍ୟ ମଞ୍ଚ କବି ରମାକାନ୍ତ ରଥ ମଞ୍ଚ, ଭିତର ମଞ୍ଚ ବାଜି ରାଉତ ମଞ୍ଚ, ମୁଖ୍ୟ ପ୍ରବେଶ ଦ୍ୱାରକୁ ମା’ ରମାଦେବୀ ପ୍ରବେଶ ପଥ ଓ ଭିତର ପ୍ରବେଶ ଦ୍ୱାରକୁ ସନ୍ଥକବି ଭୀମଭୋଇ ପ୍ରବେଶ ପଥ ନାମରେ ନାମିତ କରାଯାଇଥିଲା। ଏଥିସହ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ଲୌହମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜୀବନୀ (ସର୍ଦ୍ଦାର@୧୫୦) ଉପରେ ଆଧାରିତ ଦୁଇଟି ଥିମ୍ ପାଭିଲିୟନ ନିର୍ମାଣ କରାଯାଇଥିଲା। ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଭାଗ ନେବା ସହ ୫୫୦ଟି ଷ୍ଟଲ ନିର୍ମାଣ ନିର୍ମାଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking