ସୋରଡ଼ା: ସୋରଡା ଥାନା କେଶରା ଗାଁ ନିକଟ କାଳୀମନ୍ଦିର ଛକ ନିକଟରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହୋଇଛି ବୋମା ମାଡ। ବୋମାମାଡ ଓ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣରେ ୪ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରମାନେ ହେଲେ କେଶରା ଗ୍ରାମର ଲକ୍ଷ୍ମଣ ନାହାକ, ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହାକ, ପ୍ରସନ ଗୌଡ଼। ସୂଚନା ମୁତାବକ କେଶରା ଗ୍ରାମର ପାଞ୍ଚ ଜଣ ବ୍ୟକ୍ତି ସୋରଡ଼ାରୁ କାମ ସାରି ନିଜ ଘରକୁ ତିନୋଟି ବାଇକ୍ରେ ଫେରୁଥିଲେ। ଏହି ସମୟରେ ସେହି ଗାଁର କିଛି ବ୍ୟକ୍ତି ପୂର୍ବଯୋଜନା କରି କାଳୀ ମନ୍ଦିର ଛକ ନିକଟରେ ଛକି ରହି ବାଇକ୍ ଆରୋହୀଙ୍କ ଉପରକୁ ପ୍ରଥମେ ତିନୋଟି ବୋମା ମାଡ଼ କରିଥିଲେ।
ବାଇକରୁ ପ୍ରଥମ ଆରୋହୀମାନେ ପଡିଯିବା ପରେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଅତର୍କିତ ଭାବେ ମରଣାସ୍ତ୍ରରେ ଆକ୍ରମଣ କରି ଚାଲିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାରି ଜଣ ଗୁରୁତର ହୋଇ ତଳେ ପଡିଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ôଚ ଗୁରୁତରଙ୍କୁ ଉଦ୍ଧାର କରିଥିଲା। ସମସ୍ତ ଗୁରୁତରଙ୍କୁ ପ୍ରଥମେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୂୁଲିସକୁ ଦେଖି ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ସୋରଡା ଥାନାଧିକାରୀ ଅନିଲ କୁମାର ପରିଡା ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।










