ଯାଜପୁର: ଯାଜପୁର ଜିଲ୍ଲା ଜଜ୍ କୋର୍ଟକୁ ବି ମିଳିଛି ବୋମା ଧମକ । ବୋମାରେ ଉଡାଇ ଦେବାକୁ ଇମେଲ୍ ମାଧ୍ୟମରେ ଆସିଛି ଧମକ । ଓଡିଆରେ ଆସିଛି ଧମକପୂର୍ଣ୍ଣ ମେଲ୍ । ବୋମା ଧମକ ପରେ କୋର୍ଟ ପରିସରରେ ପୋଲିସ ଛାଉଣୀ ଦେଖିବାକୁ ମିଳିଛି । ବମ୍ ଓ ଡଗ୍ ସ୍କ୍ୱାର୍ଡ ଦ୍ୱାରା ତଲାସୀ ଜୋରଦାର ହୋଇଛି । ଏହା ପୂର୍ବରୁ ଆଜି ସକାଳେ ରାଜ୍ୟର ତିନି କୋର୍ଟକୁ ମିଳିଥିଲା ବୋମା ଧମକ । ପୁରୀ ଜିଲ୍ଲା ଜଜ୍ କୋର୍ଟ, କଟକ ଜିଲ୍ଲା ଜଜ୍ କୋର୍ଟ ଏବଂ ଫୁଲବାଣୀ କୋର୍ଟକୁ ମିଳିଥିଲା ବୋମା ଧମକ । ସମସ୍ତ କୋର୍ଟ ପରିସରରେ ବର୍ତ୍ତମାନ ମଧ୍ୟ କୁକୁର ଓ ବୋମା ନିଷ୍କ୍ରିୟ ଦଳ ଦ୍ୱାରା ଚାଲିଛି ତଲାସୀ । କିଏ ଏବଂ କେଉଁଠାରୁ ଆସିଛି ବୋମା ଧମକ ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ଲଗାତାର ବୋମା ଧମକ ମିଳିବା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବଲୁପର ଜିଲ୍ଲା ଜଜ୍ କୋର୍ଟରେ ସୁରକ୍ଷା କଡାକଡି କରାଯାଇଛି । ବମ୍ ଓ ଡଗ୍ ସ୍କ୍ୱାର୍ଡ ଦ୍ୱାରା ତଲାସୀ ଜୋରଦାର ହୋଇଛି । ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସରେ ରାଜ୍ୟର ତିନି କୋର୍ଟକୁ ଆସିଥିଲା ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟ, ସମ୍ବଲପୁର ଜିଲ୍ଲା କୋର୍ଟ, ଦେବଗଡ଼ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଥିଲା । କିନ୍ତୁ ତଦନ୍ତ ପରେ ମିଥ୍ୟା ଧମକ ମିଳିଥିବା ପୋଲିସ ସୂଚନା ଦେଇଥିଲା ।










