ଶାରଜାହ: କେରଳର କୋଲ୍ଲମ ଜିଲ୍ଲାର ଜଣେ ୨୯ ବର୍ଷୀୟା ମହିଳା ଏବଂ ତାଙ୍କର ଏକମାତ୍ର କନ୍ୟା ସନ୍ତାନ (୧ବର୍ଷ)ଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶାରଜାହ ସ୍ଥିତ ଆପାର୍ଟମେଣ୍ଟର ନିଜ ଫ୍ଲାଟ୍ରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ନାମ ଅଥୁଲ୍ୟା ଶେଖର ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ନା ସତୀଶ । ସତୀଶ ମଧ୍ୟ କୋଲମ୍ ଜିଲ୍ଲାର ସ୍ଥାୟୀ ବାସିନ୍ଦା । ଉଭୟ ସ୍ୱାମୀ ସ୍ତ୍ରୀ ୟୁଏଇରେ ଥଇଥାନ ହୋଇସାରିଥିଲେ । ତେବେ ହଠାତ୍ ଅଥୁଲ୍ୟାଙ୍କ ମୃତ୍ୟୁଜନିତ ସମ୍ବାଦ ସାମ୍ନାକୁ ଆସିଛି । ଅଥୁଲ୍ୟାଙ୍କ ମା’ ପୁଲିସ୍ରେ ଅଭିଯୋଗ କରିଛନ୍ତି ଯେ, ୨୦୧୪ରେ ଉଭୟ ଅଥୁଲ୍ୟା ଏବଂ ସତୀଶଙ୍କ ମଧ୍ୟରେ ବିବାହ ହୋଇଥିଲା ।
ବିବାହ ସମୟରେ ସେମାନେ ସତୀଶଙ୍କୁ ୪୦ରୁ ଅଧିକ ସୁନା ଅଳଙ୍କାର ସହ ଏବଂ ୩ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ୍ ଦେଇଥିଲେ । ବାହାଘରର କିଛି ମାସ ସବୁ ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ପରେ ସତୀଶ ଏବଂ ତାଙ୍କ ଘରଲୋକେ ମିଳିତ ଭାବେ ଅଥୁଲ୍ୟାଙ୍କ ଉପରେ ଶାରୀରିକ, ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରିଦେଇଥିଲେ । ଅଥୁଲ୍ୟାଙ୍କ ଉପରେ ସତୀଶ ଏବଂ ତାଙ୍କ ଘର ଲୋକେ ଅଧିକ ଯୌତୁକ ଆଣିବାକୁ ଚାପ ପକାଉଥିଲେ । ଅଥୁଲ୍ୟାଙ୍କ ମା’ଙ୍କ କହିବାନୁସାରେ ଏସବୁ ସମ୍ପର୍କରେ ଅଥୁଲ୍ୟା ଅନେକ ଥର କହିଥିଲେ ମଧ୍ୟ ସେମାନେ ତାଙ୍କୁ ବୁଝାଇ ଶୁଝାଇ ଦିଅନ୍ତି । ଅଥୁଲ୍ୟାଙ୍କ ବାପଘର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ସତୀଶ ଏବଂ ସତୀଶଙ୍କର ବାପା, ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ପୂର୍ବକ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଅଥୁଲ୍ୟାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ସତୀଶ ତାଙ୍କ ଝିଅକୁ ୧୮ ଜୁଲାଇରୁ ୧୯ ଜୁଲାଇ ମଧ୍ୟରେ ଗଳାକାଟି ହତ୍ୟା କରିଛନ୍ତି ।










