ମୟୂରଭଞ୍ଜ: ପୋଲିସ ଏବଂ ପବ୍ଲିକ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତା ହ୍ରାସ କରି ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରି ଆସୁଛି ପୋଲିସ ବିଭାଗ। ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନାରେ। ଆଜି ଶୁଳିଆପଦା ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନେତୃତ୍ୱରେ ତଥା ବାରିପଦା ଏସଡିପିଓ ଦୀପକ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଏସପି ଦୀପକ କୁମାର ଗୋଚ୍ଛାୟତ , ସମ୍ମାନିତ ଅତିଥି ତଥା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଯୋଗଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ପୋଲିସ ସମିତି ସଦସ୍ୟ ଅଜିତ କୁମାର ରାଉତ,ରଣଜିତ ଧିର, ମୁରଲିଧର ମହାନ୍ତ, ଶିରିଶ ଚନ୍ଦ୍ର ବାରିକ, ଶଶିଧର ଟିପିରିଆ, କୋଷ୍ଠା ସରପଞ୍ଚ ସୁମିତ୍ରା ନାୟକକଣ୍ଟିସାହି ସରପଞ୍ଚ ରାୟମାତ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କ ୟୁନିଟ, କଲେଜ ଛାତ୍ରୀଛାତ୍ର, ସ୍ଥାନୀୟ ଲୋକେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କ ପାଇଁ ସବୁବେଳେ ଓଡିଶା ପୋଲିସ ସହଯୋଗ କରି ଆସିଛି ଏବଂ ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ପୋଲିସ ମଧ୍ୟ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଆସୁଛି ବୋଲି କହିଥିଲେ ଅତିରିକ୍ତ ଏସପି ଗୋଚ୍ଛାୟତ। ସେହିପରି ଜନସାଧାରଣଙ୍କ ସହିତ ମୟୂରଭଞ୍ଜ ପୋଲିସ ସର୍ବଦା ଉତ୍ତମ ଏବଂ ସହଯୋଗପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବା ପାଇଁ ସାମ୍ନାକୁ ଆସିଛି। ତେବେ ଶୁଳିଆପଦା ଥାନା ଅଧିକାରୀ ସତ୍ୟନାରାୟଣ ବଳଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିର ତାର ଏକ ଉଦାହରଣ ହୋଇଥିବା ବେଳେ ଅଞ୍ଚଳବାସୀ ଥାନା ଅଧିକାରୀଙ୍କ ଏଭଳି ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ। ଯାହା ଆଗାମୀ ଦିନରେ ପୋଲିସ ପବ୍ଲିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି।










