26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକେଜ୍ରିୱାଲ୍‌ଙ୍କୁ ବିଜେପିର ଶାଣିତ ପ୍ରଶ୍ନ; ଇସ୍ତଫା ଦେବା ପାଇଁ ୪୮ ଘଣ୍ଟା କାହିଁକି?

କେଜ୍ରିୱାଲ୍‌ଙ୍କୁ ବିଜେପିର ଶାଣିତ ପ୍ରଶ୍ନ; ଇସ୍ତଫା ଦେବା ପାଇଁ ୪୮ ଘଣ୍ଟା କାହିଁକି?

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମ୍ପର୍କରେ କେଜ୍ରିୱାଲ୍‌ଙ୍କ ଘୋଷଣା ଆସିବା ପରେ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଓ ବିଜେପିର ଦିଲ୍ଲୀ ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବା ଏବଂ ଅନ୍ୟ ନେତାମାନେ ମିଳିତ ଭାବେ କେଜ୍ରିୱାଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଜେପି ନେତାମାନେ କହିଛନ୍ତି, ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ରେ ଏବେ ଅନ୍ତର୍ବିବାଦ ଚାଲିଛି ଓ ଏହାକୁ ମୁଖିଆ କେଜ୍ରିୱାଲ ନିୟନ୍ତ୍ରଣ କରିପାରୁନାହାନ୍ତି । ଏହି କାରଣରୁ କେଜ୍ରିୱାଲ୍ ଏବେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେଜ୍ରିୱାଲ ଯେତେ ଶୀଘ୍ର ଇସ୍ତଫା ଦେବେ ସେତେ ଭଲ । ଦିଲ୍ଲୀର ଲୋକମାନେ ଏବେ ଯନ୍ତ୍ରଣା ଭୋଗୁଛନ୍ତି । ସେ ଇସ୍ତଫା ଦେବା ପରେ ଦିଲ୍ଲୀବାସୀ ଶାନ୍ତିରେ ନିଶ୍ୱାସ ମାରିପାରିବେ । କେଜ୍ରିୱାଲ୍ ଭାରତବର୍ଷର ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ରାଜନେତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଦୁର୍ନୀତି ଯୋଗୁ ରାଜଧାନୀର ଶାସନ ନୀତି ଭୁଶୁଡ଼ି ପଡ଼ିଥିବା ଉଭୟ ସୁଧାଂଶୁ ତ୍ରିବେଦୀ ଏବଂ ବୀରେନ୍ଦ୍ର ସଚ୍ଚଦେବା ଅଭିଯୋଗ କରିଛନ୍ତି । ସୁଧାଂଶୁ ତ୍ରିବେଦୀ କେଜ୍ରିୱାଲ୍‌ଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶ୍ନ ମଧ୍ୟ କରିଛନ୍ତି ।

ସୁଧାଂଶୁ କହିଛନ୍ତି, କେଜ୍ରିୱାଲ ଜେଲ୍‌ରେ ଥିବା ବେଳେ ଇସ୍ତଫା ଦେଇନଥିଲେ । କିନ୍ତୁ ଏବେ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ ବୋଲି କାହିଁକି ଘୋଷଣା କରିଛନ୍ତି? ଲୋକମାନେ ଏହି ୪୮ ଘଣ୍ଟାର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି । କାହିଁକି କେଜ୍ରିୱାଲ୍ ୪୮ ଘଣ୍ଟା ଚାହୁଁଛନ୍ତି ସ୍ପଷ୍ଟ ଭାବେ କହିବାର ସତ୍‌ସାହସ ଦେଖାନ୍ତୁ । କେଉଁ ବ୍ୟକ୍ତିଗତ କାମ ପାଇଁ ଆପଣ ୪୮ ଘଣ୍ଟାର ସମୟ ନେଇଛନ୍ତି? ତାଙ୍କ ଇସ୍ତଫା ଘୋଷଣା ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କେଜ୍ରିୱାଲ୍‌ଙ୍କ ଏପ୍ରକାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପଛରେ ସେ ଏବେ ଦିଲ୍ଲୀ ଆଗୁଆ ନିର୍ବାଚନ ଚାହୁଁଥିବା ସ୍ପଷ୍ଟ ହୋଇଛି । ସମ୍ଭବତଃ ଆପ୍ ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳକୁ କେଜ୍ରିୱାଲ୍ ସମ୍ଭାଳିପାରୁନାହାନ୍ତି । ନଚେତ୍ ଏପରି ଇସ୍ତଫା ଘୋଷଣା ପଛର କାରଣ କ’ଣ? କେଜ୍ରିୱାଲ ଏବେ ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ତାଙ୍କ ପାଖରେ ବିପୁଳ ବହୁମତ ରହିଛି । ଯଦି ସେ ନିର୍ବାଚନ ଚାହୁଁଛନ୍ତି, ତା’ହେଲେ କ୍ୟାବିନେଟ ମିଟିଂ ଡାକନ୍ତୁ । ବିଧାନସଭାକୁ ଭଙ୍ଗ କରନ୍ତୁ । ନିର୍ବାଚନ ପାଇଁ ଦାବି କରିବାର ମାନେ କିଛି ନାହିଁ । ସେହିପରି ଦିଲ୍ଲୀ ବିଜେପି ମୁଖ୍ୟ ସଚଦେବା କହିଛନ୍ତି, “କେଜ୍ରିୱାଲ କହୁଛନ୍ତି ସେ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ, ସେକଥା ଲୋକମାନେ ନିଷ୍ପତ୍ତି ନେବେ । ହେଲେ ଦିଲ୍ଲୀବାସୀ ୩ ମାସ ତଳୁ(ଲୋକସଭା ନିର୍ବାଚନ) ସେମାନଙ୍କ ରାୟ ଦେଇ ସାରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ସମୟରେ କେଜ୍ରିୱାଲ୍ ଦିଲ୍ଲୀର ଗଳି ଗଳି ବୁଲିଥିଲେ ଓ ଭୋଟ ମାଗିଥିଲେ । ଲୋକମାନେ ସେମାନଙ୍କ ଉତ୍ତର ଦେଇଛନ୍ତି ଓ ଆପଣଙ୍କୁ ନିଜ ସ୍ଥାନକୁ ପଠାଇ ଦେଇଛନ୍ତି । ପ୍ରକାଶ, ଲୋକସଭା ନିର୍ବାଚନରେ ଆପ୍ ସରକାର ଦିଲ୍ଲୀର ୭ଟି ଲୋକସଭା ଆସନରୁ ଗୋଟିଏ ଆସନରେ ମଧ୍ୟ ବିଜୟୀ ହୋଇପାରିନଥିଲା ।

ଅନ୍ୟପକ୍ଷେ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣାକୁ ଦିଲ୍ଲୀ କଂଗ୍ରେସ ମଧ୍ୟ ରାଜନୀତିକ ଷ୍ଟଣ୍ଟ ବୋଲି କହିଛି । ଦିଲ୍ଲୀ କଂଗ୍ରେସ ମୁଖିଆ ଦେବେନ୍ଦ୍ର ଯାଦବ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲଙ୍କ ପାଖରେ କୌଣସି କ୍ଷମତା ନଥିବାରୁ ସେ ଇସ୍ତଫା କଥା ଘୋଷଣା କରିଛନ୍ତି । ସେ ସୁପ୍ରିମକୋର୍ଟଙ୍କ ଜାମିନ ସର୍ତ୍ତରେ ବନ୍ଧା । ଏଥିରେ ଆଉ କିଛି ନାହିଁ । ଏହାର ପ୍ରଭାବ ଆସନ୍ତା ବିଧାନସଭା ନିର୍ବାଚନ ଉପରେ କୌଣସି ପ୍ରକାରରେ ପଡ଼ିବ ନାହିଁ । ଏବେ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି । ତେବେ ବିଳମ୍ବରେ ହେଉ ପଛେ କେଜ୍ରିୱାଲ୍ ଠିକ ନିଷ୍ପତ୍ତି ନେଇଛନ୍ତି । ଯଦି ସେ ଦିଲ୍ଲୀର ବନ୍ୟା ଓ ଜଳ ସଙ୍କଟ ବେଳେ ଇସ୍ତଫା ଦେଇ ଥାଆନ୍ତେ, ତା’ହେଲେ ଭଲ ହୋଇଥାଆନ୍ତା । ଦିଲ୍ଲୀ ଖୁବଶୀଘ୍ର (ବିଧାନସଭା ନିର୍ବାଚନ ପରେ) ଗୋଟିଏ ନୂଆ ମୁଖ୍ୟମନ୍ତ୍ରୀ ପାଇବ ବୋଲି ଆଶା କରାଯାଉଛି । ନୂଆ ମୁଖ୍ୟମନ୍ତ୍ରୀ ଅନ୍ତତଃ ଅଫିସ ଯାଇପାରିବେ ଓ ଫାଇଲରେ ଦସ୍ତଖତ କରିପାରିବେ । ପ୍ରକାଶ, ଲୋକସଭା ନିର୍ବାଚନରେ ଆପ୍ ଓ କଂଗ୍ରେସ ଏକାଠି ଲଢ଼ିଥିଲେ । ଜାତୀୟସ୍ତରରେ ଆପ୍ ଏବେ ବି ଇଣ୍ଡି ମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ରହିଛି । କିନ୍ତୁ ହରିଆଣା, ପଞ୍ଜାବ ଏବଂ ଦିଲ୍ଲୀ ଭଳି ରାଜ୍ୟରେ ଆପ୍ ଆସନ ଭାଗବଣ୍ଟାକୁ ନେଇ କଂଗ୍ରେସ ଠାରୁ ଦୂରତା ରକ୍ଷା କରିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking