24.1 C
Bhubaneswar
Sunday, December 7, 2025
Homeଓଡିଶାସେବା ପକ୍ଷକୁ ଉତ୍ସାହର ସହ ପାଳନ କରିବ ବିଜେପି : ଡ. ଯତୀନ ମହାନ୍ତି

ସେବା ପକ୍ଷକୁ ଉତ୍ସାହର ସହ ପାଳନ କରିବ ବିଜେପି : ଡ. ଯତୀନ ମହାନ୍ତି

ଭୁବନେଶ୍ୱର: ସେବା ହିଁ ପରମ ଧର୍ମକୁ ଚରିତାର୍ଥ କରିବାକୁ ଯାଇ ସମାଜର ଗରିବ, ଶୋଷିତ ବର୍ଗର ଉତ୍‌ଥାନ ନିମନ୍ତେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ନିରନ୍ତର ସେବା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ମୋଦିଜୀ ସାରା ବିଶ୍ୱରେ ଭାରତକୁ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିଛନ୍ତି । ଦେଶ ପାଇଁ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ ସେବା ଦିବସ ଭାବେ ପାଳନ କରଯିବା ସହ ଉକ୍ତ ଦିନରୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ସେବା ପକ୍ଷ ଭାବେ ପାଳନ କରା ଯାଏ । ଚଳିତବର୍ଷ ମୋଦିଜୀଙ୍କ ୭୫ତମ ଜନ୍ମଦିନ ପଡ଼ଥିବାରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦଳ ପକ୍ଷରୁ ଉତ୍ସାହର ସହ ସେବା ପକ୍ଷ ପାଳନ କରାଯିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି ।

ଡ. ମହାନ୍ତି କହିଛନ୍ତି ଯେ, ସେବାପକ୍ଷ ଉପଲକ୍ଷେ ୧୭ରେ ରାଜ୍ୟସ୍ତରୀୟ, ୧୮ରେ ଜିଲ୍ଲାସ୍ତରୀୟ ଓ ୧୯ରୁ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ମଣ୍ଡଳସ୍ତରରେ ସ୍ୱଚ୍ଛତା ଅଭିଯାନ ଓ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ଅବସରରେ ବିଭିନ୍ନ ପିଏଚ୍‌ସି, ସିଏଚ୍‌ସି, ମେଡିକାଲ କଲେଜ ଓ ଘରୋଇ ଡାକ୍ତରଖାନାରେ ମାଗଣା ସ୍ୱାସ୍ଥ୍ୟ ଶିିବିର ଆୟୋଜନ କରାଯିବ । ୧୭ରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନ ଉପରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ, ୧୮ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ କରାଯିବ । ଏହି ପ୍ରଦର୍ଶନୀ ସାଙ୍ଗରେ ଭୋକାଲ ଫର ଲୋକାଲର ପ୍ରଚାର କରାଯିବ । ସ୍ଥାନୀୟ ଉତ୍ପାଦ, ହସ୍ତଶିଳ୍ପ ଏବଂ ପାରମ୍ପରିକ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ସ୍ୱତନ୍ତ୍ର ମେଳା ଓ ପ୍ରଦର୍ଶନୀ କରାଯିବ । ବିକଶିତ ଭାରତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ।୧୯ ଓ ୨୦ ସେପ୍ଟେମ୍ବରରେ ଜିଲ୍ଲାସ୍ତରୀୟ ପ୍ରବୁଦ୍ଧ ବର୍ଗ ସମ୍ବାଦ, ମୋଦିଜୀଙ୍କ ଜୀବନୀ ଉପରେ ଫିଲ୍ମ ପ୍ରଦର୍ଶନ କରାଯିବ । ୧୯ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ପାଠାଗାର ଓ ପଂଚାୟତ ଭବନରେ ମୋଦିଜୀଙ୍କ ଜୀବନୀ ଉପରେ ପୁସ୍ତକ ବଂଟନ କରାଯିବ । ଜାତୀୟ ଉପକୂଳ ଦିବସ ଅର୍ଥାତ୍ ସେପ୍ଟେମ୍ବର ୨୦ରେ ସମୁଦ୍ର ଉପକୂଳଠାରେ ସ୍ୱଚ୍ଛତା ଅଭିଯାନ କରାଯିବ । ୨୧ ସେପ୍ଟେମ୍ବରରେ ମୋଦି ବିକାଶ ମାରାଥନ କାର୍ଯ୍ୟକ୍ରମ କରାଯିବ । ସେପ୍ଟେମ୍ବର ୨୫ରେ ବିଜେପିର ବିଚାର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀ ରାଜ୍ୟ, ଜିଲ୍ଲା ଓ ବୁଥ୍‌ସ୍ତରରେ ଆୟୋଜନ କରାଯିବ । ସେପ୍ଟେମ୍ବର ୨୫ ଓ ୨୬ରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଷ୍ଠିତ ବ୍ୟକ୍ତି ଓ ଦିବ୍ୟାଙ୍ଗଜନମାନଙ୍କୁ ସମ୍ମାନିତ କରାଯିବ । ଅକ୍ଟୋବର ୨ରେ ମହାତ୍ମାଗାନ୍ଧୀ ଓ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅନୁଷ୍ଠିତ ହେବ । ଏଥିସହ ସାଂସଦ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି ।

ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ସମ୍ପାଦକ ଅରବିନ୍ଦ ମେନନ୍‌, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦାଧିକାରୀ, ମୋର୍ଚ୍ଚା ଓ ପ୍ରକୋଷ୍ଟ ସଂଯୋଜକ, ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା କମଟି ସଦସ୍ୟମାନେ ଉପସ୍ଥିତ ଥିଲେ । ସେବା ପକ୍ଷକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଆଗାମୀ ଦିନରେ ଜିଲ୍ଲା ଓ ମଣ୍ଡଳସ୍ତରରେ ଏଭଳି କର୍ମଶାଳା ଆୟୋଜନ କରାଯିବ ବୋଲି ଡ. ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking