13.1 C
Bhubaneswar
Sunday, December 7, 2025
Homeଓଡିଶାସରକାରରେ ସବୁ ତନ୍ତ୍ରକୁ କରାୟତ ଉଦ୍ୟମରେ ବିଜେପି : ଭକ୍ତ

ସରକାରରେ ସବୁ ତନ୍ତ୍ରକୁ କରାୟତ ଉଦ୍ୟମରେ ବିଜେପି : ଭକ୍ତ

ଭୁବନେଶ୍ୱର: ଜର୍ମାନୀ ପରି ଭାରତୀୟ ଗଣତନ୍ତ୍ରରେ ମଧ୍ୟ ସମାନୁପାତିକ ପ୍ରତିନିଧିତ୍ବ ବ୍ୟବସ୍ଥା କରି ସହମତିଭିତ୍ତିକ ସରକାର ଆଡ଼କୁ ଗତି କରିବା ବଦଳରେ ଓଲଟା କେନ୍ଦ୍ର ସରକାର ହାତରେ ସମସ୍ତ କ୍ଷମତା ଠୁଳକରି ଭାରତକୁ ଏକ ନବ୍ୟ ଫାସିବାଦୀ ରାଷ୍ଟ୍ରରେ ପରିଣତ କରିବା ଚେଷ୍ଟା ଚାଲିଛି। ଭୋଟଦାନ ପ୍ରକ୍ରିୟାରେ ସଂଶୋଧନ ଆଣି ବ୍ୟବସ୍ଥାକୁ ସଂସ୍କାରିତ କରିବା ପରିବର୍ତ୍ତେ ରାଜ୍ୟଗୁଡ଼ିକୁ ଦୁର୍ବଳ କରି ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚେଷ୍ଟା ଚାଲିଛି ବୋଲି ବିଶିଷ୍ଟ ସମାଜ ବିଜ୍ଞାନୀ ପ୍ରାଧ୍ୟାପକ ବିଜୟ ବହିଦାର ମତବ୍ୟକ୍ତ କରିଛନ୍ତି। ଗତ ବୁଧବାର ସଂସଦରେ ସମ୍ବିଧାନର ୧୩୦ତମ ସଂଶୋଧନ ବିଲ୍ ଆଗତ ପରିପ୍ରେକ୍ଷୀରେ ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ “ସଂସଦୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ଉପରେ ପଦାଘାତ” ଶୀର୍ଷକ ଆଲୋଚନା ସଭାରେ ବିଶିଷ୍ଟ ଆଲୋଚକ ଭାବେ ଯୋଗଦେଇ ଶ୍ରୀ ବହିଦାର କହିଲେ, ଏବେ ରାଜ୍ୟ ମାନଙ୍କର ସ୍ୱାୟତ୍ତତା ନାହିଁ। ତଥାକଥିତ ଡବଲ ଇଞ୍ଜିନ ସରକାରରେ ରାଜ୍ୟ ଗୁଡିକର ସ୍ଥିତି ଆହୁରି ଖରାପ । ଏଥିରେ ପୁଣି କେନ୍ଦ୍ରୀୟ କାର୍ଯ୍ୟପାଳିକା କ୍ଷମତା ଆହୁରି ବୃଦ୍ଧି କରିବା ପାଇଁ ଏହି ସମ୍ବିଧାନ ସଂଶୋଧନ ଅଭିପ୍ରେତ ।

ଭାରତୀୟ ସମ୍ବିଧାନ କାର୍ଯ୍ୟପାଳିକାକୁ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ କରିଥିବା ବେଳେ ଏହି ସମ୍ବିଧାନ ସଂଶୋଧନ ବିଲ ଆଇନରେ ପରିଣତ ହେଲେ ନ୍ୟାୟପାଳିକାକୁ ଆଡେଇ କାର୍ଯ୍ୟପାଳିକା ସର୍ବେସର୍ବା ହୋଇଯିବ । ପୁଲିସ, ଇଡି, ସିବିଆଇକୁ ହାତ କରି କେନ୍ଦ୍ରୀୟ କାର୍ଯ୍ୟପାଳିକା ଯାହାକୁ ଚାହିଁବ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ୩୦ ଦିନ ଜେଲରେ ରଖିବା କଷ୍ଟସାଧ୍ୟ ନୁହେଁ। ଫଳରେ ପ୍ରତିପକ୍ଷ ରାଜନେତାଙ୍କୁ ଜେଲରେ ପୂରାଇ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ପଦରୁ କେନ୍ଦ୍ର ଅତି ସହଜରେ ତଡି ପାରିବ । କାଳେ ବିଜେପିକୁ ଏହି ଆଇନ ସୁହାଇବା ଭଳି ଧାରଣା ସୃଷ୍ଟି ହେବ, ପ୍ରଧାନମନ୍ତ୍ରୀ ପଦବୀକୁ ମଧ୍ୟ ଏହି ଆଇନର ପରିସରଭୁକ୍ତ କରାଯାଇଛି। କିନ୍ତୁ ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥା ବିଜେପି ଅମଳରେ ପ୍ରଧାନମନ୍ତ୍ରୀଙ୍କ ବଚସ୍କର ସାଜିଥିବାରୁ ତାଙ୍କୁ ଗିରଫ କରିବା ଏକରକମ ଅସମ୍ଭବ ଅଟେ । ଯଦି ବିଜେପିରେ ଯୋଗ ଦେଉଥିବା ବିପକ୍ଷ ନେତାଙ୍କୁ ମଧ୍ୟ ସରକାର ଗିରଫ କରି ଜେଲରେ ପୂରାଉଥାନ୍ତେ, ସାଧୁ ଉଦ୍ଦେଶ୍ୟରେ ଏହି ବିଲ ଅଣାଯାଇଛି ବୋଲି ପ୍ରମାଣ ହୋଇଥାନ୍ତା। କିନ୍ତୁ ଏହି ବିଲର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସଂଘୀୟ ବ୍ୟବସ୍ଥାକୁ ନିପାତ କରି ପ୍ରଭୁତ୍ୱବାଦୀ ନବ୍ୟ ଫାସିଵାଦାର ଉନ୍ନେଷ କରିବା । ମୂଳରୁ ହିଁ ଆରଏସଏସ ସଂଘୀୟ ବ୍ୟବସ୍ଥାକୁ ବିରୋଧ କରି ଆସିଥିବା ବେଳେ ବିଜେପି ରାଷ୍ଟ୍ରପତୀୟ ପ୍ରଧାନ ବ୍ୟବସ୍ଥା ସପକ୍ଷରେ ରହି ଆସିଛି । ଏହାକୁ କଂଗ୍ରେସ ଦଳ ନେତୃତ୍ୱରେ ମିଳିତ ବିରୋଧୀ ଦଳ ଦୃଢ ବିରୋଧ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ସଭାପତିଙ୍କ ଅଭିଭାଷଣରେ ଶ୍ରୀ ଦାସ ଭାରତବର୍ଷର ସବୁ ତନ୍ତ୍ରକୁ କେନ୍ଦ୍ର ଅକ୍ତିଆର କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନାମରେ ସବୁ ଥାନାରେ ଏତଲା ଦେବା ପରି ଆଗକୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଏହି କଳା ବିଧେୟକକୁ କଂଗ୍ରେସ ବିରୋଧ କରିବ ବୋଲି ସେ କହିଥିଲେ । ଏମିତିରେ ବିପକ୍ଷ ଦଳର ନେତାଙ୍କୁ ଗିରଫ କରିବାର ଯେଉଁ ମାନସିକତା ବିଜେପିର ରହିଛି ତାକୁ ଆୟୁଧ କରି ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ତଡିବା ପାଇଁ ବାଟ ପରିଷ୍କାର କରାଯାଉଛି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ । ଗାନ୍ଧୀ, ନେହେରୁ ଦେଶର ସ୍ୱାଧୀନତା ସଂଗ୍ରାମର ପୁରୋଭାଗରେ ଥିବାରୁ ଏବେ ସ୍କୁଲ ପାଠ୍ୟକ୍ରମରେ ଦେଶ ବିଭାଜନକୁ ଆଗକୁ ଆଣିବାକୁ ଚକ୍ରାନ୍ତ କରୁଛି ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ସମ୍ବିଧାନ ଉପରେ ଶାସକ ଦଳର ଏହି ଶକ୍ତ ପ୍ରହାରକୁ ବିରୋଧୀ ଦଳ ମାନେ କିପରି ମୁକାବିଲା କରିବେ, ସେ ନେଇ ଗଭୀର ଚିନ୍ତନର ଆବଶ୍ୟକତାର ରହିଛି ବୋଲି ସେ କହିଥିଲେ । ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଓ ବିଭୁତି ଭୂଷଣ ମିଶ୍ର, ପିସିସି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଜିଆ ଉଲ ହକ୍ ପ୍ରମୁଖ ଆଲୋଚନାରେ ଭାଗ ନେଇ କେତେକ ଗୁରୁତ୍ୱପୂର୍ଣ ଆଇନଗତ ଦିଗର ତର୍ଜମା କରିଥିଲେ । ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସୁଜିତ ପାଢ଼ୀ ବିଜେପିର ଏହି କଡା ଆଇନକୁ ଦୃଢ ବିରୋଧ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି । ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ସଭାମଞ୍ଚ ଆବାହନ, ପ୍ରାରମ୍ଭିକ ସୂଚନା ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପୂର୍ବତନ ସାଂସଦ ଅନନ୍ତ ସେଠି, ବିଧାୟକ ଅଶୋକ ଦାସ ପ୍ରମୁଖ ମଞ୍ଚାସିନ ଥିଲେ ଏବଂ କଂଗ୍ରେସର ବହୁ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking