ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ବିଭିନ୍ନ ମହଲରୁ ବିଧାୟକମାନଙ୍କ ଦରମା ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରାଯାଉଛି । ବିଧାୟକଙ୍କ ଅତ୍ୟଧିକ ଦରମା ବୃଦ୍ଧିକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ସାଧାରଣ ଲୋକ ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଧାୟକ ଦରମା ବୃଦ୍ଧି ପୁନର୍ବିଚାର ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରସ୍ତାବ ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଛନ୍ତି ।
ପ୍ରକାଶ ଯେ ରାଜ୍ୟ ସରକାର ବଢ଼ାଇଛନ୍ତି ବିଧାୟକଙ୍କ ଦରମା ଏବଂ ଭତ୍ତା । ବର୍ଦ୍ଧିତ ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ବର୍ତ୍ତମାନର ୧ ଲକ୍ଷ ଦରମା ଏକ ଉତ୍ତମ ଜୀବନଶୈଳୀ ବଜାୟ ରଖିବା ପାଇଁ ପର୍ୟ୍ୟାପ୍ତ ନୁହେଁ ବୋଲି ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଧାୟକ, ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀ ମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରିଛନ୍ତି ।ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଗୃହରେ ସର୍ବସମ୍ମତି କ୍ରମେ ଏହା ପାସ୍ପା ହୋଇଥିଲା । ସଂସଦୀୟ ପରମ୍ପରାରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ରଖିଛନ୍ତି ଉଭୟ ବିରୋଧୀ ଏବଂ ଶାସକ ଦଳ ବିଧାୟକ । ଓଡ଼ିଶା ବିଧାନସଭାର ଜଣେ ବିଧାୟକଙ୍କ ମାସିକ ଦରମା ଓ ଭତ୍ତା କେଉଁ କ୍ଷେତ୍ରରେ କେତେ ମିଳୁଥିଲା ଏବଂ ବୃଦ୍ଧି ନିଷ୍ପତ୍ତି ପରେ କେତେ ମିଳିବ, ଆସନ୍ତୁ ନଜର ପକାଇବା।
ମୂଳ ଦରମା ପର୍ବରୁ ଥିଲା ୩୫୦୦୦ ଟଙ୍କା । ବର୍ଦ୍ଧିତ ଦରମା ଲାଗୁ ହେବା ପରେ ଏହା ହେଲା ୯୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସମାରୋହ ଭତ୍ତା ୯୬୦୦୦ ହେଲା,ଯାହାକି ପୂର୍ବରୁ ୪୦,୦୦୦ ଟଙ୍କା ଥିଲା । ସେହିପରି ନିର୍ବାଚନ ମଣ୍ଡଳୀ ଏବଂ ଲୋକ ସେବା ଭବନ ପରିଦର୍ଶନ ଭତ୍ତା ପୂର୍ବରୁ ୨୦,୦୦୦ ଟଙ୍କା ଥିବା ବେଳେ, ଏବେ ୭୫୦୦୦ ଟଙ୍କା ହେଲା । କମିଟି ଭତ୍ତା ୧୫୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଓଡିଶା ବାହାରେ ବୈଠକ ପାଇଁ ଭତ୍ତା ୨୦୦୦ ଟଙ୍କାରୁ ୧୦,୦୦୦କୁ ବୃଦ୍ଧି ପାଇଛି।ସେହିପରି ରାଜ୍ୟ ଭିତରେ ଭ୍ରମଣ ଭତ୍ତା କିଲୋମିଟର ପିଛା ୨୫ ଟଙ୍କା ଥିବା ବେଳେ ଏହାକୁ ୩୫ ଟଙ୍କାକୁ ବଢ଼ାଯାଇଛି । ସେହିପରି ମାସିକ ପରିବହନ ଭତ୍ତା ୧୫,୦୦୦ ଟଙ୍କାରୁ ୫୦,୦୦୦କୁ ବଢ଼ାଯାଇଛି । ସଦସ୍ୟଙ୍କ ମାସିକ ଭତ୍ତା ୨୦୦୦ରୁ ୧୦,୦୦୦ ଟଙ୍କା , ବିଦ୍ୟୁତ୍ ଶୁଳ୍କ ୫୦୦୦ରୁ ୨୦,୦୦୦ ଟଙ୍କା, ଡାକ୍ତରୀ ଚିକିତ୍ସା ଭତ୍ତା ୫୦୦୦ ଟଙ୍କା ରୁ ୩୫୦୦୦ ଟଙ୍କା, ଆବାସ ଭତ୍ତା ୧୦୦୦ରୁ ୨୦୦୦ ଟଙ୍କା ଏବଂ ମୋଟର କାର ଆଡଭାନ୍ସ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି।










