20.1 C
Bhubaneswar
Thursday, November 21, 2024
Homeଓଡିଶାଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେଡି

ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେଡି

– ରାଜ୍ୟରେ ଆମ୍ୱ ଟାକୁଆ ଖାଇ ୩ ମୃତ୍ୟୁ ପରେ ପିଲା ବିକ୍ରି ପରି ଲଜ୍ଜାଜନକ ଘଟଣା
– ଆଦିବାସୀ ଯୁବତୀଙ୍କୁ ବିଷ୍ଠା ଖୁଆଇବା ଭଳି ଅମାନବୀୟ ଘଟଣା
– ସରକାର ନିଦାବିଷ୍ଣୁ ସାଜିଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂଦେଓ ଓ ଦଳର ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଛନ୍ତି। ଶ୍ରୀ କଳିକେଶ ନାରାୟଣ ସିଂଦେଓ କହିଥିଲେ, ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଏକ ଆଦିବାସୀ ମହିଳା ତାର ପିଲାକୁ ବିକ୍ରି କରିଥିବା ଭଳି ଏକ ଅଭାବନୀୟ ଖବର ଆସିଛି, ଯାହା ରାଜ୍ୟ ପାଇଁ ଏକ ଲଜ୍ଜାଜନକ ଘଟଣା। ଏହି ଘଟଣା ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନିଜ ନିର୍ବାଚନ ମଣ୍ଡଳୀର ଘଟଣା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ନୀରବରେ ବସି ରହିଛନ୍ତି। ରାଜ୍ୟରେ, ଖାଦ୍ୟ ଅଭାବ କାରଣରୁ ଆମ୍ୱ ଟାକୁଆ ଜାଉ ଖାଇ କନ୍ଧମାଳ ଜିଲ୍ଲାରେ ୩ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ରାଜ୍ୟ ପାଇଁ ଲଜ୍ଜା ଆଣିଥିବା ବେଳେ ରାଜ୍ୟ ସରକାର ଘଟଣାସ୍ଥଳକୁ ନଯାଇ ଆମ୍ୱ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି ସମ୍ୱେଦନହୀନ ମନ୍ତବ୍ୟ ଦେଇଥିଲେ।

ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ନଭେମ୍ୱର ୧୬ ତାରିଖ ଦିନ ଏକ ଆଦିବାସୀ ଯୁବତୀ ଗାଧୋଇ ସାରି ଘରକୁ ଫେରିବା ସମୟରେ ଅଭୟ ବାଗ ନାମକ ଏକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଜାତିଆଣ ଆକ୍ଷେପ କରିଥିଲେ ଓ ତାଙ୍କ ପାଟିରେ ବିଷ୍ଠା ଖୁଆଇ ଦେଇଥିଲେ। ସେହି ସମୟରେ ଯୁବତୀଙ୍କ ବଡ଼ ମା ଘଟଣାସ୍ଥଳରେ ପହଞ୍ଚି ଯୁବକର ଅତ୍ୟାଚାରରୁ ଯୁବତୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ ଯୁବକ ଜଣକ ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଭଳି ସ୍ପର୍ଶକାତର ଓ ଅମାନବୀୟ ଘଟଣା ଘଟିବାର ଛଅ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇନାହିଁ।

ସେହିପରି, ଟିଟିଲାଗଡ଼ ବିଧାୟକଙ୍କ ବିରୋଧରେ ଏକ ଦଳିତ ମହିଳାଙ୍କୁ ଅତ୍ୟାଚାରର ଅଭିଯୋଗ ଆସିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହି ଘଟଣା ଗୁଡିକରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇଯାଇଥିବା ସ୍ପଷ୍ଟ ହେଉଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି। ଆଇନ କଡାକଡି ଲାଗୁ ନହେବାରୁ, ରାଜ୍ୟରେ ଅପରାଧୀ ମାନଙ୍କ ସାହସ ବଢ଼ୁଛି। କେବଳ ପ୍ରତୀକାତ୍ମକ ଭାବେ ଆଦିବାସୀଙ୍କ ସ୍ୱାର୍ଥରକ୍ଷା ନାମରେ ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବସାଯାଇଛି, କିନ୍ତୁ ଆଦିବାସୀଙ୍କୁ ଶୋଷଣ, ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡୁଛି ଓ ସରକାର ନିଦାବିଷ୍ଣୁ ସାଜି ବସିଛନ୍ତି ବୋଲି ଡଃ ସାମନ୍ତସିଂହାର କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking