ଭୁବନେଶ୍ୱର (ବିପିନ୍ ସିଂ) : ବିଜେପିର ମୋହନ ମାଝୀଙ୍କ ସରକାରକୁ ଘେରିଛନ୍ତି ବିରୋଧୀ । ଯେଉଁ ଦୁଇ ପ୍ରମୁଖ ପ୍ରସଙ୍ଗକୁ ଧରି ବିଜେପି କ୍ଷମତାକୁ ଆସିଛି ଏବେ ତାହାକୁ ନେଇ ଘଟିଥିବା ଅଘଟଣକୁ ଆଳ କରି ବିରୋଧୀ ସରକାରଙ୍କୁ ଘେରିବା ପାଇଁ ସୁଯୋଗ ପାଇଛନ୍ତି । ନୂଆ ସରକାର ହେଲେ ବି ଅଘଟଣ ଘଟିଥିବାରୁ ବିରୋଧୀ ଛାଡ଼ିବାକୁ ନାରାଜ । ଦୁଇଟି ଯାଙ୍କ ଅତ୍ୟନ୍ତ ସ୍ପର୍ଶକାତର ବିଷୟ । ବଡଠାକୁର ବଳଭଦ୍ରଙ୍କୁ ପକାଇଦେବା ଘଟଣା ପରେ ଏବେ ଆସିଛି ଓଡ଼ିଆ ଅସ୍ମିତା କଥା । ରାଜ୍ୟପାଳ ରଘୁବୀର ଦାସଙ୍କ ପୁଅ ରାଜଭବନର ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ ଅସ୍ମିତା କଥା ଉଠିଛି । କଥା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିସ୍ଥିତି କ୍ରମେ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖାଦେଇଛି । ତୁରନ୍ତ ଯଦି କିଛି ପଦକ୍ଷେପ ସରକାର ନ ନିଅନ୍ତି ତେବେ ସୁନାମରେ ଦାଗ ଲାଗିବାକୁ ବେଶି ସମୟ ଲାଗିବ ନାହିଁ । ବେଳ ଥାଉ ଥାଉ ବ୍ୟବସ୍ଥା ନକଲେ ଆଗକୁ ବିଷମ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି । କାରଣ ଆଗକୁ ବିଧାନସଭା ଅଧିବେଶନ ଅଛି ଏବଂ ସରକାରଙ୍କ ବିରୋଧରେ ଶକ୍ତିଶାଳୀ ବିରୋଧୀ ଦଳ ରହିଛି । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଦରକାର ବୋଲି କୁହାଯାଉଛି ।
ଏଥର ନିର୍ବାଚନରେ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ବିଜେପି ନିର୍ବାଚନରେ ଅଧିକ ଗୁରୁତ୍ୱ ଦେଇଥିଲା । ଯାହାକୁ ଭିତ୍ତି କରି ବିଜେପି କ୍ଷମତାକୁ ଆସିଛି ବୋଲି କୁହାଯାଏ । ଏହି ଦୁଇଟି ଘଟଣା ଏବେ ସରକାରଙ୍କୁ ଅଡ଼ୁଆରେ ପକାଇଛି । ରଥରୁ ବଳଭଦ୍ରଙ୍କୁ ପକାଇଦେବା ଘଟଣାକୁ ନେଇ ବିରୋଧୀ କଡ଼ା ସମାଲୋଚନା ସରକାରଙ୍କୁ କରିଥିଲେ । ଏହି ବିବାଦ ଚାଲିଥିବା ବେଳେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ସରକାରଙ୍କ ଆଗରେ ଛିଡ଼ା ହୋଇଛି । ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ନେଇ ରାଜଭବନର ଜଣେ କର୍ମଚାରୀ ଅଭିଯୋଗ ଆଣିଛନ୍ତି । ୧୦ ଦିନ ବିତି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଥାନାରେ ଏତଲା କରାଯାଉ ନାହିଁ । କର୍ମଚାରୀ ଜଣଙ୍କ ରାଜଭବନ ସଚିବଙ୍କୁ ଲିଖିତ ଭାବରେ ପ୍ରୋଟକଲ ଅନୁସାରେ ଅଭିଯୋଗ କରିଛନ୍ତି । ରାଜ୍ୟପାଳଙ୍କ ପୁଅ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ପଛଘୁଞ୍ଚା ଦେଉଥିବା ଜଣାପଡ଼ୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ର ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ପରିଚିତ । ସେ କିଭଳି ଭାବରେ ଚାପର ବଶବର୍ତ୍ତି ହୋଇ ଅଭିଯୋଗ ପାଇଲା ପରେ ନୀରବରେ ବସି ରହିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣା ଆଉ ରାଜଭବନ ପରିସରରେ ସୀମିତି ହୋଇ ରହି ନାହିଁ । ଏହା ପଦାକୁ ଆସିବା ପରେ ବିରୋଧୀ ଘେରିବାକୁ ସୁଯୋଗ ପାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେଲା ପରେ ଯେଭଳି ଭାବରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ସାଧାରଣରେ ଧାରଣା ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ତାହା ବେଶ୍ ପ୍ରଶଂସନୀୟ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ସାଧାରଣ ଲୋକ ତ ଦୂରର କଥା ନିଜର ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ବି ସାକ୍ଷାତ ପାଉ ନଥିଲେ । ଏହି ଦାଗକୁ ଲିଭାଇବା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବେଶ୍ ତତ୍ପର । ସିଧାସଳଖ ଭାବେ ଲୋକଙ୍କ ଗୁହାରୀ ଶୁଣୁଛନ୍ତି ଓ ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏହି ଘଟଣା ଏତେ ଜୋର୍ରେ ରାଜ୍ୟରେ ବ୍ୟାପିଛି ସବୁଆଡ଼େ ଅଳ୍ପଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଭାବେ ମୋହନ ମାଝୀଙ୍କ ପ୍ରଶଂସା ଢ଼େର୍ ବଢ଼ିଯାଇଛି । ପ୍ରତ୍ୟକ କଥାରେ ବିଜେପି ନେତା ଓ ମନ୍ତ୍ରୀମାନେ ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ ଏବେ ରାଜ୍ୟପାଳଙ୍କ ପୁଅ କ୍ଷେତ୍ରରେ ଅଡ଼ୁଆରେ ପଡ଼ି ଯାଇଛନ୍ତି । ଏ କ୍ଷେତ୍ରରେ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ବିରୋଧୀ ପ୍ରଶ୍ନ ଉଠାଇବା ସ୍ୱଭାବିକ । ଅତିତରେ ସରକାରମାନଙ୍କରେ ବଡ଼ ବଡ଼ିଆଙ୍କ ପିଲା ଏଭଳି ଅନେକ କାଣ୍ଡ କରିଥିବାର ନଜିର ରହିଛି । କିନ୍ତୁ ବିଜେପି ପାଇଁ ଅଡ଼ୁଆ ହେଉଛି ଓଡ଼ିଆ ଅସ୍ମିତା କଥା କହିଥିବାରୁ ଓ ଜଣେ ଓଡ଼ିଆକୁ ଅଣ-ଓଡ଼ିଆ ମାଡ଼ ମାରିବା ଘଟଣାକୁ ପ୍ରଶ୍ନ ଉଠିଛି । ଏହି ଘଟଣା ଅନ୍ୟ ସାଧାରଣ ଲୋକ କରିଥିଲେ ଏତେବେଳକୁ କାର୍ଯ୍ୟାନୁଷ୍ଠାନ ହୋଇ ସାରନ୍ତାନି । ରାଜ୍ୟପାଳଙ୍କ ପୁଅ ହୋଇ ଥିବାରୁ ପୋଲିସ ପ୍ରଶାସନ ପାଖରେ ଅଭିଯୋଗ ପହଞ୍ଚୁ ନାହିଁ କି ପଦକ୍ଷେପ ନିଆଯାଉ ନାହିଁ । ବର୍ତ୍ତମାନର ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡି ବିଧାୟକ ଥିଲା ବେଳେ କିଛି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ପାଇଁ ଉଦ୍ୟମ କରିଥିଲେ, ସେତେବେଳେ ବିଜେପି ତାଙ୍କ ଗିରଫରେ ବିଜେପି ତୁମ୍ଭି ତୋଫାନ କରିଥିଲା । ଏବେ ବିରୋଧୀକୁ ସୁଯୋଗ ମିଳିଛି । କଂଗ୍ରେସ ରାସ୍ତାକୁ ଓହ୍ଲାଇ ସାରିଲାଣି ଓ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବା ବୋଲି କହିଲାଣି । ଅନ୍ୟପଟେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଲାଣି ।
ତୁରନ୍ତ ଯଦି ଏହା ଉପରେ କିଛି ପଦକ୍ଷେପ ନିଆ ନଯାଏ ତେବେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନକୁ ସରକାର ସୁରୁଖୁରରେ ଚଲାଇବା ସମ୍ଭବ ହୋଇ ନପାରେ ବୋଲି କୁହାଯାଉଛି । ବିଧାନସଭା ବଜେଟ୍ ଅଧିବେଶନ ବସିବ ଓ ରାଜ୍ୟପାଳ ପ୍ରଥମ ଅଧିବେଶନକୁ ସମ୍ବୋଧନ କରିବାରେ ଅଛି । ଏ ସରକାରର ପ୍ରଥମ ବିଧାନସଭା ଅଧିବେଶନ । ୧୪୭ ବିଧାୟକଙ୍କ ମଧ୍ୟରୁ ବିଜେପି ପାଖରେ ସ୍ୱାଧୀନଙ୍କ ସମର୍ଥନ ମିଶାଇ ୮୧ ବିଧାୟକ ଅଛନ୍ତି । ବିରୋଧୀ ପକ୍ଷରେ ରହିଲେଣି ୬୬ ଜଣ ବିଧାୟକ । ଏତେ ଶକ୍ତିଶାଳୀ ବିରୋଧୀଙ୍କୁ ପ୍ରଥମ କରି ବିଧାନସଭାକୁ ଆସିଥିବା ସରକାର ମୁକାବିଲା କରିବା ସହଜ ହୋଇ ନପାରେ । ଯେଉଁ ଅସ୍ମିତା କଥାକୁ ନେଇ ବିଜେପି ଏତେ ହୋହାଲ୍ଲା କରୁଥିଲା ଏବେ ସେହି ଅସ୍ମିତା ଅଠା କାଠିରେ ପଡ଼ିଛି ।










