32.1 C
Bhubaneswar
Wednesday, September 18, 2024
Homeଓଡିଶାନିଜର ଦୋଷ ଲୁଚାଇବା ପାଇଁ ହୀନ ରାଜନୀତି କରୁଛି ବିଜେଡି: ବଳଭଦ୍ର ମାଝି

ନିଜର ଦୋଷ ଲୁଚାଇବା ପାଇଁ ହୀନ ରାଜନୀତି କରୁଛି ବିଜେଡି: ବଳଭଦ୍ର ମାଝି

– ପ୍ରକଳ୍ପ ଅଂଚଳ ଗସ୍ତ କରି ସେଠାକାର ଲୋକଙ୍କୁ ଭୟଭୀତ କରି ସରକାରଙ୍କୁ ବିରୋଧ କରିବାକୁ ଚକ୍ରାନ୍ତ କରୁଛି ବିଜେଡି
– ଗତ ୨୪ ବର୍ଷ ଧରି ପୋଲାଭରମ ପ୍ରକଳ୍ପ ପାଇଁ କୌଣସି ପଦକ୍ଷେପ ନ ନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ବିଜେଡି ସରକାର ଶୋଇଥିଲା
– ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଭୁଲ୍ ନୀତି ଯୋଗୁ ଓଡ଼ିଶାବାସୀ ହଇରାଣ ହେଉଛନ୍ତି

ଭୁବନେଶ୍ୱର : ସରକାରରୁ ଚାଲିଗଲା ପରେ ଏବେ ବିଜେଡିର ନିଦ ଭାଙ୍ଗିଛି । ଗତ ୨୪ ବର୍ଷ ଧରି ପୋଲାଭରମ ପ୍ରକଳ୍ପ ପାଇଁ କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ବିଜେଡି ସରକାର ଶୋଇଥିଲା । ଏବେ ଚର୍ଚ୍ଚାରେ ରହିବା ପାଇଁ ଅଯଥାରେ ରାଜନୀତି କରୁଛି । ପ୍ରକଳ୍ପ ଅଂଚଳ ଗସ୍ତ କରି ସେଠାକାର ଲୋକଙ୍କୁ ଭୟଭୀତ କରି ସରକାରଙ୍କୁ ବିରୋଧ କରିବାକୁ ପ୍ରୟାସ ଚଲାଇଛି । ପୋଲାଭରମ ପ୍ରକଳ୍ପକୁ ନେଇ ନିଜର ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ବିରୋଧୀଙ୍କ ଆଶା କେବେ ପୂରଣ ହେବ ନାହିଁ । ବିଜେଡି ଏବେ ନିଜର ଦୋଷ ଲୁଚାଇବା ପାଇଁ ହୀନ ରାଜନୀତି କରୁଛି ବୋଲି ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝି କହିଛନ୍ତି ।

ଶ୍ରୀ ମାଝି କହିଛନ୍ତି ଯେ, ନଦୀବନ୍ଧ ପ୍ରକଳ୍ପ କରିବା ପୂର୍ବରୁ ସର୍ବପ୍ରଥମେ ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡିକର ଏନ୍‌ଓସି ନିଆଯାଏ । କୌଣସି ରାଜ୍ୟ ଯଦି ଏନ୍‌ଓସି ନଦିଅନ୍ତି, ତେବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିବ ନାହଁ । ୨୦୦୦ ମସିହାରେ ଏନ୍‌ଡିଏ ସରକାରରେ ବିଜୁ ଜନତାଦଳର ଜଣେ ନେତା କେନ୍ଦ୍ରରେ ଜଳସମ୍ପଦ ମନ୍ତ୍ରୀ ଥିଲେ । ଏହା ପରେ ୨୦୦୪ରେ ମାଲକାନାଗିରି ସୀମାନ୍ତ ଆନ୍ଧପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲ୍ଲାରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ଏହି ପ୍ରକଳ୍ପ ପାଇଁ ଏନ୍‌ଓସି କିପରି ଓ କିଏ ଦେଲା ବୋଲି ଶ୍ରୀ ମାଝି ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରରେ ଥିôବା ତତ୍କାଳୀନ କଂଗ୍ରେସ ସରକାର ଓଡ଼ିଶାର ସ୍ୱାର୍ଥପ୍ରତି ଧ୍ୟାନ ନଦେଇ ଏହି ପ୍ରକଳ୍ପ ଉପରେ ମୋହର ମାରିଥିଲା । ୨୦୦୦-୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ଜଳସମ୍ପଦ ବିଭାଗ ନବୀନ ପଟ୍ଟନାୟକଙ୍କ ହାତରେ ଥିଲା । ମାତ୍ର ଏହି ପ୍ରକଳ୍ପରୁ ବନ୍ଦ କରିବା ପାଇଁ ସେ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଥିଲେ । ତାଙ୍କର ଭୁଲ୍ ନୀତି ଯୋଗୁ ଓଡ଼ିଶାବାସୀ ଆଜି ହଇରାଣ ହେଉଛନ୍ତି । ବର୍ତମାନ ଲୋକେ ବିଜେଡିକୁ ସରକାରରୁ ହଟାଇବା ପରେ ଗତ ଅଗଷ୍ଟରେ ତାଙ୍କ ଦଳର ନେତାମାନେ ପୋଲାଭରମ୍ ପ୍ରକଳ୍ପ ଅଂଚଳ ଗ୍ରସ୍ତ କରିଛନ୍ତି । ଏହି ସମୟରେ ସେମାନେ ୨୦୨୨ ଓ ୨୦୨୪ର ବନ୍ୟା ପ୍ରସଙ୍ଗ ଉଠାଉଛନ୍ତି । ମାତ୍ର ନଦୀବନ୍ଧର ମଞ୍ଜୁରୀ ଦେବା ଉପରେ କିଛି କହୁନାହାଁନ୍ତି । ଏହାଛଡା ୨୦୦୪ ରୁ ୨୦୨୨ ପର୍ଯ୍ୟନ୍ତ ଏହି ପ୍ରକଳ୍ପକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ମଧ୍ୟ କିଛି କହୁନାହାଁନ୍ତି । ଏବେ ବିଜେଡି ସୁପ୍ରିମକୋର୍ଟର ଜଜ୍‌ମେଂଟ୍ ବିଷୟରେ କହୁଥିବାବେଳେ, ଏପର୍ଯ୍ୟନ୍ତ କଥା ଗଲା କାହିଁକି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଶ୍ରୀ ମାଝି ବିଜେଡିର ନବରଙ୍ଗପୁରର ଲୋକସଭା ସଭ୍ୟ ଥିଲେ । ଏହି ସମୟରେ ବିଜେଡି ମୁଖିଆଙ୍କୁ ବ୍ୟକ୍ତିଗତ ଭାବରେ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ କେନ୍ଦ୍ର ନିକଟରେ ଉଠାଇବା ପାଇଁ ଶ୍ରୀ ମାଝି ଅନୁରୋଧ କରିଥିଲେ । ଏହାକୁ ବିଜେଡି ମୁଖିଆ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ନବୀନ ବାବୁଙ୍କ ବ୍ୟକ୍ତିଗତ ସଚିବ ତଥା ପରବର୍ତୀ ସମୟରେ ବିଜୁ ଜନତା ଦଳର ନେତା ସାଜିଥିବା ବ୍ୟକ୍ତି ସେତେବେଳେ କହିଥିଲେ, ଆମେ କେସ୍ ହାରିସାରିଛୁ ତେଣୁ ଏବେ ଏହି ବିଷୟରେ କିଛି କରାଯାଇ ପାରିବନାହିଁ । ଏଭଳି ସ୍ଥିତିରେ ତମେ କାହିଁକି ମୁଣ୍ଡ ପୂରାଉଛ ବୋଲି କହି ଏହି ପ୍ରସଙ୍ଗକୁ ସେ ଏଡାଇ ଦେଇଥିଲେ । ଏହି ପ୍ରକାର ଆଭିମୁଖ୍ୟ ରଖୁଥିବା ବିଜେଡି ଦଳ ବର୍ତମାନ ୧୦ବର୍ଷ ପରେ ଏହି ପ୍ରସଙ୍ଗକୁ ନେଇ କାହିଁକି ରାଜନୀତି କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଅପର ପକ୍ଷେ ଓଡ଼ିଶାରେ ବିଜେପି ସରକାର ଗଠନ ପରେ ମାତ୍ର ୨ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ବିଜେଡି ଏହାକୁ ସହିନପାରି ଅଯଥାରେ ରାଜନୀତି କରିବାପାଇଁ ଚେଷ୍ଟା କରୁଛି । ପୋଲାଭରମ ବିବାଦର ସମାଧାନ ପାଇଁ ସରକାରୀସ୍ତରରେ ପ୍ରୟାସ ଜାରି ରହିଛି । ବିଜେଡି ଯୋଗୁଁ ଯେଉଁ କ୍ଷତି ହୋଇସାରିଛି ତାହା ତ ପୂରଣ ହୋଇପାରିବନାହିଁ କିନ୍ତୁ ଆଉ ଯେପରି ଅଧିକ କ୍ଷତି ନହେବ ସେ ନେଇ ବିଜେପି ସରକାର କେନ୍ଦ୍ର ଓ ଆନ୍ଧ୍ରର ସରକାରଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking