25.1 C
Bhubaneswar
Monday, January 12, 2026
Homeଓଡିଶାଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରୀ ରହିବ: ନବୀନ

ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରୀ ରହିବ: ନବୀନ

ଭୁବନେଶ୍ୱର: ଗୋଦାବରୀ ନଦୀ ଉପରେ ନିର୍ମିତ ହେବାକୁ ଯାଉଥିବା ପୋଲାଭରମ ପ୍ରକଳ୍ପ ବିରୋଧରେ ଆଜି ମାଲକାନଗିରିର ମୋଟୁଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଜନତା ଦଳ ସମେତ ୧୪ ଟି ଆଦିବାସୀ ସଂଗଠନର ପ୍ରତିନିଧି, ଦଳିତ ସମାଜ, ବହୁଜନ ସମାଜ ପାର୍ଟି ଆଦି ବିଭିନ୍ନ ଦଳ ଓ ସଂଗଠନ ଅଂଶ ଗ୍ରହଣ କରି ପୋଲାଭରମ ପ୍ରକଳ୍ପ ବିରୋଧରେ ଲଢେଇ ଜାରୀ ରଖିବା ପାଇଁ ସଂକଳ୍ପ ଘୋଷଣା କରିଥିଲେ ।

ଭୁବନେଶ୍ୱରରୁ ଏହି ସମାବେଶକୁ ଭିଡିଓ କନ୍‌ଫରେନସିଂ ଜରିଆରେ ସମ୍ବୋଧିତ କରି ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକ କହିଥିଲେ ଯେ ପୋଲାଭରମ ପ୍ରକଳ୍ପ ମାଲକାନଗିରିର ଆଦିବାସୀ ଭାଇଭଉଣୀଙ୍କର ସ୍ୱାର୍ଥ ବିରୋଧୀ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ବହୁ ଗାଁ ଜଳମଗ୍ନ ହେବ ଏବଂ ହଜାର ହଜାର ଆଦିବାସୀ ସେମାନଙ୍କର ଭିଟାମାଟି ହରାଇବେ । ତେଣୁ ଏହି ପ୍ରକଳ୍ପକୁ ବିଜୁ ଜନତା ଦଳ ବିରୋଧ କରି ଆସୁଛି । ଏଥିପାଇଁ ସୁପ୍ରିମ କୋର୍ଟରେ ମଧ୍ୟ ମୋକଦ୍ଦମା କରାଯାଇଛି । ଏହି ପ୍ରକଳ୍ପ ବିଷୟରେ ଗୋଦାବରୀ ନଦୀ କୂଳସ୍ଥ ରାଜ୍ୟମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ସୁପ୍ରିମ କୋର୍ଟଙ୍କ ଆଦେଶକୁ ମଧ୍ୟ ଉପେକ୍ଷା କରାଯାଇଛି । ବିଜୁ ଜନତା ଦଳର ବିରୋଧ ଯୋଗୁଁ ପ୍ରକଳ୍ପ କାମ ଧିମେଇ ଯାଇଥିଲା । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର ଯେଉଁ କ୍ଷତି ହେବ ସେ ସମ୍ପର୍କରେ ବିଭିନ୍ନ ସମୟରେ ସେ ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ରାଜନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପ୍ରକଳ୍ପକୁ ସମର୍ଥନ କରୁଛି । ବିଜେପି ପାଇଁ ତାଙ୍କ ଦଳର ସ୍ୱାର୍ଥ ଆଦିବାସୀଙ୍କ ସ୍ୱାର୍ଥ ଠାରୁ ବଡ ହୋଇଯାଇଛି । ଶ୍ରୀ ପଟ୍ଟନାୟକ କହିଲେ, ଗତ ଦୁଇ ଦୁଇଟି ବଜେଟ୍‌ରେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ପାଇଁ ୧୮ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ପ୍ରକଳ୍ପ କାମକୁ ଆଗେଇ ନେବାକୁ ଚାହୁଁଛନ୍ତି । ରାଜନୈତିକ ଦୃଷ୍ଟିକୋଣ ଆଧାରରେ କେନ୍ଦ୍ରୀୟ ସମ୍ବଳର ବଣ୍ଟନ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ ପ୍ରକଳ୍ପ ବିରୋଧରେ ବିଜୁ ଜନତା ଦଳର ଲଢେଇ ଜାରୀ ରହିବ ବୋଲି ଘୋଷଣା କରିଥିଲେ ।

ପ୍ରକଳ୍ପର ସଂଶୋଧିତ ନକ୍ସାର ଉପଯୁକ୍ତ ସମୀକ୍ଷା, ମୂଲ୍ୟାୟନ ଏବଂ Back Water Computation ନ କରି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବା ଦ୍ୱାରା ଏହା ଆମର ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ବଡ ବିପଦର କାରଣ ହୋଇଛି । ଗୋଦାବରୀ ନଦୀ ଜଳ ବିବାଦ Tribunal ର Award କୁ ଉଲ୍ଲଙ୍ଘନ କରି କେନ୍ଦ୍ର ଓ ଆନ୍ଧ୍ର ସରକାର ପ୍ରକଳ୍ପ କାମକୁ ଆଗେଇ ନେଉଥିବାରୁ ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଓଡିଶାର ଜଣେ ବିଶିଷ୍ଟ ଆଦିବାସୀ ନେତା ବର୍ତ୍ତମାନ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଦାୟୀତ୍ୱରେ ଥିବାରୁ ଓଡିଶାର ଆଦିବାସୀ ଭାଇଭଉଣୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସେ ନିଶ୍ଚୟ ଉଦ୍ୟମ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ । ଏହି ସମାବେଶରେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଜେଡିର ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ରମେଶ ମାଝୀ, ବିଜେଡିର ବରିଷ୍ଠ ନେତା ଶ୍ରୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ଛତିଶଗଡା, ଆନ୍ଧ୍ର ଓ ତେଲେଙ୍ଗାନାର ନେତାମାନେ ଯୋଗ ଦେଇ ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking