ଭୁବନେଶ୍ୱର : ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବା ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଚେନ୍ନାଇ ଗଲେ ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା । ଆସନ୍ତାକାଲି ଏହି ବୈଠକ ବସୁଥିବାବେଳେ ଏଥିରେ କ୍ଷତିଗ୍ରସ୍ତ ହେବାକୁ ଥିବା ୮ ରାଜ୍ୟର ପ୍ରତିନିଧି ମଧ୍ୟ ଯୋଗଦେବେ । କ୍ଷତିଗ୍ରସ୍ତ ରାଜ୍ଯଗୁଡିକ ହେଲେ ତାମିଲନାଡୁ, କର୍ଣ୍ଣାଟକ ,ପଶ୍ଚିମବଙ୍ଗ, ପଞ୍ଜାବ, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡିଶା । ତେବେ ଆଜି ନବୀନ ଅମର ଓ ସଂଜୟଙ୍କ ନାଁ ମନୋନୀତ କରିଥିଲେ । ଏ ନେଇ ଦଳ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଏହି ବୈଠକ ଡକାଇଛନ୍ତି । କିଛି ଦିନ ତଳେ ତାମିଲନାଡୁ ମୁଖ୍ଯମନ୍ତ୍ରୀଙ୍କ ଦୁଇ ଜଣିଆ ପ୍ରତିନିଧି ନବୀନ ନିବାସ ଆସି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ । ତେବେ ଚେନ୍ନାଇ ଯିବା ପୂର୍ବରୁ ବିଜେଡି ପ୍ରତିନିଧି କହିଛନ୍ତି, ବୈଠକ ସରିଲା ପରେ ଡିଲିମିଟେସନର ରୂପରେଖ ଆସିବ । ଓଡି଼ଶା ସ୍ୱାର୍ଥରେ ବିଜେଡି କେବେ ସାଲିସ କରିବ ନାହିଁ ବୋଲି କହିଛନ୍ତି ଅମର ଓ ସଂଜୟ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଯୋଗଦେବା ପାଇଁ ଯାଇଥିବା ପୂର୍ବତନ ମନ୍ତ୍ରୀ ତଥା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ଓ ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକଙ୍କୁ ଚେନ୍ନାଇ ବିମାନ ବନ୍ଦରରେ ସ୍ୱାଗତ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ସାଂସଦ ଦୟାନିଧି ମାରାନ୍ ଏ୍ୱଂ ରାଜ୍ୟସଭା ସାଂସଦ କାନିମୋଝି ସୋମୁ । ଏହି ବୈଠକରେ ଯୋଗଦେବା ପାଇଁ ଷ୍ଟାଲିନଙ୍କ ନିମନ୍ତ୍ରଣ ପତ୍ର ଧରି ଦୟାନିଧି ମାରାନ୍ ଓ ରାଜ୍ୟର ଶିଳ୍ପ ମନ୍ତ୍ରୀ ନବୀନ ନିବାସ ଆସି ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ ।