19.1 C
Bhubaneswar
Sunday, February 15, 2026
Homeଓଡିଶାବାଲେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଦୁର୍ଭାଗ୍ୟଜନକ: ବିଜେଡି

ବାଲେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଦୁର୍ଭାଗ୍ୟଜନକ: ବିଜେଡି

 ସରକାରକୁ ଆସିବାର ତିନି ମାସ ପରେ ବି ମଧୁଚନ୍ଦ୍ରିକା ସମୟ ଶେଷ ହୋଇ ନାହିଁ
 ସରକାର ଆଦିବାସୀ ବିରୋଧୀ, ମହିଳା ବିରୋଧୀ ଓ ଶିଶୁ ବିରୋଧୀ
 ପକ୍‌ସୋ ଆଇନ ଅନୁଯାୟୀ ପରିବାରକୁ ତୁରନ୍ତ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯାଉ
ଭୁବନେଶ୍ୱର, : ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଘଟିଥିବା ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିଷ୍କ୍ରିୟତା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ସାମନ୍ତସିଂହାର କହିଥିଲେ, ମାତ୍ର ଦଶ ବର୍ଷର ଏକ ଆଦିବାସୀ ନାବାଳିକାର ଦୁଷ୍କର୍ମ ଓ ହତ୍ୟା ଲୋକଲୋଚନକୁ ଆସିବା ଦୁଇ ଦିନରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା, ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଉକ୍ତ ନାବାଳିକା ୨୭ ଅଗଷ୍ଟ ଦିନ ଅପହୃତ ହୋଇଥିଲା ଓ ନାବାଳିକାର ପରିବାର ସେହିଦିନ ହିଁ ରେମୁଣା ଥାନାରେ ଖବର ଦେଇଥିଲେ, କିନ୍ତୁ ପୋଲିସ ତରଫରୁ କୌଣସି ତତ୍ପରତା ଦେଖା ଯାଇନଥିଲା।
ଅଗଷ୍ଟ ୩୦ ତାରିଖରେ ସେହି ନାବାଳିକାର ଅର୍ଦ୍ଧ ଗଳିତ ଶବ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା । ଏହି ଅପରାଧ ପକ୍‌ସୋ ଆକ୍ଟ ଅନ୍ତର୍ଭୁକ୍ତ ହୋଇଥିବାରୁ, ଏହି ଆଇନ୍ ବ୍ୟବସ୍ଥା ଅନୁଯାୟୀ, ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକା ପରିବାରକୁ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲେ ସୁଦ୍ଧା ଏହାକୁ ପ୍ରଣୟନ କରିବା ପାଇଁ ସରକାରଙ୍କ ତରଫରୁ କୌଣସି ଉଦ୍ୟମ କରାଯାଇନାହିଁ। ସରକାରଙ୍କ ନିଷ୍କ୍ରିୟତାରୁ ସ୍ପଷ୍ଟ ପ୍ରତିପାଦିତ ହେଉଛି ଯେ ବର୍ତ୍ତମାନର ସରକାର ହେଉଛନ୍ତି ଆଦିବାସୀ ବିରୋଧୀ, ମହିଳା ବିରୋଧୀ ଓ ଶିଶୁ ବିରୋଧୀ। ରାଜ୍ୟରେ ନୂତନ ସରକାର ଦାୟିତ୍ୱ ନେବା ପ୍ରାୟ ତିନି ମାସ ବିତି ଯାଇଥିଲେ ସୁଦ୍ଧା ସରକାର ଏବେବି ମଧୁଚନ୍ଦ୍ରିକା ସମୟ ଦେଇ ଗତି କରୁଛନ୍ତି। ସମ୍ଭବତଃ ସମ୍ପୂର୍ଣ୍ଣ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ଏହି ମଧୁଚନ୍ଦ୍ରିକା ସମୟ ଜାରି ରହିବ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ।
ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକାର ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସରକାର ତ୍ୱରିତ ପଦକ୍ଷେପ ନେବା ପାଇଁ ଦାବି କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ଓ ପକ୍‌ସୋ ଆକ୍ଟରେ ଅନ୍ତର୍ଭୁକ୍ତ କରାଯାଇ ତୁରନ୍ତ ଦଶ ଲକ୍ଷ ଟଙ୍କା ପରିବାରକୁ ପ୍ରଦାନ କରାଯାଉ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking