ଦକ୍ଷତା ଵିକାଶ ପାଇଁ ନବୀନ ସରକାରଙ୍କ ଉଦ୍ୟମ ଦେଶରେ ପ୍ରଥମ ଥିଲା
୨୦୧୭ରେ ଆଇଟିଇଇଏସ ସହ ଏମଓୟୁ ହୋଇଥିଲା
୨୦୨୩ରେ ଦ୍ଵିତୀୟ ପର୍ଯ୍ୟାୟରେ ନଅ ଇନୋଭେସନ ପ୍ରୋଗ୍ରାମ ପାଇଁ ଏମଓୟୁ
ଭୁବନେଶ୍ୱର : ବିଜୁ ଜନତା ଦଳ ତରଫରୁ ଶଙ୍ଖଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଯେ, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁରରେ ସ୍ଥିତ ଆଇଟିଇଇଏସ ପରିଦର୍ଶନ କରିଥିଲେ, ଯେଉଁଠି ଅନେକ ଓଡ଼ିଆ ଯୁବକ ଯୁବତୀ ପ୍ରଶିକ୍ଷଣ ନେଉଛନ୍ତି, ତାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଚୁକ୍ତିବଦ୍ଧ ହୋଇଥିଲା।
ଶ୍ରୀ ଘଡ଼ାଇ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ୨୦୧୭ ମସିହା ନଭେମ୍ବର ମାସରେ, ଏହି ସଂସ୍ଥା ସହ ଓଡିଶା ସରକାର ଏକ ଏମଓୟୁ କରିଥିଲେ ଓ ସେହି ଅନୁସାରେ ଯୁବକ ଯୁବତୀଙ୍କ ଦକ୍ଷତା ଵିକାଶ ପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା। ୨୦୨୩ ମସିହାରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଏମଓୟୁ କରାଯାଇଥିଲା ଯାହା ଅନୁଯାୟୀ, ନଅଟି ଇନୋଭେସନ ପ୍ରୋଗ୍ରାମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆଉ ଥରେ ଏମଓୟୁ କରାଯାଇଥିଲା ଓ ସେହି ଅନୁସାରେ ଓଡ଼ିଶାର ଯୁବକଯୁବତୀ ମାନେ ପ୍ରଶିକ୍ଷଣ ପାଇ ଆସୁଛନ୍ତି। ଦକ୍ଷତା ବିକାଶର ଇକୋ ସିଷ୍ଟମକୁ ବିଶ୍ୱସ୍ତରୀୟ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ୱାର୍ଲଡ ସ୍କିଲ ସେଣ୍ଟର ପ୍ରତିଷ୍ଠା ହୋଇଥିଲା।
ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଇଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ଶିଳ୍ପ ଓ ଦକ୍ଷତା ଵିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଆଜି ସିଙ୍ଗାପୁରରେ ସ୍ଥିତ ଆଇଟିଇଇଏସକୁ ପରିଦର୍ଶନରେ ଯାଇଥିଲେ ଓ ସେଠାରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା। ଏହି ପ୍ରଶଂସାର ପ୍ରକୃତ ହକଦାର ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ଘଡ଼ାଇ କହିଥିଲେ, ଉଭୟ ମୁଖ୍ୟମନ୍ତ୍ରୀ ଓ ଦକ୍ଷତା ଵିକାଶ ମନ୍ତ୍ରୀଙ୍କୁ ଆମେ ମନେ ପକାଇ ଦେବାକୁ ଚାହୁଁଛୁ ଯେ, ୨୦୧୭ ମସିହାରେ ସ୍ଵାକ୍ଷର ହୋଇଥିବା ଏମଓୟୁ ପରେ ରାଜ୍ୟରେ ଆଇଟିଇଇଏସ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ବିଶ୍ୱ ଶିଳ୍ପ ବଜାରର ଆବଶ୍ୟକତା ଅନୁଯାୟୀ ଏହି ପ୍ରଶିକ୍ଷଣ ମାଧ୍ୟମରେ ରାଜ୍ୟରେ ଦକ୍ଷତା ଵିକାଶ କରିବା ପାଇଁ ଏହି ଉଦ୍ୟମ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତର ଅନ୍ୟ କୌଣସି ରାଜ୍ୟ, ଏପରିକି ଡବଲ ଇଂଜିନ ରାଜ୍ୟ ଗୁଡିକରେ ମଧ୍ୟ ଏପରି କାର୍ଯ୍ୟକ୍ରମ କରାଯାଇ ନାହିଁ। ସେହିପରି ଭାରତ ବର୍ଷରେ ପ୍ରଥମ ଥର ପାଇଁ ରାଜ୍ୟରେ ସ୍କିଲ କନଫରେନ୍ସ ଆୟୋଜନ କରାଯାଇଥିଲା। ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପକୁ ଆଜିର ସରକାର ଆଗେଇ ନେଲେ, ଦକ୍ଷତା ଵିକାଶ କ୍ଷେତ୍ରରେ ନିଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ ହୋଇ ପାରିବ ବୋଲି ଶ୍ରୀ ଘଡ଼ାଇ କହିଥିଲେ।