ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ତିରୋଧାନ ଦିବସ। ଏହି ଅବସରରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିର ବିଜୁଙ୍କ ପ୍ରତି କାର୍ଯ୍ୟଧାରାକୁ ନେଇ କଟାକ୍ଷ କରିଛନ୍ତି। ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବିଜେପି କ୍ଷମତାକୁ ଆସିବା ପରେ ବିଜୁ ପଟ୍ଟନାୟକଙ୍କୁ ଗୌଣ କରିବା ପାଇଁ ଉଦ୍ୟମ ଚଳାଇଥିବା ଅନୁଭବ କରି ନବୀନ ବିଜେପିକୁ ପରୋକ୍ଷ ସମାଲେଚନା କରିଥିବା କଥା ଆଲୋଚନା ହେଉଛି। ବିଜେପିକୁ ଏକ ପ୍ରକାର ଚେତାଇ ଦେଇଛନ୍ତି ଯେ, ସେ ଯେତେ ଉଦ୍ୟମ କଲେ ବି ବିଜୁ ପଟ୍ଟନାୟକଙ୍କ ୁ ଅବନମିତ କରିପାରିବେ ନାହିଁ କି ଇତିହାସ ବଦଳାଇ ପାରିବେ ନାହିଁ।
ନିକଟରେ ଘଟିଥିବା କେତେକ ଘଟଣାବଳୀ ସହ କ୍ଷମତାକୁ ଆସିବା ପରେ ସରକାରରେ ନେଇଥିବା ପଦକ୍ଷେପମାନଙ୍କୁ ଭିତ୍ତି କରି ଆଜି ମାର୍ଚ୍ଚ ୧୭ ବିଜୁଙ୍କ ତିରୋଧାନ ଦିବସରେ ଆଉ ଚୁପ୍ ନ ରହି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ବିଜେଡି ସରକାରରେ ଥିବା ସମୟରେ ବିଜୁ ପଟ୍ଟନାୟକଙ୍କ ନା’ରେ ଯେଉଁ ସବୁ ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ସେ ସବୁକୁ ବିଜେପି କ୍ଷମତାକୁ ଆସିବା ପରେ ନାମ ବଦଳାଇ ଦେଇଛି। ବିଜୁଙ୍କ ନା’ରେ ଥିବା ଯୋଜନା ଗୁଡ଼ିକର ନାମ ବଦଳାଇ ଥିଲେ ବି ଯୋଜନା ଅପରିବର୍ତ୍ତିତ ରହିଛି। ଏଥିରୁ ବିଜେପିର ବିଜୁଙ୍କ ପ୍ରତି ମାନସିକତା ଠିକ୍ ନୁହେଁ ବୋଲି ବିଜେଡି ନେତାମାନେ କହୁଛନ୍ତି। ନିକଟରେ କେତେକ ଘଟଣା ଘଟିଯାଇଛି। ଯାହାକୁ ଆଧାର କରି ନବୀନ କ୍ଷୋଭ ପ୍ରକାଶ କରି ବାଧ୍ୟ ହୋଇଛନ୍ତି ବୋଲି ବଜେଡି ନେତାମାନେ ଯୁକ୍ତି କରୁଛନ୍ତି। କଟକରେ ବିଜୁଙ୍କ ମୂୂର୍ତ୍ତିର ରଙ୍ଗ ପରିବର୍ତ୍ତନ କରିବା, ମାହାଙ୍ଗାରେ ବିଜୁଙ୍କ ମୂର୍ତ୍ତିର ମୁଣ୍ଡ କାଟ୍ କରିବା ଓ ପାଟଣାଗଡ଼ରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ପଛରେ ବିଜେପିର ହାତ ଅଛି ବେଲି ବିଜେଡି ନେତାମାନେ ଅଭିଯୋଗ କରି ଚାଲିଛନ୍ତି। ଏପରିକି ମାର୍ଚ୍ଚ ୫ ତାରିଖ ଦିନ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ପଞ୍ଚାୟଜରାଜ ଦିବସ ଭାବରେ ଓଡ଼ିଶାରେ ପାଳନ କରାଯାଇଥିଲା। କିନ୍ତୁ ବିଜେପି ସରକାର ଆସିଲା ପରେ ଏହାକୁ ବନ୍ଦ କରିଦେଲା। ଏପରିକି ସେଦିନ ଥିବା ସରକାରୀ ଛୁଟିକୁ ମଧ୍ୟ ବାତିଲ୍ କଲା। ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ହିଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସକୁ ମଧ୍ୟ ବନ୍ଦ କରି ଅନ୍ୟଦିନ କରାଗଲା।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ବିଜେଡି ପକ୍ଷରୁ କରାଯାଉଛି ଯେ ଆଜି ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ଗୌଣ କରିବା ପାଇଁ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଓ ପାଳନ ଯାକଜମକରେ କରାଯାଉଛି। ରେଭେନ୍ସା କଲେଜରେ ଏକ ବଡ଼ଧରଣର ଆୟୋଜନ କରାଯାଇଛି। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅତିଥି ଭାବରେ ଡ଼କାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଭଦ୍ରକରେ ହରେକୃଷ୍ଣ ମହତାବଙ୍କ ନା’ରେ ମେଡିକାଲ କଲେଜ୍ କରିବେ ବୋଲି ଘୋଷଣା କରିଛନ୍ତି। ଆଜି ମହତାବଙ୍କର ଜୟନ୍ତୀ କିମ୍ବା ତିରୋଧାନ ଦିବସ ନୁହେଁ। ସରକାର ଚାହିଁଥିଲେ ଆଜି ବଦଳରେ ଅନ୍ୟ ଯେକୌଣସି ଦିନରେ ଏହି କାର୍ଯ୍ୟକ୍ରମ କରି ପାରି ଥାଆନ୍ତେ। ବିଜୁଙ୍କ ତିରୋଧାନ ଦିବସରେ ମହତାବଙ୍କ କାର୍ଯ୍ୟକ୍ରମ ଗ୍ରହଣ କରିବା ଅର୍ଥ ବିଜୁଙ୍କୁ ନ୍ୟୁନ ଦେଖାଇବା ପାଇଁ ଏକ ପ୍ରୟାସ ବୋଲି ବିଜେଡି ନେତାମାନେ ମତ ଦେଇଛନ୍ତି।
ଏ ସବୁକୁ ଲକ୍ଷ ରଖି ନବୀନ ବିଜେପିର ନା’ ନନେଇ ପରୋକ୍ଷରେ ବାଣ ମାରିଛନ୍ତି। ଶଙ୍ଖ ଭବନ ଠାରେ ଆୟୋଜିତ କାର୍ଯକ୍ରମରେ ନବୀନ ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁ ଜଣେ ଓଡ଼ିଆ ଭାବରେ ସବୁବେଳେ ଗର୍ବ କରୁଥିଲେ। ଓଡିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା। ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା। ଏହି ସମୟ ମଧ୍ୟରେ ବହୁତ ଭଲ କାମ ହୋଇଥିଲା। ଯେଉଁଥି ôପାଇଁ ଓଡିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସ୍ୱୀକୃତି ମଧ୍ୟ ମିଳିଥିଲା।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦେଶର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜନୀତିକୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ। ବିଜୁ ବାବୁଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ । ନବୀନ କହିଥିଲେ ବରପୁତ୍ରମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବା ପାଇଁ ବର୍ତ୍ତମାନ କିଛି ଲୋକ ଯେଭଳି ଉଦ୍ୟମ କରୁଛନ୍ତି ଏବଂ ଇତିହାସ ବଦଳେଇବାକୁ ଚେଷ୍ଟା କରୁଛନ୍ତି । ଏଥିରେ କ୍ଷୋଭ ପ୍ରକାଶ କରି ସେ କହିଥିଲେ ଯେ ଇତିହାସ ହେଉଛି ଗୋଟିଏ ନିର୍ଦ୍ଦିିଷ୍ଟ କାଳଖଣ୍ଡରେ ଗୋଟିଏ ଜାତିର ସାମୁହିକ ଅନୁଭବର ପରିପ୍ରକାଶ। ଏହାକୁ କେହି ବଦଳେଇ ପାରିବେ ନାହିଁ। ତେଣୁ ଏଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡି ପାରିଲେ ରାଜ୍ୟର ମଙ୍ଗଳ ହେବ ବୋଲି ସେ ପରାମର୍ଶ ଦେଇଥିଲେ।