ଭୁବନେଶ୍ୱର: ବିଜେଡିର ଦଳୀୟ କାର୍ଯ୍ୟାଳୟରେ ରେଷ୍ଟୁରାଣ୍ଟ ଚାଲୁଛି । ବିଜେପି ପକ୍ଷରୁ ଏଭଳି ଅଭିଯୋଗ ଆସିବା ପରେ ତାକୁ କଡ଼ା ଭାଷାରେ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଶ୍ରୀ ସାହୁ କହିଛନ୍ତି ଯେ ବିଜେପି ଶସ୍ତା ରାଜନୀତି କରୁଛି । ରେଲୱେ ବିଭାଗର କ୍ୟାଣ୍ଟିନ ଅଛି, ସଂସଦର ବି କ୍ୟାଣ୍ଟିନ ଅଛି । ଖାଇବା ଲୋଭ କାହାର ଅଛି ତାହା ମିଡିଆରେ ଦେଖାଯାଉଛି । ବିଜେପି ନେତାଙ୍କୁ ନିମନ୍ତ୍ରଣ ରହିଲା ଯେତେବେଳେ ଇଚ୍ଛା ଆସି ଖାଆନ୍ତୁ । ଶଙ୍ଖଭବନ ତିଆରି ଦିନରୁ ଏହାକୁ ଲୋକଙ୍କ ଅଫିସ କୁହାଯାଉଥିଲା । କ୍ୟାଣ୍ଟିନରେ ଖାଇବା କ’ଣ ଖରାପ । ସାଧାରଣ ଲୋକ ଖାଉଛନ୍ତି । ଯିଏ କ୍ୟାଣ୍ଟିନ ନେଇଛି ସିଏ ବି ଦୁଇ ପଇସା ପାଇ ଚଳିବ ।
ଶଙ୍ଖଭବନକୁ ନେଇ ବିଜେପି ନେତା ଜଗା ପ୍ରଧାନ ଅଭିଯୋଗ କରି କହିଛନ୍ତି ଯେ ବିଜେଡିର ଦଳୀୟ କାର୍ଯ୍ୟାଳୟରେ ରେଷ୍ଟୁରାଣ୍ଟ ଚାଲୁଛି । ଦଳୀୟ କାର୍ଯ୍ୟାଳୟ ପାଇଁ ବିଜେଡ ୨୦୨୧ରେ ସରକାରୀ ଜମି ନେଇଥିଲା । କିନ୍ତୁ ଶଙ୍ଖଭବନ ଏବେ ହୋଟେଲ ପାଲଟିଛି । ଶଙ୍ଖଭବନ କର୍ପୋରେଟ ଚାନ୍ଦାରେ ନିର୍ମାଣ କରାଯାଇଥିଲା । ଆଉ ଏବେ କର୍ପୋରେଟ ପଇସା ଆସୁନଥିବାରୁ ହୋଟେଲର ଆବଶ୍ୟକତା ରହିଛି । ବିଜେଡିର ଏହି ହୋଟେଲକୁ କିଏ ଚଳାଉଛି ଓ ଏହା ପଛର ଉଦେ୍ଧଶ୍ୟ କ’ଣ ବିଜେଡି ତାହା ସ୍ପଷ୍ଟ କରୁ । ଯାହା ପଇସା ଥିଲା ପାଣ୍ଡିଆନ ନେଇକି ପଳାଇଲେ । ତେଣୁ ଶଙ୍ଖଭବନ ଚଳାଇବା ପାଇଁ ବିଜେଡି ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଜଗା ପ୍ରଧାନ କହିଛନ୍ତି । ଏମିତି ରାଜ୍ୟ ସରକାର ବିଜେଡି ଠାରୁ ଜମି ଫେରାଇ ଆଣନ୍ତୁ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି ।