28.1 C
Bhubaneswar
Thursday, September 19, 2024
Homeଓଡିଶାବିଜେପିର ୧୦୦ ଦିନର ସରକାର ହେଉଛି ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

ବିଜେପିର ୧୦୦ ଦିନର ସରକାର ହେଉଛି ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

– ୧୦୦ ଦିନରେ ରାଜ୍ୟର ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ
– ଅସ୍ମିତା ନାଁରେ ଅଣଓଡିଆଙ୍କ ହାତରେ ରାଜ୍ୟ ଶାସନ ଟେକି ଦେଇଛି ବିଜେପି
– ବିଜେପି ସରକାର ନାଁ ଓ ରଙ୍ଗ ପରିବର୍ତ୍ତନର ସରକାର

ଭୁୁବନେଶ୍ୱର : ଅସ୍ମିତା ଓ ବିକାଶର ନାରା ଦେଇ ରାଜ୍ୟରେ ଶାସନକୁ ଆସିଥିବା ବିଜେପି ସରକାର ଏକ ବିଫଳ ଓ ପ୍ରତାରଣାର ସରକାର ବୋଲି ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି । ବିଜେପିର ଏହି ୧୦୦ ଦିନ ସରକାରରେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିବା ସହ ସାଧାରଣ ଲୋକଙ୍କ ଜୀବନଯାପନ ଦୁର୍ବିସହ ହୋଇଯାଇଛି । ଅସ୍ମିତା ନାଁରେ ସେମାନେ ରାଜ୍ୟ ଶାସନର ଦୁଇ ମୁଖ୍ୟ ପଦ ଯଥା ଡିଜିପି ଓ ମୁଖ୍ୟ ଶାସନ ସଚିବ ଦୁଇ ଅଣଓଡିଆ ଅଫିସରଙ୍କ ହାତକୁ ଟେକି ଦେଇଛନ୍ତି । ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ।

ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଅହଂକାରର ଶେଷ ସୀମାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର । ବିଜେପିର ପ୍ରତ୍ୟେକ ପ୍ରତିଶ୍ରୁତି ପାଣିର ଗାର । କଥା ଓ କାମ ମଧ୍ୟରେ ଆକାଶ ପାତାଳର ପ୍ରଭେଦ ରହିଛି । ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ଲହୁଲୁହାଣ କରି ମାଡ ମାରିଲେ । କିନ୍ତୁ ସେ ଅଧିକାରୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନିଜ ଶାସନ କଳର ଉପଯୋଗ କରି ଏ କଥାକୁ ବିଜେପି ସରକାର ଚପାଇ ଦେଲା । କେବଳ ଏତିକି ନୁହେଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଚରମ ନିଦର୍ଶନ ସ୍ୱରୁପ, ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଭରତପୁର ଥାନାରେ ପୋଲିସ ଅମାନବୀୟ ଭାବେ ମାଡ ମାରିଲେ । ଏହା ବିଜେପି ସରକାରର କେଉଁ ଅସ୍ମିତାର ପରିଚୟ । ଦରଦାମ ବୃଦ୍ଧିରେ ଖାଉଟି ଆଜି ହନ୍ତସନ୍ତ । ଉତ୍ତର ପ୍ରଦେଶ ତଥା ପଞ୍ଜାବରୁ ଆସୁଥିବା ଆଳୁ ଟ୍ରେନ କେଉଁ ଷ୍ଟେସନରେ ପହଞ୍ଚିଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ୧୦୦ ଦିନ ମଧ୍ୟରେ ଗୋଟିଏ ନୂଆ ଶିଳ୍ପ ମଧ୍ୟ ସେମାନେ ରାଜ୍ୟକୁ ଆଣିପାରିଲେ ନାହିଁ । ଅନ୍ୟ ପଟେ ଶିଳ୍ପ ନକରି ଜେଏସ୍‌ଡବ୍ଲ୍ୟୁ ରାଜ୍ୟରୁ ଚାଲିଯାଇଛି ।

ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡିଶାର ବିକାଶ ଦେଶର ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କଠାରୁ ସର୍ବାଧିକ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ତାର ୱାର୍କିଂ ପେପର ରିପୋର୍ଟରେ ପ୍ରକାଶ କରିଛି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ଶାସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟର ବିକାଶ କିଭଳି ଶିଖରରେ ପହଞ୍ଚିଥିଲା । କିନ୍ତୁ ଏବେର ମୋହନ ସରକାର ଏକ ୟୁ-ଟର୍ଣ୍ଣ ସରକାର । ନିଷ୍ପତ୍ତି ଘୋଷଣା କରିବା ପରେ ପୁଣି ପରିବର୍ତ୍ତନ କରୁଛନ୍ତି । ସେହିପରି ବଡ ଠାକୁରଙ୍କୁ ତଳେ ପକାଇ କଚାଡି ଦିଆଗଲା । ଏ ଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟତା ଦିଆଗଲା ନାହିଁ । ଆଇନମନ୍ତ୍ରୀ ସଂପୂର୍ଣ୍ଣ ଚୁପ ରହିଲେ । ଏହା ଦର୍ଶାଉଛି ମୋହନ ସରକାରର ବିଫଳତା । ରାଜ୍ୟରେ ପୋଲିସର ବରର୍ବତା ବଢିଚାଲିଥିଲା ବେଳେ ପ୍ରତ୍ୟେକ ବିଭାଗରେ ଏ ସରକାର ବିଫଳ ହୋଇଛି ବୋଲି ଡ. ମହାନ୍ତି କହିଛନ୍ତି । ଏହି ସାମ୍ବାଦିକଙ୍କ ସମ୍ମିଳନୀରେ ବିଜେଡିର ଅନ୍ୟତମ ଗଣମାଧ୍ୟମ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking