17.1 C
Bhubaneswar
Sunday, December 21, 2025
Homeଓଡିଶାପୂର୍ବ ସରକାରଙ୍କ ଅନୁମୋଦିତ ପ୍ରକଳ୍ପକୁ ଆଉଥରେ ଚୁକ୍ତି କରୁଛି ବିଜେପି ସରକାର: ବିଜେଡି

ପୂର୍ବ ସରକାରଙ୍କ ଅନୁମୋଦିତ ପ୍ରକଳ୍ପକୁ ଆଉଥରେ ଚୁକ୍ତି କରୁଛି ବିଜେପି ସରକାର: ବିଜେଡି

– ଇଣ୍ଡିଆନ ଅଏଲର ସମ୍ପ୍ରସାରଣ ଓ ନାପଥା ପ୍ଲାଣ୍ଟ ନବୀନ ଅନୁମୋଦନ କରିଥିଲେ
– ପୁରୁଣା ପ୍ରକଳ୍ପର ନାମ ଓ ରଙ୍ଗ ପରିବର୍ତ୍ତନ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀରେ ସ୍ୱାକ୍ଷର ହୋଇଥିବା ଏମଓୟୁ ମଧ୍ୟରୁ ପାରାଦୀପ ସ୍ଥିତ ଇଣ୍ଡିଆନ ଅଏଲର ସମ୍ପ୍ରସାରଣ ସହିତ ସେଠାରେ ଇଣ୍ଟିଗ୍ରେଟେଡ଼ ନାପଥା କ୍ରାକର ପ୍ରକଳ୍ପ ସ୍ଥାପନ ପାଇଁ ହୋଇଥିବା ଚୁକ୍ତି ପୂର୍ବ ସରକାରଙ୍କ ସମୟରେ ଅନୁମୋଦିତ ହୋଇଥିବା ବେଳେ, ଏହାକୁ ପୁଣିଥରେ କରି ମିଛ ବାହାବା ନେବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଓ ଜାତୀୟ ମୁଖପାତ୍ର ଡ଼ ସଂତୃପ୍ତ ମିଶ୍ର କହିଛନ୍ତି, ରାଜ୍ୟବାସୀଙ୍କୁ ପ୍ରକୃତ ତଥ୍ୟ ନଦେଇ କେବଳ ପୂର୍ବ ପ୍ରକଳ୍ପ ଗୁଡିକର ନାମ ଓ ରଙ୍ଗ ପରିବର୍ତ୍ତନ କରି ନିଜର ବୋଲି ଦାବି କରିବା ରାଜ୍ୟ ସରକାରଙ୍କ ଏକ ଅଭ୍ୟାସରେ ପରିଣତ ହୋଇଛି। ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀ ଠାରେ ସ୍ୱାକ୍ଷରିତ ହୋଇଥିବା କିଛି ଚୁକ୍ତି ମଧ୍ୟରୁ ପାରାଦୀପ ସ୍ଥିତ ଇଣ୍ଡିଆନ ଅଏଲ ପ୍ରକଳ୍ପର ସମ୍ପ୍ରସାରଣ ଓ ନାପଥା କ୍ରାକର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କରାଯାଇଥିବା ଚୁକ୍ତି, ପୂର୍ବ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲେ ମଧ୍ୟ ଏହାକୁ ପୁନର୍ବାର କରାଯାଇ ମିଛ ବାହାଦୁରୀ ନେବାକୁ ଚେଷ୍ଟା କରାଯାଇଛି।

ଶ୍ରୀ ମିଶ୍ର କହିଥିଲେ, ୨୦୧୮ ମସିହା ଜାନୁଆରୀ ୧୧ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପାରାଦୀପରେ ଇଣ୍ଡିଆନ ଅଏଲ ପ୍ରକଳ୍ପର ସମ୍ପ୍ରସାରଣ ଓ ନାପଥା କ୍ରାକର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଦାବି ଜଣାଇଥିଲେ। ୨୦୧୯ ମସିହା ଏପ୍ରିଲ ମାସରେ ଇଣ୍ଡିଆନ ଅଏଲ ତରଫରୁ ଏହି ସମ୍ୱନ୍ଧରେ ଦିଆଯାଇଥିବା ପ୍ରସ୍ତାବକୁ ତତ୍କାଳୀନ ଓଡିଶା ସରକାର ଅନୁମୋଦନ ଦେଇଥିଲେ। ଇଣ୍ଡିଆନ ଅଏଲ ତରଫରୁ ଦିଆଯାଇଥିବା ପ୍ରସ୍ତାବରେ ଏହାର ଉତ୍ପାଦନ କ୍ଷମତା ୧୫ ମିଲିଅନ ଟନରୁ ୨୫ ମିଲିଅନ ଟନ କରିବା ସହିତ ଏକ ନାପଥା କ୍ରାକର ପ୍ଲାଣ୍ଟ ସ୍ଥାପନ ପାଇଁ ୧ ଲକ୍ଷ ୩ ଶହ କୋଟି ଟଙ୍କା ବ୍ୟୟର ବ୍ୟବସ୍ଥା ରହିଥିଲା। ସେହିପରି, ୨୦୨୩ ମସିହାରେ ତତ୍କାଳୀନ ଶିଳ୍ପ ସଚିବଙ୍କ ଦ୍ୱାରା ଇଣ୍ଡିଆନ ଅଏଲର ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ କ’ଣ କ’ଣ ପ୍ରୋତ୍ସାହନ ପ୍ରଦାନ କରାଯିବ ତାହାର ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ତେଣୁ, ଗୋଟିଏ ପୁରୁଣା ପ୍ରକଳ୍ପ ପାଇଁ ଆଉଥରେ ଚୁକ୍ତି ସ୍ୱାକ୍ଷର କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ଜେଏସଡବ୍ଲୁ ଇଭି ପ୍ରକଳ୍ପ, ଚୌଦ୍ୱାରରେ ୱେଲସ୍ପନ ଟେକ୍ସଟାଇଲ ପ୍ରକଳ୍ପ ଭଳି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଅନେକ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ରାଜ୍ୟବାସୀଙ୍କୁ ପ୍ରଦାନ କରାଯିବା ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଡ଼ ମିଶ୍ର ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking