24.1 C
Bhubaneswar
Monday, April 6, 2026
Homeଓଡିଶାସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କର : ନବୀନ ପଟ୍ଟନାୟକ

ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କର : ନବୀନ ପଟ୍ଟନାୟକ

ଶଙ୍ଖ ଭବନରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପ୍ରସ୍ତୁତି ବୈଠକ 
ବରିଷ୍ଠ ନେତୃବୃନ୍ଦଙ୍କ ସହ ନବୀନ ପଟ୍ଟନାୟକଙ୍କ ବିଚାର ବିମର୍ଶ 
ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ, ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୬ ରେ ସରିବ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା
ଗୋପବନ୍ଧୁଙ୍କ ଜୟନ୍ତୀରୁ ଦୁଇ ମାସ ବ୍ୟାପୀ ଚାଲିବ ସଭ୍ୟ ସଂଗ୍ରହ ଅଭିଯାନ ବିଜେପି ସରକାରରେ ମହିଳା ଅସୁରକ୍ଷିତ, ସରକାରୀ କର୍ମଚାରୀ ବି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି 
ଅପାରଗତା ଯୋଗୁଁ ପୁଞ୍ଜି ଫେରି ଯାଉଛି 
ଭୁବନେଶ୍ୱର: ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି । ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ନାରୀ ନିର୍ଯାତନା ବଢି ଚାଲିଛି । ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି । ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଓଡିଶାରୁ ପୁଞ୍ଜି ଫେରି ଯାଉଛି । ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ । ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆଜି ଶଙ୍ଖ ଭବନରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶୃତି ଆଜି ସାଧାରଣ ଲୋକଙ୍କୁ ହତଚକିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ବିଜେପି ସରକାରର ବିଫଳତା ଓ ମିଛ ପ୍ରତିଶୃତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଏକ ଦାୟୀତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି । ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଗତ ଚବିଶ ବର୍ଷ ଭିତରେ ବିଜେଡି ସରକାରର ସଫଳତା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶାର ମୁଣ୍ଡପିଛା ରୋଜଗାର ସର୍ବାଧିକ ବୃଦ୍ଧି ଘଟିଛି ଯାହାକି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ ଅଧିକ । ସେହିପରି ମୁଣ୍ଡପିଛା ଋଣ ପରିମାଣ ମଧ୍ୟ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ କମ୍‌ ରହିଛି । ଜନ ସମ୍ପର୍କ ପଦଯାତ୍ରା ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପ୍ରତିବର୍ଷ ପରି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ । ଅକ୍ଟୋବର ୬ ରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହେବ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ । ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ ତାରିଖରୁ ଡିସେମ୍ବର ୯ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଜାରୀ ରହିବ ବୋଲି ଘୋଷଣା କରିଥିଲେ ।

ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଜେଡି ସମନ୍ୱୟ କମିଟିର ମୁଖ୍ୟ ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ସଞ୍ଜୟ ଦାସ ବର୍ମା, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ଅରୁଣ ସାହୁ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ସୁଦାମ ମାର୍ଣ୍ଡି, ଶ୍ରୀ ବିକ୍ରମ ଆରୁଖ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ବଦ୍ରୀ ପାତ୍ର, ଶ୍ରୀ ଦେବୀରଞ୍ଜନ ମିଶ୍ର, ଦୀପାଳୀ ଦାସ ଓ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ମଜବୁତ୍‌ କରିବା ପାଇଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking