29.1 C
Bhubaneswar
Monday, January 19, 2026
Homeଓଡିଶାବିଜେପିର ୧୦୦ ଦିନର ସରକାର ହେଉଛି ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

ବିଜେପିର ୧୦୦ ଦିନର ସରକାର ହେଉଛି ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

 ୧୦୦ ଦିନରେ ରାଜ୍ୟର ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ
 ଅସ୍ମିତା ନାଁରେ ଅଣଓଡିଆଙ୍କ ହାତରେ ରାଜ୍ୟ ଶାସନ ଟେକି ଦେଇଛି ବିଜେପି
 ବିଜେପି ସରକାର ନାଁ ଓ ରଙ୍ଗ ପରିବର୍ତ୍ତନର ସରକାର
ଭୁୁବନେଶ୍ୱର : ଅସ୍ମିତା ଓ ବିକାଶର ନାରା ଦେଇ ରାଜ୍ୟରେ ଶାସନକୁ ଆସିଥିବା ବିଜେପି ସରକାର ଏକ ବିଫଳ ଓ ପ୍ରତାରଣାର ସରକାର ବୋଲି ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି। ବିଜେପିର ଏହି ୧୦୦ ଦିନ ସରକାରରେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିବା ସହ ସାଧାରଣ ଲୋକଙ୍କ ଜୀବନଯାପନ ଦୁର୍ବିସହ ହୋଇଯାଇଛି। ଅସ୍ମିତା ନାଁରେ ସେମାନେ ରାଜ୍ୟ ଶାସନର ଦୁଇ ମୁଖ୍ୟ ପଦ ଯଥା ଡିଜିପି ଓ ମୁଖ୍ୟ ଶାସନ ସଚିବ ଦୁଇ ଅଣଓଡିଆ ଅଫିସରଙ୍କ ହାତକୁ ଟେକି ଦେଇଛନ୍ତି। ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ।
ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଅହଂକାରର ଶେଷ ସୀମାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର। ବିଜେପିର ପ୍ରତ୍ୟେକ ପ୍ରତିଶ୍ରୁତି ପାଣିର ଗାର। କଥା ଓ କାମ ମଧ୍ୟରେ ଆକାଶ ପାତାଳର ପ୍ରଭେଦ ରହିଛି। ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ଲହୁଲୁହାଣ କରି ମାଡ ମାରିଲେ। କିନ୍ତୁ ସେ ଅଧିକାରୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନିଜ ଶାସନ କଳର ଉପଯୋଗ କରି ଏ କଥାକୁ ବିଜେପି ସରକାର ଚପାଇ ଦେଲା। କେବଳ ଏତିକି ନୁହେଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଚରମ ନିଦର୍ଶନ ସ୍ୱରୁପ, ଭାରତୀୟ ସେନାବାହିନୀର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୋଲିସ ଅମାନବୀୟ ଭାବେ ମାଡ ମାରିଲେ। ଏହା ବିଜେପି ସରକାରର କେଉଁ ଅସ୍ମିତାର ପରିଚୟ। ଦରଦାମ ବୃଦ୍ଧିରେ ଖାଉଟି ଆଜି ହନ୍ତସନ୍ତ। ଉତ୍ତର ପ୍ରଦେଶ ତଥା ପଞ୍ଜାବରୁ ଆସୁଥିବା ଆଳୁ ଟ୍ରେନ କେଉଁ ଷ୍ଟେସନରେ ପହଞ୍ଚିଛି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ୧୦୦ ଦିନ ମଧ୍ୟରେ ଗୋଟିଏ ନୂଆ ଶିଳ୍ପ ମଧ୍ୟ ସେମାନେ ରାଜ୍ୟକୁ ଆଣିପାରିଲେ ନାହିଁ। ଅନ୍ୟ ପଟେ ଶିଳ୍ପ ନକରି ଜେଏସ୍‌ଡବ୍ଲ୍ୟୁ ରାଜ୍ୟରୁ ଚାଲିଯାଇଛି।
ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡିଶାର ବିକାଶ ଦେଶର ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କଠାରୁ ସର୍ବାଧିକ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ତାର ୱାର୍କିଂ ପେପର ରିପୋର୍ଟରେ ପ୍ରକାଶ କରିଛି। ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ଶାସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟର ବିକାଶ କିଭଳି ଶିଖରରେ ପହଞ୍ଚିଥିଲା। କିନ୍ତୁ ଏବେର ମୋହନ ସରକାର ଏକ ୟୁ-ଟର୍ଣ୍ଣ ସରକାର। ନିଷ୍ପତ୍ତି ଘୋଷଣା କରିବା ପରେ ପୁଣି ପରିବର୍ତ୍ତନ କରୁଛନ୍ତି। ସେହିପରି ବଡ ଠାକୁରଙ୍କୁ ତଳେ ପକାଇ କଚାଡି ଦିଆଗଲା। ଏ ଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟତା ଦିଆଗଲା ନାହିଁ। ଆଇନମନ୍ତ୍ରୀ ସଂପୂର୍ଣ୍ଣ ଚୁପ ରହିଲେ। ଏହା ଦର୍ଶାଉଛି ମୋହନ ସରକାରର ବିଫଳତା। ରାଜ୍ୟରେ ପୋଲିସର ବର୍ବରତା ବଢିଚାଲିଥିଲା ବେଳେ ପ୍ରତ୍ୟେକ ବିଭାଗରେ ଏ ସରକାର ବିଫଳ ହୋଇଛି ବୋଲି ଡ. ମହାନ୍ତି କହିଛନ୍ତି। ଏହି ସାମ୍ବାଦିକଙ୍କ ସମ୍ମିଳନୀରେ ବିଜେଡିର ଅନ୍ୟତମ ଗଣମାଧ୍ୟମ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking