28.1 C
Bhubaneswar
Sunday, September 8, 2024
Homeଓଡିଶାଓଡିଶାବାସୀଙ୍କ ଆଶୀର୍ବାଦରେ ସରକାର ଗଢିଲେ, ବଜେଟରେ ପ୍ରତାରଣା କଲେ: ବିଜେଡି

ଓଡିଶାବାସୀଙ୍କ ଆଶୀର୍ବାଦରେ ସରକାର ଗଢିଲେ, ବଜେଟରେ ପ୍ରତାରଣା କଲେ: ବିଜେଡି

– ଓଡିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବା ପ୍ରତିଶ୍ରୁତି କୁଆଡେ ଗଲା?
– ପୋଲାଭରମ୍ ଜରିଆରେ ଆନ୍ଧ୍ରକୁ ସମର୍ଥନ, ଓଡିଶା ସହ ପ୍ରତାରଣା
– ଓଡିଶାବାସୀ ଧୂଳି ଧୁଆଁ ଖାଇବେ, କୋଇଲା ରୟାଲଟି ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି

ଭୁବନେଶ୍ୱର : କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ସମସ୍ତ କେନ୍ଦ୍ରୀୟ ନେତା ଓଡିଶାରେ ଆସି ନିର୍ବାଚନ ପ୍ରଚାର ବେଳେ ଅନେକ ସ୍ୱପ୍ନ ଦେଖାଇଥିଲେ । ଶ୍ରୀ ଜଗନ୍ନାଥଙ୍କ ନାଁ ବ୍ୟବହାର କରି ଏବଂ ଓଡିଆ ଅସ୍ମିତାର ଦ୍ୱାହି ଦେଇ ଭୋଟ୍ ମାଗିଥିଲେ । ଓଡିଶାବାସୀ ସେମାନଙ୍କ କଥାରେ ଭରସା କରି ନିର୍ବାଚନରେ ବିଜେପିର ୨୦ ସାଂସଦଙ୍କୁ ଜିତାଇଥିଲେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜେ ଓଡିଶା ମାଟିରେ କହିଥିଲେ, ଓଡିଶାରୁ ଜିତିଥିବା ଆସନ ପାଇଁ କେନ୍ଦ୍ରରେ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲୁ । ହେଲେ କେନ୍ଦ୍ରୀୟ ବଜେଟରେ ସେହି ଓଡିଶା ସହ ପ୍ରତାରଣା କରିବାକୁ କିଭଳି ପଛାଇଲେ ନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି ।

ଶ୍ରୀ ବକ୍ସିପାତ୍ର ଆହୁରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ଏନଡିଏର ୧୬ ସାଂସଦ ଓ ବିହାରରେ ଏନଡିଏର ୧୨ ସାଂସଦ ଜିତିଥିବା ବଳେ, ଓଡିଶାରୁ ବିଜେପିର ୨୦ ସାଂସଦଙ୍କୁ ରାଜ୍ୟବାସୀ ନିର୍ବାଚିତ କରିଥିଲେ । ହେଲେ ଚଳିତ ବଜେଟରେ ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ହାତଖୋଲା ପାଣ୍ଠି ଦେଇଥିବା ବେଳେ ଓଡିଶା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ବିଜେପି ସରକାର । ଯାହା ସାଢେ ୪ କୋଟି ଓଡିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁ ଜଗନ୍ନାଥଙ୍କ ରାଜ୍ୟରୁ ଅକୁଣ୍ଠ ସମର୍ଥନ ପାଇ ସରକାର ଗଠନ କରିବାରେ ବିଜେପି ସକ୍ଷମ ହେଲା, ସେହି ଜଗନ୍ନାଥଙ୍କ ରାଜ୍ୟ ପ୍ରତି ଏହିଭଳି ଆଚରଣ ଦୁର୍ଭାଗ୍ୟଜନକ ।

ଲଗାତର ବାତ୍ୟା, ବନ୍ୟାର ଶିକାର ହେଉଥିବା ଓଡିଶା ରାଜ୍ୟ ନିଜସ୍ୱ ଉଦ୍ୟମରେ ଏହାର ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିଲା । କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ଦୀର୍ଘମିଆଦୀ ସହାୟତା ଯୋଗାଇବା ପାଇଁ ଓଡିଶା ବାରମ୍ବାର ଦାବି କରି ଆସୁଥିବା ବେଳେ ଚଳିତ ବଜେଟରେ ଆସାମ୍‌, ଉତରାଖଣ୍ଡ, ସିକିମ, ହିମାଚଳପ୍ରଦେଶ ଓ ବିହାର ଭଳି ରାଜ୍ୟକୁ ଅଯାଚିତ ସହାୟତା ପ୍ରଦାନ କରି ଓଡିଶାକୁ ଉପେକ୍ଷା କରିବା ରାଜ୍ୟବାସୀଙ୍କ ପ୍ରତି ଉପହାସ ନୁହେଁ ତ ଆଉ କଣ ବୋଲି ବିଜେଡି ପ୍ରଶ୍ନ କରିଛି ।

ଆନ୍ଧ୍ରପ୍ରଦେଶର ଦାବି ମୁତାବକ୍ ପୋଲାଭରମ୍ ପ୍ରକଳ୍ପ ସମ୍ପୁର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାର ବଜେଟରେ ଅର୍ଥ ବ୍ୟୟବରାଦ କରିଛନ୍ତି । ଯାହା ଓଡିଶାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାର୍ଥର ପରିପନ୍ଥୀ ଅଟେ । ଏହି ପ୍ରକଳ୍ପ ପାଇଁ ୧୨ଟି ଗାଁ ସମ୍ପୂର୍ଣ୍ଣ ବୁଡିଯିବାକୁ ଥିବା ବେଳେ, ବିଜେପି ଦଳର ଏଭଳି ଆଭିମୁଖ୍ୟ ଆମକୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଓଡିଶାକୁ ୧ ନମ୍ବର ରାଜ୍ୟ କରି ଗଢିତୋଳିବାକୁ ସମସ୍ତ କେନ୍ଦ୍ରୀୟ ନେତା ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଏହା କଣ ତାର ନମୂନା କି ବୋଲି ବିଜେଡି ପ୍ରଶ୍ନ କରିଛି ।

ଇଣ୍ଡଷ୍ଟ୍ରିଆଲ କରିଡର୍ ମାଧ୍ୟମରେ ଅନ୍ୟ ରାଜ୍ୟର ବିକାଶ ପାଇଁ ବଜେଟରେ ଘୋଷଣା ହୋଇଥିବା ବେଳେ ଓଡିଶାକୁ ବିଜେପି ସରକାର ଭୁଲିଯିବା ଦୁର୍ଭାଗ୍ୟଜନକ । ଓଡିଶାରୁ ଉତୋଳିତ କୋଇଲା ବ୍ୟବହାର କରି ଅନ୍ୟ ରାଜ୍ୟ ସମୃଦ୍ଧ ହେଉଥିବା ବେଳେ ଓଡିଶାବାସୀ ଧୁଳି, ଧୁଆଁରେ ଅଣନିଶ୍ୱାସୀ ହେଉଛନ୍ତି । ମାତ୍ର କୋଇଲା ରୟାଲଟି ସଂଶୋଧନ ନେଇ ଓଡିଶାର ଦାବି ପ୍ରତି ବିଜେପି ସରକାର ଗତ ୧୦ ବର୍ଷ ଧରି ଅଣଦେଖା କରି ଆସୁଥିବା ବେଳେ ଡବଲ୍ ଇଂଜିନ୍ ସରକାର ସମୟରେ ଏହାକୁ ସଂପୂର୍ଣ୍ଣ ଉଛେଦ କରିବାକୁ ଷଡଯନ୍ତ୍ର ରଚୁଛନ୍ତି । ଯାହା ରାଜ୍ୟବାସୀଙ୍କ ପାଇଁ ଚରମ ପ୍ରତାରଣା ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ପର୍ଯ୍ୟଟନ କ୍ଷେତ୍ର ପାଇଁ କିଛି ଅନୁଦାନ ମିଳିଥିବା ବିଜେପି ନେତା ଦାବି କରୁଛନ୍ତି, ହେଲେ କେତେ ଅନୁଦାନ ମିଳିଛି କେଉଁଥିପାଇଁ ମିଳିଛି, ତାର ସ୍ପଷ୍ଟତା ନାହିଁ । ବିଜେପିର ୨୦ ଜଣ ସାଂସଦଙ୍କୁ ଜିତାଇବାର ଫଳ ମିଳିଲା ବୋଲି ଓଡିଶାବାସୀ ଆଜି ଅନୁଭବ କରୁଛନ୍ତି । ବିଜୁ ଜନତା ଦଳ ଏଭଳି ଚରମ ଅବହେଳାକୁ ବରଦାସ୍ତ କରିବ ନାହିଁ, ଓଡିଶାର ସ୍ୱାର୍ଥ ପାଇଁ ସମସ୍ତ ଫୋରମରେ ଦଳର ତୀବ୍ର ପ୍ରତିବାଦ ଜାରି ରହିବ ବୋଲି ବିଜେଡି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking