35.1 C
Bhubaneswar
Monday, May 5, 2025
Homeଓଡିଶାଯାଜପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

ଯାଜପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

ଯାଜପୁର: ଆଜି ପୂର୍ବାହ୍ନ ୦୯:୦୦ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି । ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ନିଜ ଅଭିଭାଷଣ ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କ ଅବଦାନ କୁ ଉଲ୍ଲେଖ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଆ ଭାଷାଭାଷୀ ଅଂଚଳ କୁ ଏକାଠି କରି ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବର୍ତମାନ ପରିପ୍ରେକ୍ଷୀରେ ତାଙ୍କ ଅବଦାନ କୁ ମନେ ପକାଇବା ଏବଂ ଆମ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲ ଗଠନରେ ତାଙ୍କର ଭୂମିକା ଓ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ତାଙ୍କ ଭଳି ମହତ୍ ଚିନ୍ତା ରଖି ଭଲ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ।

ଏହି ଜୟନ୍ତୀ ଉତ୍ସବରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ ସମସ୍ତଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମ ଜୟନ୍ତୀର ଶୁଭେଚ୍ଛା ଜଣାଇବା ଆଜିର ଦିବସ ପାଳନ ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି କହିଥିଲେ। ଓଡ଼ିଆ ଅସ୍ମିତା ବିଷୟରେ ବର୍ଣ୍ଣନା କରି ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହେବାରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ବୋଲି କହିଥିଲେ। ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ସର୍ବପ୍ରଥମେ ମାନ୍ୟତା ପାଇଥିଲା। ବ୍ରିଟିଶ ଶାସନ ସମୟର ଆସିଥିବା ଭାରତ ଶାସନ ଆଇନ୍ କିମ୍ବା ମଣ୍ଟେଗ୍ୟୁ ଚେମ୍ସଫର୍ଡ କମିଶନ ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ ଥିଲା। ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ସମସ୍ତ ବରପୁତ୍ର ମାନଙ୍କ ବିଷୟରେ ପଢ଼ିବା ପାଇଁ ଏବଂ ଜାଣିବା ପାଇଁ ଏବଂ ତାଙ୍କୁ ଆଦର୍ଶ ମାନି ତାଙ୍କ ତାଙ୍କ ପଥକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରବି ଶତପଥୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ ଉପରେ ଉଲ୍ଲେଖ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି କୁ ଆଗକୁ ବଢେଇବାରେ କର୍ଣ୍ଣଧାର ସାଜିଥିଲେ । ବରପୁତ୍ରଙ୍କ ଜୀବନୀ ଜାଣିବା ରେ କୁଣ୍ଠା ବୋଧ ନ କରିବାକୁ ବର୍ତ୍ତମାନ ର ଯୁବପିଢୀ କୁ ଉପଦେଶ ଦେଇଥିଲେ । କୃଷ୍ଣଚନ୍ଦ୍ର ଗଜପତି ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକତ୍ରିକରଣ ର ବୀଜ ବୁଣିଥିଲେ । । ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ରାଜ୍ୟରେ ଶିକ୍ଷା, କୃଷି, ଗମନାଗମନ ଓ ସାଂସ୍କୃତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ମହାରାଜାଙ୍କ ଦୂରଦୃଷ୍ଟି ଓ ତ୍ୟାଗ ଆଜି ମଧ୍ୟ ଓଡ଼ିଆ ଜାତି ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଜୟନ୍ତୀ ଅବସରରେ ସମସ୍ତେ ଏକତ୍ରିତ ହୋଇ ତାଙ୍କ ଆଦର୍ଶକୁ ଅନୁସରଣ କରିବାକୁ ସଂକଳ୍ପ ନେବା ଉଚିତ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଲମ୍ୱୋଦର ଖୁଣ୍ଟିଆ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ ଓ ଅବଦାନ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ବାଳାଶ୍ରମର ଛାତ୍ର ଛାତ୍ରୀ, ବିରଜା ନର୍ସିଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ଉକ୍ତ ଜୟନ୍ତୀ ଉତ୍ସବ ଅବସରରେ ସହରରେ ଥିବା ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking