ଭୁବନେଶ୍ୱର: ରାଜ୍ୟରେ ବାର୍ଡ ଫ୍ଲୁ ରୋଗ ଜନିତ ବର୍ତ୍ତମାନର ସ୍ଥିତି ଏବଂ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା, ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ସୁଶ୍ରୀ ଅଳକା ଉପାଧ୍ୟାୟ, ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଭୁବନେଶ୍ୱର ମହାନଗର ନିଗମର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ପୁରୀ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଯୋଗଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଆମ ରାଜ୍ୟର କେବଳ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡ଼ା ଏବଂ ଡେଲାଙ୍ଗ ବ୍ଲକର ଚାରିଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି ।
ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁଯାୟୀ ଏହି ରୋଗର ନିୟନ୍ତ୍ରଣ ଏବଂ ନିରାକରଣ କାର୍ଯ୍ୟକ୍ରମ ଚାଲୁଛି । ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସଂକ୍ରମିତ କୁକୁଡ଼ାଗୁଡିକୁ ମରାଯାଇସାରିଥିବା ସ୍ଥଳେ ଡେଲାଙ୍ଗ ଏବଂ ନିମାପଡା ବ୍ଲକରେ ଏହି ପ୍ରକ୍ରିୟା ଜାରି ରହିଛି । ରୋଗ ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୩୫,୩୨୯ଟି କୁକୁଡ଼ା ମରାଯାଇଛି । ସେହିପରି ୮୪ ଟି ଅଣ୍ଡା ଏବଂ ୧୫,୩୮୦ କିଲୋଗ୍ରାମ କୁକୁଡ଼ା ଦାନା ନଷ୍ଟ କରାଯାଇଛି । ଏ ପର୍ଯ୍ୟନ୍ତ ୧୦,୯୪,୫୭୨ ଟଙ୍କା କ୍ଷତିପୂରଣ ଅର୍ଥ ଭାବରେ କୃଷକମାନଙ୍କୁ ପ୍ରଦାନ କରାଯାଇଛି ।
ମୁଖ୍ୟ ଶାସନ ସଚିବଙ୍କ ନିଦ୍ଦେଶ ଅନୁଯାୟୀ ରାଜ୍ୟରେ ଥିବା ପ୍ରମୁଖ ଜଳ ଉତ୍ସ ଏବଂ ପୂର୍ବରୁ ବାର୍ଡ ଫ୍ଲୁ ହୋଇଥିବା ଜିଲ୍ଲାମାନଙ୍କରେ ନମୁନା ସଂଗ୍ରହ ପ୍ରକ୍ରିୟା ତଥା ରୋଗର ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଜନ ସଚେତନତା କାର୍ଯ୍ୟକ୍ରମ ଜାରିରହିଛି । ରୋଗ ଚିହ୍ନଟ ପାଇଁ ଅଧିକ ନମୂନା ପଠାଇବା ସହିତ କୁକୁଡ଼ା ତଥା କୁକୁଡ଼ା ଚାଷ ସହ ଜଡିତ ଦାନା ଏବଂ ଅନ୍ୟାନ୍ୟ ସାମଗ୍ରୀ, ସଂକ୍ରମିତ ଅଞ୍ଚଳକୁ ନେବା ଆଣିବାକୁ ନିୟନ୍ତ୍ରଣ କରାଯିବ । ଜନସାଧାରଣ ଏଥିପାଇଁ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ଏ ଦିଗରେ ସଚେତନତା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।
ଭାରତ ସରକାରଙ୍କର ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ଏହି ରୋଗର ନିୟନ୍ତ୍ରଣ ତଥା ନିରାକରଣ ପାଇଁ ରାଜ୍ୟକୁ ସମସ୍ତ ପ୍ରକାରର ସହାୟତା ପାଇଁ ନିଶ୍ଚିତ କରିଛନ୍ତି । ପରବର୍ତ୍ତୀ ତଦାରଖ ପାଇଁ ଏକ କେନ୍ଦ୍ରୀୟ ଦଳ ଖୁବଶୀଘ୍ର ରାଜ୍ୟକୁ ଆସନ୍ତା ୪ ଓ ୫ ତାରିଖ ରେ ପରିଦର୍ଶନ କରିବେ । ସମସ୍ତ ବ୍ୟବସାୟିକ ଭିତ୍ତିକ କୁକୁଡ଼ା ଫାର୍ମ ଗୁଡିକର ପଞ୍ଜୀକରଣ ଏବଂ ଅବସ୍ଥିତିର ସଠିକ ତଥ୍ୟ ସଂଗ୍ରହ କରାଯିବା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଓଡ଼ିଶା ସରକାରଙ୍କ ଦ୍ୱାରା କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀମାନଙ୍କୁ ଦିଆଯାଉଥିବା ତତ୍କାଳ କ୍ଷତି ପୂରଣ ପ୍ରକ୍ରିୟାକୁ ଭାରତ ସରକାରଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା ।