18.1 C
Bhubaneswar
Saturday, January 17, 2026
Homeଓଡିଶା୧୮ରୁ ଚିଲିକାରେ ପକ୍ଷୀ ଓ ଡଲ୍‌ଫିନ୍ ଗଣନା

୧୮ରୁ ଚିଲିକାରେ ପକ୍ଷୀ ଓ ଡଲ୍‌ଫିନ୍ ଗଣନା

ବାଣପୁର: ଚିଲିକାରେ ଆସନ୍ତା ୧୮ ତାରିଖରେ ପକ୍ଷୀ ଓ ୨୦ ତାରିଖରେ ଡଲ୍‌ଫିନ୍ ଗଣନା କରାଯିବ। ଏ ନେଇ ଶୁକ୍ରବାର ପୂର୍ବାହ୍ନରେ ବାଲୁଗାଁସ୍ଥିତ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି। ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ ଅମ୍ଲାନ ନାୟକ କହିଛନ୍ତି। ସକାଳ ୬ରୁ ଅପରାହ୍ନ ୧ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକାର ୫ଟି ରେଞ୍ଜ୍େ‌ର ୨୨ଟି ଟିମ୍ (ଜଳ ଭାଗରେ ୨୦ଟି ଓ ସ୍ଥଳ ଭାଗରେ ୨ଟି) ପକ୍ଷୀ ଗଣନାରେ ନିୟୋଜିତ ରହିବେ। ପ୍ରତି ଟିମ୍‌ରେ ଜଣେ ପକ୍ଷୀ ବିଶାରଦ ଏବଂ ୩ରୁ ୫ ଜଣ ଗଣନାକାରୀ ଯୋଗଦେବେ। ଏଥିସହିତ ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ପକ୍ଷୀ ସୂଚନା ସମ୍ବନ୍ଧୀୟ ମାନଚିତ୍ର, ଜିପିଏସ୍‌, ବାଇନାକୁଲାର, ସ୍ପୋର୍ଟିଂ ସ୍କୋପ୍‌, ୱାକିଟକି, ନୋଟ୍‌ବୁକ୍ ବ୍ୟବହାର କରାଯିବ। ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟି, ଓଡ଼ିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହେବେ ବୋଲି ସୂଚନା ମିଳିଛି।

ଗଣନା ସମୟରେ ଚିଲିକାରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଶନିବାର ଦିନ ପକ୍ଷୀ ଗଣନାକାରୀଙ୍କୁ ବଡ଼କୁଳସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଓ ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରାଯିବ। ଉକ୍ତ ତାଲିମରେ ୧୩୦ରୁ ଉର୍ଦ୍ଧ୍ୱ ପକ୍ଷୀ ଗଣନାକାରୀ ସାମିଲ ହେବା ନେଇ ଡିଏଫ୍‌ଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସୂଚନା ଥାଉକି ଗତବର୍ଷ ଚିଲିକାକୁ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେଥିପାଇଁ ଚଳିତ ବର୍ଷ ୨୧ଟି ଟିମ୍ ପରିବର୍ତ୍ତେ ବାଲୁଗାଁ ରେଞ୍ଜ ଅନ୍ତର୍ଗତ କଳିଯୁଗେଶ୍ୱର-କାଲୁରୀ ନୂତନ ଟିମ୍ ଗଠନ କରାଯାଇଥିବା ବେଳେ ସମୁଦାୟ ୨୨ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ରହିବେ।

ସେହିପରି ଆସନ୍ତା ୨୦ ତାରିଖରେ ଡଲ୍‌ଫିନ୍ ଗଣନା ଆରମ୍ଭ ହେବ। ଏହି ଗଣନା କାର୍ଯ୍ୟ ୨୨ ତାରିଖ ପର୍ଯ୍ୟନତ ତିନିଦିନ ଜାରି ରହିବ। ଏଥିପାଇଁ ୧୯ ତାରିଖରେ ଡଲ୍‌ଫିନ୍ ଅଭୟାରଣ୍ୟ ସାତପଡ଼ା ଓ ବାଲୁଗାଁଠାରେ ପୃଥକ୍ ଭାବେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଡଲ୍‌ଫିନ୍ ଗଣନା ନିମନ୍ତେ ସମୁଦାୟ ୨ଟି ରେଞ୍ଜ୍‌ର ୩ଟି ସେକ୍ଟର୍‌ରେ ୧୮ ଟିମ ନିୟୋଜିତ ହୋଇଛି। ତନ୍ମଧ୍ୟରୁ ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମ୍‌ରେ ୫ରୁ ୬ଜଣଙ୍କ ସମେତ ଦୁଇଜଣ ଡଙ୍ଗା ଚାଳକ ରହିବାନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଗଣନାରେ ୧୪୫ ଜଣ ବିଭାଗୀୟ କର୍ମଚାରୀ, ସ୍ୱେଛାସେବୀ, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ୍ ସୋସାଇଟି, ଓଡ଼ିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ଅଣସରକାରୀ ସଂସ୍ଥା କର୍ମଚାରୀମାନେ ସାମିଲ ହେବେ। ଏଥିସହିତ ସ୍ଥାନୀୟ ମତ୍ସ୍ୟଜିବୀ ଓ ବିଭିନ୍ନ ଡଙ୍ଗା ଚାଳକ ସଂଘ ମାନେ ସହଯୋଗ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଅନୁଷ୍ଠିତ ବୈଠକରେ ଡିଏଫ୍‌ଓଙ୍କ ବ୍ୟତୀତ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜର୍ ରଶ୍ମିତା ଜେନା, ଏସିଏଫ୍ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking