ଦିଗପହଣ୍ଡି: ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗଣିଆନାଳ ଛକ ନିକଟସ୍ଥ ମା’ କୁରେଇଶୁଣି ମନ୍ଦିର ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଟାରେ ଏକ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଢେପାଗୁଡା ଗ୍ରାମର ପ୍ରତାପ ମଲ୍ଲିକ (୩୫) ଓ ସ୍ତ୍ରୀ ଲଳିତା ମଲ୍ଲିକ (୩୦)। ତେବେ ତାଙ୍କ ୨ ବର୍ଷରୁ ଊର୍ଦ୍ଧ୍ୱ ଶିଶୁ ସମେତ ଆର୍. ଉଦୟଗିରି ଅଞ୍ଚଳର ବାଇକ ଚାଳକ ସୁନୀଲ ଦଳାଇ (୩୬) ଗୁରୁତର ଆହତ ହୋଇଛନ୍ତି। ଲଳିତା ୮ ମାସର ଗର୍ଭବତୀ ରହିଥିବା ହେତୁ ମଧ୍ୟାହ୍ନ ସମୟରେ ସ୍ୱାମୀ ଓ ଶିଶୁ ସହ ସ୍କୁଟି ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଯାଇଥିଲେ। ମେଡିକାଲ କାମ ସାରି ସନ୍ଧ୍ୟାରେ ଗ୍ରାମକୁ ଫେରୁଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ସୁନୀଲଙ୍କ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଯାହାଫଳରେ ସମସ୍ତେ ରାସ୍ତାର ଉଭୟ ପାର୍ଶ୍ୱରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେଡାକ୍ତର ପ୍ରତାପ ଓ ଲଳିତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ସୁନୀଲଙ୍କ ଚିକିତ୍ସା କରାଯାଉଛି। ତେବେ ଶିଶୁଟି ମାଆ ବାପାକୁ ହରାଇ ବାହୁନି ବାହୁନି କାନ୍ଦୁଥିବା ବେଳେ ମେଡିକାଲ ପରିସର ପରିବାର ଲୋକଙ୍କ କ୍ରନ୍ଦନରେ ଫାଟି ପଡୁଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ଦୁଇ ମୃତଦେହ ଜବତ କରି ତଦନ୍ତ ଚଳାଇବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିଛନ୍ତି। ଶନିବାର ସକାଳୁ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।










