17.1 C
Bhubaneswar
Tuesday, December 23, 2025
Homeଓଡିଶାବିଜୁ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି : ନବୀନ

ବିଜୁ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି : ନବୀନ

ଭୁବନେଶ୍ୱର: ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ । ଓଡିଶାବାସୀଙ୍କ ପ୍ରିୟ ନେତା, ମହାନ ଜନନାୟକ, ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି । ସାହସ ଏବଂ କରୁଣାରେ ପରିପୂର୍ଣ୍ଣ ଏକ ବିଶାଳ ହୃଦୟ ସହିତ ଜଣେ ଉଚ୍ଚ ପୁରୁଷଙ୍କ ଚିତ୍ର ଆମ ମନକୁ ଆସେ । ସେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ପାଇଁ ବିଶ୍ୱାସର ସ୍ତମ୍ଭ ଥିଲେ । ମୁଁ ପୂର୍ବରୁ କହିଥିଲି ଯେ ବିଜୁ ବାବୁ ନିରନ୍ତର ଏକ ଧାରଣା, ମାନବିକ ଆକାଂକ୍ଷାର ବ୍ୟାପକତାକୁ ସାକାର କରିବାର ଏକ ଧାରଣା, ଓଡ଼ିଆ ସ୍ୱାଭିମାନ, ନିସ୍ୱାର୍ଥପର ସେବା ଏବଂ ସଶକ୍ତିକରଣର ଏକ ଧାରଣା ।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଓଡ଼ିଶାରେ କ୍ଷମତାକୁ ଆସିବା ପରେ, ବିଜେପି ସରକାର ବିଜୁ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଲୋକଙ୍କ ତୀବ୍ର ପ୍ରତିବାଦର ସମ୍ମୁଖୀନ ହୋଇ, ସେମାନେ ନିଜ ନିଷ୍ପତ୍ତିରୁ ଫେରିବାକୁ ବାଧ୍ୟ ହୋଇଥିଲେ। ରାଜ୍ୟ ସାରା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାର ଲଜ୍ଜାଜନକ ଘଟଣା ଘଟିଛି । ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ସରକାରଙ୍କ ଦ୍ୱାରା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏବଂ ବର୍ତ୍ତମାନ ପଞ୍ଚାୟତିରାଜ ଦିବସ ପାଳନକୁ ୫ ମାର୍ଚ୍ଚରୁ ଅନ୍ୟ କୌଣସି ତାରିଖରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ଏହା ହୀନମନ୍ୟତା ଅଟେ ।

୧୯୯୩ ମସିହାରୁ ଓଡ଼ିଶାରେ ୫ ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଥିଲା। ୩୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ୫ ମାର୍ଚ୍ଚରେ ପଞ୍ଚାୟତିରାଜ ଦିବସ ପାଳନ କରିଆସୁଛି। ଏପରି ନିଷ୍ପତ୍ତି ନେବାର କାରଣ କ’ଣ?ମୁଁ ଗୋଟିଏ କଥା କହିବାକୁ ଚାହେଁ । ଆପଣ ପୁରସ୍କାରର ନାମ ବଦଳାଇ ପାରିବେ, ତାଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିପାରିବେ, ତାରିଖ ପରିବର୍ତ୍ତନ କରିପାରିବେ, କିନ୍ତୁ ଆପଣ ବିଜୁ ବାବୁଙ୍କ ପ୍ରତି ଓଡ଼ିଶାବାସୀଙ୍କର ପ୍ରେମ ଏବଂ ସ୍ନେହକୁ ଛଡ଼ାଇ ନେଇପାରିବେ ନାହିଁ। ସେ ଲୋକଙ୍କ ହୃଦୟରେ ବାସ କରନ୍ତି । ଆପଣ ଏହାକୁ କିପରି ପରିବର୍ତ୍ତନ କରିବେ ? ଏହି ଘଟଣାଗୁଡ଼ିକ କେବଳ ବିଜୁ ବାବୁଙ୍କ ପ୍ରତି ଲୋକଙ୍କର ପ୍ରେମ ଏବଂ ସମ୍ମାନକୁ ବୃଦ୍ଧି କରିଛି।ଯେତେବେଳେ ପୁରୀ ସ୍ୱର୍ଗ ଦ୍ୱାରର ମରାମତି କରାଯାଉଥିଲା, ସେତେବେଳେ ସେଠାରୁ ବିଜୁ ବାବୁଙ୍କ ସମାଧି ସ୍ଥାନାନ୍ତର କରିବାର ଏକ ପ୍ରସଙ୍ଗ ଉଠିଥିଲା । ମୁଁ ଚାହୁଁଥିଲି ଯେ ମୁଁ ନା କହିବି। କିନ୍ତୁ ମୁଁ ସେତେବେଳେ ଉତ୍ତର ଦେଇଥିଲି – ଦୟାକରି ସେମାନଙ୍କୁ ଏହାକୁ ସ୍ଥାନାନ୍ତର କରିବାକୁ କୁହନ୍ତୁ । ବିଜୁ ବାବୁ ପଥର ଏବଂ ଇଟା ସ୍ମାରକୀରେ ନୁହେଁ ଲୋକଙ୍କ ହୃଦୟରେ ବାସ କରନ୍ତି।

ମୁଁ ଓଡ଼ିଶାର ବିଜେପି ସରକାରଙ୍କୁ ପଚାରିବାକୁ ଚାହୁଁଛି – ଆପଣ ମହାନ ବିଜୁ ପଟ୍ଟନାୟକଙ୍କ ଐତିହ୍ୟକୁ ଲିଭାଇ ଦେବା ପାଇଁ ପଞ୍ଚାୟତିରାଜ ଦିବସର ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆପଣ କ’ଣ ପାରାଦୀପ ବନ୍ଦର ବନ୍ଦ କରିପାରିବେ? ଆପଣ କଣ ସୁନାବେଡାର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡକୁ ବନ୍ଦ କରିପାରିବେ କି? ଆପଣ କଣ ତାଳଚେରର ଏନଟିପିସି କୁ ବନ୍ଦ କରିପାରିବେ କି? ଆପଣ କଣ ଓୟୁଏଟି ଏବଂ ଏନଆଇଟି , ରାଉରକେଲାକୁ ବନ୍ଦ କରିପାରିବେ କି? ବିଜୁ ବାବୁ ଯେପରି ପଞ୍ଚାୟତ ସଂସ୍ଥାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଆରମ୍ଭ କରିଥିଲେ, ଆପଣ କ’ଣ ତାହା ମନା କରିପାରିବେ କି? ଏବେ ସେମାନେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ଆପଣ କଣ ଏହି ଇତିହାସକୁ ଲିଭାଇ ପାରିବେ ? ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତର ସ୍ୱାଧୀନତା ପାଇଁ ଜେଲରେ ଥିଲେ । ଆପଣ କେତେ ପ୍ରକଳ୍ପରୁ ତାଙ୍କ ଐତିହ୍ୟକୁ ଲିଭାଇ ଦେବେ?

ଏହା ଅପରିପକ୍ୱ ରାଜନୀତି ଏବଂ ଛୋଟ ମନର କଥା କହୁଛି। ପଦ ପଦବୀ ପାଇଁ ସେ ରାଜନୀତି ଆସି ନ ଥିଲେ । ଓଡିଶାର ବିକାଶ, ଓଡିଶାର ଗୌରବ ଓ ଓଡିଆ ସ୍ୱାଭିମାନ ପାଇଁ ତାଙ୍କ ପ୍ରତିଶୃତି ତାଙ୍କୁ ରାଜନୀତିକୁ ଆଣିଥିଲା । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନେସ୍କୋ କଳିଙ୍ଗ ପୁରସ୍କାର, ଓଡିଆ ଜାତିର ପରିଚୟକୁ, ସେ ନୂଆ ଉଚ୍ଚକୁ ନେଇଥିଲେ । ପଞ୍ଚାୟତିରାଜ କୁସଶକ୍ତ କରିବା ଏବଂ ସେଥିରେ ମା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରି ବିଜୁ ବାବୁ ଦେଶରେ ଇତିହାସ ସୃଷ୍ଟି କରିଥିଲେ । ଲୋକଙ୍କୁ କ୍ଷମତା ଦେବା ଉପରେ ସେ ଜୋର ଦେଉଥିଲେ । ସରପଞ୍ଚଙ୍କୁ ସେ ଗାଁର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ । ଏହା ଏକ ସଶକ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ତାଙ୍କର ଗଭୀର ପ୍ରତିବଦ୍ଧତା ବିଷୟରେ ବହୁତ କିଛି କହିଥାଏ। ପ୍ରକୃତରେ, ଏକ ସୁସ୍ଥ ପଞ୍ଚାୟତିରାଜ ବ୍ୟବସ୍ଥା ଆମ ଗଣତନ୍ତ୍ରର ଶକ୍ତିକୁ ପ୍ରତିଫଳିତ କରେ। ପଞ୍ଚାୟତି ରାଜ ବ୍ୟବସ୍ଥାକୁ ମଜବୁତ୍‌ କରିବାରେ ବିଜୁ ବାବୁଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ । କିନ୍ତୁ ଲୋକ ସେମାନଙ୍କୁ କେବେ ସଫଳ ହେବାକୁ ଦେବେ ନାହିଁ । ଇତିହାସ ହେଉଛି ସମୟର ଖୋଲା ପୁସ୍ତକ ଏବଂ ଭବିଷ୍ୟତ ଏହାକୁ ନିରପେକ୍ଷ ଭାବରେ ମୂଲ୍ୟାଙ୍କନ କରିବ ।

ବିଜୁ ବାବୁ କେବଳ ଜଣେ ରାଜ୍ୟ ନେତା କିମ୍ବା ଜାତୀୟ ନେତା ନୁହଁନ୍ତି, ବରଂ ଜଣେ ଆନ୍ତର୍ଜାତୀୟ ନେତା । ଭାରତର ଗର୍ବ । ଆପଣ ଏକ ଗୌରବମୟ ଐତିହ୍ୟକୁ ବଦଳାଇ ପାରିବେ ନାହିଁ ।ସରକାର ଆସିବ, ସରକାର ଯିବ । କିନ୍ତୁ ବିଜୁ ବାବୁ ସବୁଦିନ ପାଇଁ ସବୁ ଓଡିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ଏବଂ ତାଙ୍କ ଅବଦାନ ପାଇଁ ଓଡିଆ ଜାତି ଗର୍ବ କରୁଥିବ ଏବଂ ଭବିଷ୍ୟତ ପୀଢି ପାଇଁ ପ୍ରେରଣା ଯୋଗାଇ ଚାଲିଥିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking