28.1 C
Bhubaneswar
Saturday, January 17, 2026
Homeଓଡିଶାନବୀନଙ୍କୁ ବିଶ୍ୱାସ କଲେ କିପରି

ନବୀନଙ୍କୁ ବିଶ୍ୱାସ କଲେ କିପରି

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି କରିଛନ୍ତି। ଏପରି ଅପ୍ରାସିତ୍ୟ କାର୍ଯ୍ୟ କରିବା ନବୀନଙ୍କ ପକ୍ଷରେ କିଛି ନୂଆ ନୁହେଁ। କିନ୍ତୁ ଦୁଇ ବିଧାୟକଙ୍କ ଭିତରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବିତ କରାଯିବା ନେଇ ଯେତିକି ଚର୍ଚ୍ଚା ନହେଉଛି କି ଗୁରୁତ୍ୱ ଦିଆନଯାଉଛି ପାଟକୁରା ବିଧାକୟ ଅରିବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ରାଜନୈତିକ ମହଲରେ ଦୁଇଦିନ ହେଲା ଚାଲିଛି। ଏହାର ମୁଖ୍ୟ କାରଣ ହେଉଛି ଯେ, ଅରବିନ୍ଦ ହେଉଛନ୍ତି ରାଜ୍ୟ ରାଜନୀତିର ଜଣେ ପୁରୁଖା ଓ ଅତି ଚତୁର ନେତାଭାବେ ବେଶ୍ ଜଣାଶୁଣା ନେତା ବିଜୟ ମହାପାତ୍ରଙ୍କ ପୁଅ। ନବୀନ ଯେଉଁ ସବୁ କାରଣ ପାଇଁ ନିଲମ୍ବିତ କରିଛନ୍ତି ତାହା ଭିନ୍ନ କଥା, ହେଲେ ଏ ନେଇ ବିଜୟଙ୍କ ରାଜନୈତିକ ଗଣିତ ଫେଲ୍ ମାରିଲା ବୋଲି କୁହାଯାଉଛି। ବିଜୟଙ୍କ ଭଳି ଜଣେ ପୁରୁଖା ଓ ଅଭିଜ୍ଞ ନେତା କିଭଳି ଭାବରେ ନବୀନ ପଟ୍ଟନାୟକଙ୍କୁ ବିଶ୍ୱାସକୁ ନେଇଥିଲେ। ଅରବିନ୍ଦଙ୍କ ଏହି ଘଟଣା ପାଇଁ ବିଜୟଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ଅଧିକ ଦାୟୀକରୁଛନ୍ତି।

ବିଜୟଙ୍କ ସହ ରାଜନୀତିରେ ଯାହା ଘଟିଛି ବା ନବୀନ ପଟ୍ଟନାୟକ ତାଙ୍କୁ ଯେଉଁଭଳି ଭାବରେ ତଳିତଳାନ୍ତ କରିଛନ୍ତି ତାହା କାହାକୁ ଅଛପା ନାହିଁ। ୨୦୦୦ ମସିହାରୁ ବିଜୟ ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ରଖିବାର ମହାନାୟକ ହେଉଛନ୍ତି ନବୀନ। ନବୀନ ନିବାସକୁ ଡ଼ାକି ରାତିରେ ବନ୍ଧତ୍ୱପୂର୍ଣ୍ଣ ଆଲୋଚନା କରିବା ପରେ ଯେଭଳି ଭାବରେ ତାଙ୍କ ଟିକେଟ୍‌କୁ ଶେଷ ମୁହୂର୍ତ୍ତରେ ନବୀନ କାଟିଲେ ସେ ଅପମାନ ବିଜୟ ହଠାତ୍ କିପରି ଭୁଲି ପୁଅକୁ ପଠାଇଲେ ତାହା ସମସ୍ତଙ୍କୁ ଚକିତ କରିଥିଲା। ବିଶ୍ୱାସ କରି ବିଷ ଭରିଥିବା ନବୀନଙ୍କ ସମ୍ପର୍କରେ ବିଜୟଙ୍କର ଅଭିଜ୍ଞତା ରହିଥିଲା। ବିଜୟଙ୍କ ଭଳି ନେତା ରାଜନୀତିରେ ବେଶ୍ ଆଦର୍ଶବାଦୀ ବୋଲି ଜଣାଶୁଣା। ସେଥିପାଇଁ କୌଣସି କଥାରେ ସେ ସାଲିସ୍ କରନ୍ତି ନାହିଁ। ସର୍ବଦା ସ୍ପଷ୍ଟମତ ରଖୁଥିବା ଲାଗି ବିଜେପିରୁ କୋଣଠେସା ହୋଇଥିଲେ। ସାଲିସ୍ କରିଥିଲେ ହୁଏତ ଆଜି ସେ ବିଜେପିରେ ଏକ ଉଚ୍ଚ ସ୍ଥାନରେ ଥାଆନ୍ତେ। ଯେଉଁ ନବୀନ ପଟ୍ଟନାୟକ ତାଙ୍କୁ ରାଜନୀତିରେ ପଛରୁ ଛୁରିମାରି ଗଢ଼ିଥିବା ଦଳରୁ ବିଦା କରିଦେଲେ, ସେ କିଭଳି ଭାବରେ ପୁଣି ହାଣ ମୁହଁକୁ ପୁଅକୁ ଠେଲିଲେ ତାହାର ପରିଣତି ଏବେ ଘଟିଛି। ନବୀନ କେତେବେଳେ ଯେ ଓଲଟି ଚୋଟ ମାରିବେ ତାହା କାହାରିକୁ ଜଣାଯାଏନି। କେବଳ ବିଜୟ ନିଜେ ନୁହେଁ ଅନେକ ନେତା ଏହାର ଶୀକାର ହୋଇଛନ୍ତି। ‘ଛାୟା ଦୁର୍ନୀତି’ ଅଭିଯୋଗରେ ସ୍ୱର୍ଗତ ନଳୀନ ମହାନ୍ତିଙ୍କୁ ବିଦା କରିଥିଲେ ନବୀନ। ଅନେକ ଉଦାହରଣ ଥିବାବେଳେ ବିଜୟ ନିଜ ପୁଅ ପାଇଁ ସୁରକ୍ଷିତ ରାଜନୀତିକ ଦଳ ବାଛିପାରିଲେ ନାହିଁ ତାହା ହିଁ ଆଶ୍ଚର୍ଯ୍ୟର କଥା।

ଅରବିନ୍ଦଙ୍କ ରାଜନୀତି ଆରମ୍ଭରୁ ଏକ ଦାଗ ଲାଗିଗଲା। ବିଜେଡି ପକ୍ଷରୁ ଏବେ ନିଲମ୍ବନ ନେଇ ଯେଉଁ କାରଣ ଦଳୀୟ ନେତାମାନେ ଗଣମାଧ୍ୟମରେ ରଖୁଛନ୍ତି ତାହାର ସତ୍ୟତା ଅନେକଙ୍କୁ ବିଶ୍ୱାସ ଯୋଗ୍ୟ ହେଉନାହିଁ। ଯେଉଁ ଦୁର୍ନୀତି ଓ ବିଶ୍ୱାସଘାତକତା କଥା କୁହାଯାଉଛି ଏଥିରେ ଯେ ଅରବିନ୍ଦ ଜଡ଼ିତ ତାହା କେହି ଭାବିପାରୁ ନାହାଁନ୍ତି। ବିଧାୟକ ହେବାର ମାତ୍ର ଦେଢ଼ବର୍ଷ ହେଲା। ଏଥିରେ ଜଣେ ବିରୋଧୀ ଦଳର ବିଧାୟକ ଦୁର୍ନୀତିଗ୍ରସ୍ତ ହୋଇଯିବେ ଏକଥା କହିଲେ ଗ୍ରହଣଯୋଗ୍ୟ ହେବ ନାହିଁ। ରାଜନୀତିରେ ଅରବିନ୍ଦ ଜଣେ ନବାଗତ ହୋଇଥିବାରୁ ଦଳ ବିରୋଧରେ ଷଡ଼ଯନ୍ତ୍ର କରିବେ ଓ ନେତାଙ୍କ ପ୍ରତି ବିଶ୍ୱାସଘାତକତା କରିବେ ତାହା ମଧ୍ୟ ସହଯରେ ଭାବି ହେଉନାହିଁ। ବିଜେପିରୁ ବିଜୟ ଇସ୍ତଫା ଦେଇ ନାହାଁନ୍ତି କି ତାଙ୍କୁ ବହିଷ୍କାର କରାଯାଇ ନାହିଁ। ହେଲେ ସେ ବିଜେପି ସହିତ ନାହାଁନ୍ତି। ଏପରିକି ବିଭିନ୍ନ ସମୟରେ ଉଭୟ ବିଜେଡି-ବିଜେପିକୁ ସମାଲୋଚନା କରି ଗଣମାଧ୍ୟମରେ ମତ ରଖିଥାଆନ୍ତି। ଏକଥା ଭଲଭାବେ ଜାଣି ମଧ୍ୟ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନରେ ବିଜୟଙ୍କ ପୁଅକୁ ଦଳରେ ସାମିଲ୍ କରି ପ୍ରାର୍ଥୀ କରିଥିଲେ। ବିଜୟ ସ୍ୱାଧୀନ ଭାବେ ତାଙ୍କର ରାଜନୀତି କରିବା ବୋଧେ ନବୀନ ଚାହୁଁ ନଥିଲେ। ପୁଅକୁ ଦଳକୁ ଆଣି ବିଜୟଙ୍କ ମୁହଁ ବନ୍ଦ କରିବା ପାଇଁ ହୁଏତ ନବୀନ ଲକ୍ଷ୍ୟ ରଖିଥିଲେ। ସେଥିରେ ଫେଲ୍ ମାରିବାରୁ ଏଭଳି ପଦକ୍ଷେପ ନେଲେ ବୋଲି କେହି କେହି ମତ ରଖୁଛନ୍ତି।

ନବୀନଙ୍କ ପାଖରେ ପିତା ବିଜୁ ପଟ୍ଟନାୟକଙ୍କର କାଣିଚାଏ ହେଲେ ‘ଗୁଣ’ ନାହିଁ। ବିଜୁ ପଟ୍ଟନାୟକ ବାଘ-ଛେଳିକୁ ଗୋଟିଏ ଖୁଆଡ଼ରେ ରଖିବା ବ୍ୟକ୍ତିଥିଲେ। ସେ ତାଙ୍କ ସମାଲୋଚକ ଓ ବିରୋଧୀଙ୍କୁ ଏକାଠି ଦଳରେ ରଖିଥିଲେ। କିନ୍ତୁ ନବୀନ ସମ୍ପୂର୍ଣ୍ଣ ଭିନ୍ନ। ଏକଥାକୁ ବୋଧହୁଏ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମର୍ମେ ମର୍ମେ ଅନୁଭବ କରିଥିଲେ। ସେଥିପାଇଁ ବିଜେଡିରେ ଥିବା ପୁଅ ପ୍ରତିରଞ୍ଜନ ଘଡ଼ାଇଙ୍କ ରାଜନୈତିକ ଭବିଷ୍ୟତକୁ ଦେଖି ଦଳରୁ ବିତାଡ଼ିତ ହେବା ପରେ ବି ନୀରବ ରହିବାକୁ ଉଚିତ୍ ମନେକଲେ। ପୁଅର ରାଜନୀତି ପାଇଁ ନିଜ ରାଜନୀତିକ ଆକାଂକ୍ଷାକୁ ଜଳାଞ୍ଜଳୀ ଦେଲେ। ହେଲେ ବିଜୟ ନିଜର ରାଜନୈତିକ ଅଭିଳାସକୁ ଦୂରେଇ ରଖିପାରିଲେ ନାହିଁ, ଯାହା ଫଳରେ ପୁଅର ରାଜନୀତିରେ ପ୍ରଶ୍ନବାଚୀ ସୃଷ୍ଟି ହେଲା। କିଛି ଦୋଷ ନକରି ନବାଗତ ଅରବିନ୍ଦ ବାପାଙ୍କ ପାଇଁ ଏଭଳି ଦଣ୍ଡ ଭୋଗିଲେ ବୋଲି କୁହାଯାଉଛି। ଅନେକ ବରିଷ୍ଠ ରାଜନେତା ଏହି ଘଟଣା ପରେ ଏବେ ଖୋଲାଖୋଲି କହୁଛନ୍ତି ନବୀନଙ୍କୁ କିଭଳି ବିଜୟଙ୍କ ଭଳି ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତା ବିଶ୍ୱାସ କରି ପୁଅକୁ ପଠାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking