ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଘଟିଥିବା ଦଳାଚକଟା ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହେବା ପ୍ରସଙ୍ଗରେ କର୍ଣ୍ଣାଟକ ସରକାର ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଗଣମାଧ୍ୟମରେ ଦେଇଥିବା ତଥ୍ୟ ଠାରୁ ରାଜ୍ୟ ସରକାର କୋର୍ଟରେ ଉପସ୍ଥାପନ କରିଥିବା ତଥ୍ୟ ଅନେକ ମାତ୍ରାରେ ଭିନ୍ନ ରହିଥିବା ଜଣାପଡିଛି। ଶିବକୁମାର ପୂର୍ବରୁ କହିଥିଲେ ଯେ, ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଭିଡ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ୫ହଜାର ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ ଶୁକ୍ରବାର କର୍ଣ୍ଣାଟକ ସରକାର କହିଛନ୍ତି, ଷ୍ଟାଡିୟମ୍ରେ ପ୍ରାୟ ୧ହଜାରରୁ ଅଧିକ ପୁଲିସ୍ତ କର୍ମଚାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲେ। ଏମାନଙ୍କ ମଧ୍ୟରେ ସିଟି ପୁଲିସ୍ କମିଶନର, ଡିସିପି ଏବଂ ଏସିପି ମଧ୍ୟ ସାମିଲ ଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଭି କାମେଶ୍ୱର ରାଓ ଏବଂ ଜଷ୍ଟିସ୍ ସିଏମ୍ ଯୋଶୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିବା ସହ ଦଳାଚକଟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଷ୍ଟାଟସ୍ ରିପୋର୍ଟ ମାଗିଥିଲେ। ଆଜି ତାରିଖରେ ଏହି ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟ ଗତକାଲି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର କୋର୍ଟରେ ଏନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ଏଥିରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ, ଏହି ମାମଲାର ତଦନ୍ତ ଭାର ସିଆଇଡିକୁ ହସ୍ତାନ୍ତର କରାଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ କରାଯିବା ନେଇ ମଧ୍ୟ ବିଚାର କରାଯାଉଛି। ସେହିପରି ଜରୁରିକାଳୀନ ଭିତ୍ତିରେ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ସିଟି ପୁଲିସ୍ କମିଶନରଙ୍କ ସମେତ ପ୍ରାୟ ୫ ପୁଲିସ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
ଏତଦ୍ବ୍ୟତୀତ ରାଜ୍ୟ ପୁଲିସ୍ ବିଭାଗ ପକ୍ଷରୁ ଆରସିବି, ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ଏବଂ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଆୟୋଜନ କରାଯାଇଥିବା ବିଜୟ ଉତ୍ସବ ପାଇଁ ନିୟୋଜିତ ହୋଇଥିବା ଇଭେଣ୍ଟ ଅର୍ଗାନାଇଜରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି। ରାଜ୍ୟ ସରକାର କହିଛନ୍ତି, ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ମୋଟ୍ ୨୧ଟି ଗେଟ ଅଛି ଏବଂ କାର୍ଯ୍ୟକ୍ରମ ଆୟୋଜନ ଦିନ ସମସ୍ତ ଗେଟ ଖୋଲା କରାଯାଇଥିଲା। ଆରସିବି ଏବଂ ଏହାର ଇଭେଣ୍ଟ ମ୍ୟାନେଜର ଟିକେଟ୍ ଏବଂ ଭିଡ଼ ପରିଚାଳନା ଦାୟିତ୍ୱ ନିଜେ ବହନ କରୁଥିଲେ ବୋଲି ରାଜ୍ୟ ସରକାର କୋର୍ଟଙ୍କୁ ଅବଗତ କରିଛନ୍ତି। ଖଣ୍ଡପୀଠଙ୍କୁ ଆଡଭୋକେଟ୍ ଜେନେରାଲ୍ ଶଶିକିରଣ ସେଟ୍ଟି କହିଛନ୍ତି, ହାଇକୋର୍ଟ ଯାହା ବି ନିର୍ଦ୍ଦେଶ ଦେବେ ରାଜ୍ୟ ସରକାର ଏହାକୁ ପାଳନ କରିବେ। ସେହିପରି ଆଟର୍ଣ୍ଣି ଜେନେରାଲ କହିଛନ୍ତି, ଷ୍ଟାଡିୟମରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲା କିନ୍ତୁ ଦର୍ଶକଙ୍କ ସଂଖ୍ୟା ଆକଳନଠାରୁ ବହୁତ ଅଧିକ ହୋଇଗଲା।ତେବେ ଏହି ମାମଲାରେ ଜୁନ୍ ୧୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।
ଅନ୍ୟପକ୍ଷେ ପୁଲିସ୍ ଏଫଆଇଆର୍ ବିରୋଧରେ ଆଗୁଆ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ରାଜ୍ୟ କ୍ରିକେଟ ଆସୋସିଏସନ୍ର ଏକ ଆବେଦନ ଉପରେ ଶୁଣାଣି କରି ଏହା ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଆରସିବି ପ୍ରକାଶ, ଦୀର୍ଘ ୧୮ ବର୍ଷ ପରେ ଆରସିବି ଚଳିତ ସିଜିନ୍ ଅର୍ଥାତ୍ ୨୦୨୫ରେ ଆଇପିଏଲ୍ ଚାମ୍ପିଅନ୍ ଟାଇଟଲ୍ ଜିତିବା ସମଗ୍ର ରାଜ୍ୟବାସୀଙ୍କୁ ବେଶ୍ ଉତ୍ସାହିତ କରିଛି। ଏହାକୁ ନେଇ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପକ୍ଷରୁ ଆୟୋଜିତ ଭିକ୍ଟ୍ରି ପରେଡ୍ ବା ବିଜୟ ଉତ୍ସବ ପାଳନ ସମୟରେ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିଲା। ଏଥିରେ ୧୧ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଗୋଟିଏ ପଟେ କର୍ଣ୍ଣାଟକ ସରକାର ଏହି ଘଟଣାରୁ ନିଜକୁ ଦୂରେଇ ରଖିଥିବା ବେଳେ ଆରସିବି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛି।