26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶପଛରେ ପଡିଲା ମାକ୍ରୋନଙ୍କ ମେଣ୍ଟ: ଫ୍ରାନ୍ସରେ ହିଂସା, ପ୍ରଭାବିତ ହେବ କି ଅଲମ୍ପିକ୍ସ?

ପଛରେ ପଡିଲା ମାକ୍ରୋନଙ୍କ ମେଣ୍ଟ: ଫ୍ରାନ୍ସରେ ହିଂସା, ପ୍ରଭାବିତ ହେବ କି ଅଲମ୍ପିକ୍ସ?

ନୂଆଦିଲ୍ଲୀ: ସଂସଦୀୟ ନିର୍ବାଚନ ଫଳାଫଳ ଆସିବା ପରେ ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା ଓ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି ଜନାଦେଶରେ କେଉଁ ଦଳ କିମ୍ବା ମେଣ୍ଟ ସ୍ପଷ୍ଟ ବହୁମତ ହାସଲ କରିପାରି ନଥିବାରୁ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ବାମମେଣ୍ଟ ଅଧିକ ଆସନରେ ବିଜୟୀ ଶାସକ ମେଣ୍ଟକୁ ପଛରେ ପକାଇଛି । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନେତୃତ୍ୱାଧୀନ କେନ୍ଦ୍ର-ମେଣ୍ଟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟ ମତଦାନରେ ପ୍ରଥମ ସ୍ଥାନରେ ରହିଥିବା ଦକ୍ଷିଣପନ୍ଥୀ ମେଣ୍ଟ ତୃତୀୟ ସ୍ଥାନକୁ ଖସିଛି । ଏପରି ସମୟରେ ମାକ୍ରୋନଙ୍କ ରାଷ୍ଟ୍ରପତି ପଦ ବଜାୟ ରହିବା ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି । ମାତ୍ର ମାକ୍ରୋନଙ୍କ ଇସ୍ତଫା ସମ୍ପର୍କରେ ରାଷ୍ଟ୍ରପତି ଭବନରୁ କୌଣସି ସ୍ପଷ୍ଟତା ଆସିନି । ଫଳରେ ଦେଶରେ ନିର୍ବାଚନୀ ପରବର୍ତ୍ତୀ ଅଚଳାବସ୍ଥା ଦେଖିବାକୁ ମିଳିଛି ।

ଫ୍ରାନ୍ସ ସର୍ବୋଚ୍ଚ ବ୍ୟବସ୍ଥାପିକା (ନ୍ୟାସନାଲ ଆସେମବ୍ଲି)ର ନିମ୍ନସଦନରେ ୫୭୭ ଆସନ ଥିବା ବେଳେ ସରକାର ଗଠନ ପାଇଁ ବହୁମତ ସଂଖ୍ୟା ରହିଛି ୨୮୯ । ତିନି ପ୍ରମୁଖ ମେଣ୍ଟ ମଧ୍ୟରୁ ଚଳିତ ନିର୍ବାଚନରେ କେହି ସଂଖ୍ୟା ବହୁମତ ହାସଲ କରିପାରି ନାହାନ୍ତି । ହେଲେ ବାମମେଣ୍ଟ ସବୁଠୁ ବଡ ମେଣ୍ଟ ଭାବେ ୧୮୨ ଆସନରେ ବିଜୟୀ ହୋଇଛି । ଅନ୍ୟପଟେ ମାକ୍ରୋନଙ୍କ ଶାସକ ମେଣ୍ଟକୁ ୧୬୮ ଆସନ ମିଳିଥିବା ବେଳେ ଦକ୍ଷିଣପନ୍ଥୀ ମେଣ୍ଟ ୧୪୩ ଆସନ ସହ ତୃତୀୟ ସ୍ଥାନରେ ରହିଛି । ଚଳିତମାସ ୧୮ ତାରିଖରୁ ଜାତୀୟ ବ୍ୟବସ୍ଥାପିକାର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇନି । ମାକ୍ରେନ ରାଷ୍ଟ୍ରପତି ପଦ ବଜାୟ ରଖିବେ,କି ଇସ୍ତଫା ଦେବେ ସେ ସମ୍ପର୍କରେ ତାଙ୍କ ମେଣ୍ଟ କିଛି ସ୍ପଷ୍ଟ କରିନି । ଅଧିକ ଆସନ ପାଇଥିବା ବାମମେଣ୍ଟ ସରକାର ଗଠନ ପାଇଁ ମାକ୍ରୋନଙ୍କ ମେଣ୍ଟର ସମର୍ଥନ ଲୋଡିପାରେ । ଏପରି ହେଲେ ମାକ୍ରୋନଙ୍କୁ ପଦ ଛାଡିବାକୁ ହେବ ।

ଫ୍ରାନ୍ସରେ ଗତମାସ ୩୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଓ ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଶେଷ ହେବା ପରେ ଗତକାଲି ରାତିରେ ନିର୍ବାଚନୀ ଫଳାଫଳ ଆସିଛି । ରାଜନୈତିକ ଅସ୍ଥିରତା କାରଣରୁ ରାଜଧାନୀ ପ୍ୟାରିସ ସମେତ ବିଭିନ୍ନ ସହରରେ ହିଂସା ଦେଖିବାକୁ ମିଳିଛି । ପରସ୍ପର ଉପରେ ବିରୋଧୀ ଦଳର କର୍ମୀମାନେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । କିଛି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ହିଂସା ଓ ପୋଲିସ କାର୍ଯ୍ୟାନୁଷ୍ଠାନରେ ବହୁ ଲୋକେ ଆହତ ହେବାର ମଧ୍ୟ ସୂଚନା ରହିଛି । ଦେଶବ୍ୟାପୀ ପୋଲିସ ଓ ସଶସ୍ତ୍ର ଫୋର୍ସ ମୁତୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking